ଲକ୍ଷ୍ମୀସାଗରରେ ନକଲି ତେଲ କାରଖାନା, ୨ ହଜାର ଲିଟର ତେଲ ଓ ଘିଅ ଜବତ

ଭୁବନେଶ୍ୱର: ଦୋକାନରୁ ଯେଉଁ ଘିଅ ଓ ତେଲ କିଣୁଛନ୍ତି, ତାହା ଅସଲି ତ? ଡବା ଉପରେ ଲାଗିଥିବା ଲେବୁଲ୍‌ ମୁତାବକ ଭିତରେ ଥିବା ଜିନିଷ ଠିକ୍‌ ତ? ଲକ୍ଷ୍ମୀସାଗର ହାଉସିଂବୋର୍ଡ କଲୋନି‌‌ ଫେଜ୍‌-୧ରେ ଥିବା ଏକ ଆଜବେଷ୍ଟସ୍‌ ଘରୁ ଆଜି ୨ ହଜାର ଲିଟର (୮୮ଟିଣ) ନକଲି ଘିଅ/ତେଲ ଜବତ ହେବା ପରେ ରାଜଧାନୀବାସୀଙ୍କୁ ଏହି ପ୍ରଶ୍ନ ଏବେ ଦ୍ଵନ୍ଦରେ ପକାଇଛି। ସ୍ପେସାଲ ସ୍କ୍ବାଡ୍‌ ଓ ଲକ୍ଷ୍ମୀସାଗର ଥାନା ପୁଲିସର ଏକ ମିଳିତ ଟିମ୍‌ ବର୍ଷ ବର୍ଷ ଧରି ଚାଲୁ ଆସୁଥିବା ଏହି ବେଆଇନ କାରବାରର ଆଜି ପର୍ଦାଫାସ୍‌ କରିଛନ୍ତି।
ଚଢ଼ଉ ବେଳେ ଏହି ତେଲ କାରଖାନାରୁ ନକଲି କ୍ରିଷ୍ଣା ବ୍ରାଣ୍ଡ୍‌ର ଘିଅ, ବାଲାଜୀ ବ୍ରାଣ୍ଡର ଜଡ଼ା ତେଲ ଓ ରାଶି ତେଲ ସହ ତେଲ ଓ ଘିଅର ମହକ(ଏସେନ୍ସ), ରଙ୍ଗ, ବିଭିନ୍ନ ମାପର ହଜାର ହଜାର ଖାଲି ଡବା, ଖାଲି ଟିଣ, ମିଶ୍ରଣ ମେସିନ୍‌, ଓଜନ ମେସିନ୍‌ ଜବତ ହୋଇଛି। ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ସେମାନେ ହେଲେ, କେନ୍ଦ୍ରାପଡ଼ା ମାର୍ଶାଘାଇ ଅଞ୍ଚଳର ତିନି ଭାଇ ଲଲାଟେଶ୍ୱର ଆଚାର୍ଯ୍ୟ, ଯଯାତି ଆଚାର୍ଯ୍ୟ ଓ ବିକ୍ରମ କେଶରୀ ଆଚାର୍ଯ୍ୟ ଏବଂ ଆଉ ଜଣେ ଅଭିଯୁକ୍ତ ବିଞ୍ଝାରପୁରର ବୈକୁଣ୍ଠ ମଲ୍ଲିକ। ପୁଲିସ ସୂଚନା‌ ମୁତାବକ, ମାର୍ଶାଘାଇର ଧରଣୀଧର ଆଚାର୍ଯ୍ୟଙ୍କର ହାଉସିଂବୋର୍ଡ କଲୋନି ଫେଜ୍‌-୧ରେ ରହିଥିବା ଗୋଟିଏ ଆଜ୍‌ବେଷ୍ଟସ୍‌ ଘରେ ଏହି ବେପାର ଚାଲିଥିଲା। ତାଙ୍କର ତିନିପୁଅଙ୍କ ସହ ଅନ୍ୟ ଜଣେ ଯୁବକ ମିଶି ଏହି ବେପାର କରୁଥିଲେ। ଶସ୍ତା‌ ତେଲକୁ ଘିଅ ବାସ୍ନା ଦେଇ ଏମାନେ କ୍ରିଷ୍ଣା ବ୍ରାଣ୍ଡ୍‌ର ଘିଅ ତିଆରି କରୁଥିଲେ। ତା’ର ନାମ ଥିଲା ‘କୃଷ୍ଣ ବନସ୍ପତି ଘିଅ’। ‘ଆଚାର୍ଯ୍ୟ ଏଣ୍ଟରପ୍ରାଇଜର୍ସ’ ନାମରେ ଏହାର ମାର୍କେଟିଂ ଓ ପ୍ୟାକେଜିଂ ହେ‌ଉଥିଲା। ୯ଶହ ଗ୍ରାମ୍‌ ଓଜନର ଘିଅର ଦାମ୍‌ ୧୫୦ଟଙ୍କା ରହିଥିଲା। ଯାହା ଅସଲି କ୍ରିଷ୍ଣା ବ୍ରାଣ୍ଡ୍‌ର ଦର ସହ ସମାନ ଥିଲା। ତା’ ସହ ବାଲାଜୀ ଜଡ଼ା ଓ ରାଶି ତେଲ ମଧ୍ୟ ପ୍ରସ୍ତୁତ କରୁଥିଲେ। ଏହାର ଦର ମଧ୍ୟ ଅସଲି ତେଲ ଦର ସହ ସମାନ ଥିଲା। ଏଣୁ ଏହି ବେପାରରେ ଆଚାର୍ଯ୍ୟ ପରିବାର ବର୍ଷ ବର୍ଷ ଧରି କୋଟି କୋଟି ଟଙ୍କାର ଲାଭ କରିଥିବା ପୁଲିସ ଅନୁମାନ କରୁଛି। ତେବେ ପଚରାଉଚରା ଚାଲିଛି, ଆହୁରି ଅଧିକ ତଥ୍ୟ ମିଳିବା ସମ୍ଭାବନା ରହିଛି ବୋଲି ପୁଲିସ କହିଛି। କେଉଁଠୁ କଞ୍ଚାମାଲ୍‌ ଆସୁଥିଲା? ଆଉ କିଏ କିଏ ଏହି କାରବାରରେ ସମ୍ପୃକ୍ତ ଅଛନ୍ତି? ଅନ୍ୟ କେଉଁଠି ଏଭଳି କାରଖାନା ରହିଛି? ଆବଶ୍ୟକ ପଡ଼ିଲେ ତଦନ୍ତ ପାଇଁ କମିସନରେଟ୍‌ ପୁଲିସ ମାର୍ଶାଘାଇ ଯିବ ବୋଲି ଜଣାପଡ଼ିଛି। କ୍ରିଷ୍ଣା ବ୍ରାଣ୍ଡ୍‌ର ଘିଅ ଖାଦ୍ୟୋପଯୋଗୀ ହୋଇନଥିବାରୁ ଏହାକୁ କେବଳ ଦୀପରେ ବ୍ୟବହାର କରିବା ପାଇଁ ଡବାରେ ଲେଖା ଯାଇଛି।
ଅପରପକ୍ଷେ ଲକ୍ଷ୍ମୀସାଗର ଥାନାଠାରୁ ମାତ୍ର ୭ଶହ ମିଟର ଦୂରରେ ଏହି ବେଆଇନ କାରବାର ବର୍ଷ ବର୍ଷ ଧରି ଚାଲୁଥିଲା। ନକଲି ତେଲରେ ଭଲ ଭଲ ବ୍ରାଣ୍ଡର ଲେବୁଲ ଲଗାଇ କୋଟି କୋଟି ଟଙ୍କା ରୋଜଗାର ହେଉଥିଲା। କାରଖାନା ସାମ୍ନାରେ ବଡ଼ ବଡ଼ ଗାଡ଼ି ଲାଗୁଥିଲା, ବଡ଼ ବଡ଼ ଦୋକାନକୁ ମଧ୍ୟ ମାଲ୍‌ ଯାଉଥିଲା। କିନ୍ତୁ ପୁଲିସ ପାଖରେ କିପରି ଏହାର ଖବର ନଥିଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପୁଲିସ ଜାଣିନଥିଲା ନା ନକଲି ବେପାର ପଛରେ ଥିଲା ପୁଲିସର ସହଯୋଗ ଥିଲା? ଏହା ଏବେ ରାଜଧାନୀରେ ଚର୍ଚ୍ଚାର ମୁଖ୍ୟ ବିଷୟ ହୋଇଛି।

Share Now:

Kalinga News Beuro

Leave a Reply

Next Post

ବାୟୁସେନାର ଶକ୍ତି ବଢ଼ିଲା, ସାମିଲ ହେଲା ୮ ଆପାଚି ହେଲିକପ୍ଟର

Wed Sep 4 , 2019
ପଠାନକୋଟ: ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ‌ହୋଇଛି। ବାୟୁସେନାର ଆଧୁନିକୀକରଣ ଯୋଜନା ଅନ୍ତର୍ଗତ ଆମେରିକା ନିର୍ମିତ ୮ଟି ଆପାଚି ଏଏଚ୍‌-୬୪ଇ ଆଟାକ୍‌ ହେଲିକପ୍ଟର ଆଜି ବାୟୁସେନାରେ ସାମିଲ ହୋଇଛି। ପଠାନକୋଟ ସେନା ଘାଟିରେ ଆଜି ବାୟୁସେନାରେ ଏହି ଆପାଚି ହେଲିକପ୍ଟର ସାମିଲ୍‌ କାର୍ଯ୍ୟକ୍ରମ‌ରେ ବାୟୁସେନା ମୁଖ୍ୟ ବିଏସ୍‌ ଧନୋଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଧନୋଆ କହିଛନ୍ତି, ଅତ୍ୟାଧୁନିକ ପ୍ରଯୁକ୍ତିର ହେଲିକପ୍ଟର କ୍ରୟ ଦ୍ୱାରା ଭାରତୀୟ ବାୟୁସେନା ଆହୁରି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial