ରାଜ୍ୟସଭା ରେସ୍ : ଓଡ଼ିଶାର ୪ରୁ ୩ ଆସନ ବିଜେଡି ଖାତାକୁ ଯିବା ନିଶ୍ଚିତ, ଚତୁର୍ଥ ଆସନ ପାଇଁ ଛକାପଞ୍ଝା

ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ

ଭୁବନେଶ୍ୱର: ଆସନ୍ତା ଏପ୍ରିଲ ମାସରେ ଖାଲି ହେବାକୁ ଥିବା ୪ଟି ରାଜ୍ୟସଭା ଆସନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ । ଏଥିପାଇଁ ମାର୍ଚ୍ଚ ୬ ତାରିଖରୁ ୧୩ ତାରିଖ ଯାଏଁ ନାମାଙ୍କନ ଦାଖଲ ହେବ ।
ଆରମ୍ଭ ହୋଇଛି ରାଜ୍ୟସଭା ରେସ୍‌ । ଆସନ୍ତା ଏପ୍ରିଲ ମାସରେ ରାଜ୍ୟସଭା ସାଂସଦ ଥିବା ଅନୁଭବ ମହାନ୍ତି, ସରୋଜିନୀ ହେମ୍ରମ୍ବ, ନରେନ୍ଦ୍ର ସ୍ୱାଇଁ ଓ ରଞ୍ଜୀବ ବିଶ୍ୱାଳଙ୍କ କାର୍ଯ୍ୟକାଳ ସରୁଛି । ଆଉ ଏହି ୪ଜଣ ସାଂସଦଙ୍କ ସ୍ଥାନ କିଏ ନେବେ ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଛି । କିଏ ସେଇ ୪ ଚେହେରା? ପୁରୁଣା ମୁହଁ ନା’ ନୂଆ ମୁହଁକୁ ମିଳିବ ସୁଯୋଗ? ନା’ ପୂର୍ବଥର ଭଳି ଅଶ୍ୱନୀ ବୈଷ୍ଣବ ଫମୁର୍ଲା ଆପଣାଇବ ବିଜେଡି? ସଂଖ୍ୟା ଦୃଷ୍ଟିରୁ ଖାଲିଥିବା ୪ ଆସନରୁ ବିଜେଡି ଖାତାକୁ ୩ ଆସନ ଯିବା ସୁନିଶ୍ଚିତ । ହେଲେ ୪ର୍ଥ ଆସନ ପାଇଁ କ’ଣ ରହିବ ବିଜେଡିର ଆଭିମୁଖ୍ୟ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। କ’ଣ କହୁଛି ରାଜ୍ୟସଭା ଗଣିତ? କେଉଁ ଦଳ ପାଖରେ କେତେ ବିଧାୟକ? ରାଜ୍ୟର ମୋଟ୍‌ ୧୪୭ ବିଧାୟକଙ୍କ ମଧ୍ୟରୁ ଶାସକ ବିଜେଡି ଦଳ ପାଖରେ ୧୧୩ ବିଧାୟକ । ପ୍ରତ୍ୟେକ ରାଜ୍ୟସଭା ସିଟ୍‌ ପାଇଁ ୩୦ ବିଧାୟକଙ୍କ ସମର୍ଥନ ଦରକାର । ଅର୍ଥାତ ୩୦ ଗୁଣନ ୪ ହିସାବରେ ୪ଟି ଯାକ ରାଜ୍ୟସଭା ଆସନ ଜିତିବା ପାଇଁ ୧୨୦ ସଦସ୍ୟଙ୍କ ଭୋଟ୍‌ ଆବଶ୍ୟକ । ହେଲେ ବିଜେଡି ପାଖରେ ୭ଜଣ ବିଧାୟକଙ୍କ ସଂଖ୍ୟା କମ୍‌ ରହିଛି । ବଡ଼ କଥା ହେଉଛି ବିଜେପି ପାଖରେ୨୩ ବିଧାୟକ ଅଛନ୍ତି । ଅର୍ଥାତ ଗୋଟିଏ ରାଜ୍ୟସଭା ଆସନ ଜିତିବାକୁ ବିଜେପିକୁ ଦରକାର ୭ ଜଣ ବିଧାୟକଙ୍କ ସମର୍ଥନ । ଏଭଳି ସ୍ଥିତରେ ସମସ୍ତଙ୍କ ନଜର କଂଗ୍ରେସ ଖାତାରେ ଥିବା ୯ଜଣ ବିଧାୟକଙ୍କ ଉପରେ । ଦ୍ୱିତୀୟ ପସନ୍ଦକୁ ଭରସା କରି ଚତୁର୍ଥ ଆସନଟିକୁ ଅକ୍ତିଆର କରିବା ଲକ୍ଷ୍ୟରେ ଉଭୟ ବିଜେଡି ଓ ବିଜେପି ରହିବେ। ଏହାରି ଭିତରେ ଗେମ୍‌ ଚେଞ୍ଜର ହୋଇପାରନ୍ତି ସ୍ୱାଧିନ ବିଧାୟକ ମକରନ୍ଦ ମୁଦୁଲି ଏବଂ ସିପିଆଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା। ଏପଟେ ରାଜ୍ୟସଭା ଯିବା ପାଇଁ ବିଜେଡିରେ ଅନେକ ଆଶାୟୀ । କିଛି ନେତାଙ୍କୁ ବିଜେଡି ସୁପ୍ରିମୋ ପୂର୍ବରୁ ପ୍ରତିଶ୍ରୁତି ଦେଇଥିବା ବେଳେ ଆଉ କିଛି ନେତା ଏଥର ରାଜ୍ୟସଭା ଯିବା ପାଇଁ ଆଶା ବାନ୍ଧିଛନ୍ତି ।

Share Now:

Kalinga News Beuro

Leave a Reply

Next Post

ବନ୍ଦ ଘରୁ ତିନି ମୃତଦେହ ଉଦ୍ଧାର: ପତ୍ନୀ ଓ ଝିଅକୁ ହତ୍ୟା କରି ବାପାଙ୍କ ଆତ୍ମହତ୍ୟା ସନ୍ଦେହ

Wed Feb 26 , 2020
ଛତ୍ରପୁର: ଆଜି ସକାଳେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଥାନା ଅନ୍ତର୍ଗତ ପାଲିଆଛତ୍ରପୁର ଗ୍ରାମର ଏକ ଘରୁ ବାପା ମାଆ ଓ ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତବ୍ୟକ୍ତିମାନେ ହେଲେ ବୃନ୍ଦାବନ ବେହେରା, ତାଙ୍କ ପତ୍ନୀ ଊର୍ମିଳା ଏବଂ ଯୁକ୍ତ ଦୁଇ ପଢୁଥିବା ସେମାନଙ୍କ କନ୍ୟା ସୁନୀତା। ସକାଳେ ଗାଁ’କୁ ପାଇପ୍‌ରେ ପାଣି ଆସୁ ନ ଥିଲା। କାହିଁକି ପାଣି ଆସୁନାହିଁ ବୋଲି କେତେକ ଲୋକ ଆଖପାଖରେ ଦେଖାଦେଖି କରୁଥିବା ବେଳେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial