କଟକଣାରେ ଜୁଲାଇ: ସ୍କୁଲ୍‌, କଲେଜ, କୋଚିଂ ସେଣ୍ଟର ୩୧ ଅଗଷ୍ଟ ଯାଏ ବନ୍ଦ

ରାତ୍ରୀକାଳୀନ କର୍ଫ୍ୟୁ ରାତି ୯ରୁ ଭୋର ୫, ୧୦ ଜିଲ୍ଲାରେ ଶନିବାର, ରବିବାର ସଟ୍‌ଡାଉନ୍

ଭୁବନେଶ୍ବର: ରାତ୍ରୀକାଳୀନ କର୍ଫ୍ୟୁ ସୀମା ରାତି ୯ଟାରୁ ଭୋର ୫ଟା ଯାଏ ବଳବତ୍ତର ରହିବ। ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ୩୧ ଅଗଷ୍ଟ ଯାଏ ଖୋଲିପାରିବ ନାହିଁ। ହେଲେ ପରୀକ୍ଷା ଓ ମୂଲ୍ୟାୟନ ହୋଇପାରିବ। ଜୁଲାଇ ୩୧ ଯାଏ ଧାର୍ମିକ ଅନୁଷ୍ଠାନକୁ ସାଧାରଣ ଲୋକ ପ୍ରବେଶ କରିପାରିବେ ନାହିଁ। ଅନ୍ତର୍ଜାତୀୟ ବିମାନ ସେବା, ସିନେମା, ଥିଏଟର ସବୁ ବନ୍ଦ ରହିବ। ରେସ୍ତୁରାଁ ଖୋଲା ରହିବ। ହେଲେ ପୂର୍ବଭଳି ସେଠାରେ ଖାଇହେବ ନାହିଁ। ଖାଦ୍ୟ ପାର୍ସଲ ନିଆଯାଇ ପାରିବ। ଏପରି କଟକଣା ସହିତ ଜୁଲାଇ ମାସ ପାଇଁ ରାଜ୍ୟ ସରକାର ଆଜି ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଆସନ୍ତାକାଲି ସକାଳୁ ସରକାରଙ୍କର ଏହି ନୂଆ ନିର୍ଦେଶନାମା ଲାଗୁ ହେବ। ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏକ ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀ ଜରିଆରେ ଏ ସଂକ୍ରାନ୍ତରେ ସୂଚନା ଦେବା ପରେ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ସରକାର ସ୍ପଷ୍ଟ କରିଦେଇଛନ୍ତି ଯେ ସାଢେ ତିନି ମାସ ହେଲାଣି ଏକ ଅଦୃଶ୍ୟ ଶତ୍ରୁ ସହ ଲଢ଼େଇ ଜାରି ରହିଛି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ବେଶ୍ ଭଲ ଅଛି ଓ ସ୍ୱାସ୍ଥ୍ୟ ସହ ଅର୍ଥନୀତିକୁ ଗୁରୁତ୍ୱ ଦେଇ କାର୍ଯ୍ୟ ପରିଚାଳନା କରିବା ଜରୁରୀ ହୋଇପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜୁଲାଇ ମାସ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି। ପ୍ରତି ଗାଁରେ କୋଭିଡ୍‌ ମ୍ୟାନେଜମେଣ୍ଟ କମିଟି ଗଠନ କରାଯିବାକୁ ସ୍ଥିର ହୋଇଛି। ଯେଉଁ କଥାଟିକୁ ଅତ୍ୟଧିକ ଗୁରୁତ୍ବ ଦିଆଯାଉଛି, ତାହା ହେଲା ମାସ୍କ ବ୍ୟବହାର ଓ ସାମାଜିକ ଦୂରତ୍ୱ ରକ୍ଷା। ଏହାକୁ ଯିଏ ନମାନିବ, ସେ କ୍ଷେତ୍ରରେ ଶୂନ୍ୟ ସହନଶୀଳ ନୀତି ଗ୍ରହଣ କରାଯିବ। ମାସ୍କ ଓ ସାମାଜିକ ଦୂରତ୍ୱ ପାଇଁ ଗାଁରେ ସଚେତନତା ସୃଷ୍ଟି କରାଯିବ। ସେହିଭଳି ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଜୁଲାଇ ମାସରେ ଏସବୁକୁ ନେଇ ଧରପଗଡ଼ ଜୋରଦାର କରାଯିବ। ଧରାପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଦୋକାନୀ ସାମାଜିକ ଦୂରତ୍ୱ ବ୍ୟବସ୍ଥା ନକଲେ କାର୍ଯ୍ୟାନୁଷ୍ଠାନ ହେବ।
ଜୁଲାଇ ୩୧ ଯାଏ ଧାର୍ମିକ ଅନୁଷ୍ଠାନ ବନ୍ଦ:ମାସ୍କ, ସାମାଜିକ ଦୂରତ୍ୱ ନ ମାନିଲେ ଦଣ୍ଡ
ଓଡ଼ିଶାକୁ ଆଉ ଅଧିକ ବିମାନ ଓ ରେଳ ନ ଆସିବା ଲାଗି ସରକାର ଆବଶ୍ୟକ ପଦକ୍ଷେପ ନେବେ। ଏହା ସତ୍ତ୍ବେ ସମସ୍ତଙ୍କୁ ସରକାରଙ୍କ କଟକଣାକୁ ଶତ ପ୍ରତିଶତ ମାନିବାକୁ କୁହାଯାଇଛି। ସରକାର କହିଛନ୍ତି ଯେ ପ୍ରବାସୀଙ୍କ ପାଇଁ ଗ୍ରାମାଞ୍ଚଳରେ ସଙ୍ଗରୋଧରେ କେନ୍ଦ୍ରରେ ୧୪ ଦିନ ରହିବା ବାଧ୍ୟତାମୂଳକ। ସହରାଞ୍ଚଳରେ ନିଜ ଘରେ କ୍ବାରାଣ୍ଟିନରେ ରହିବାକୁ ହେବ। ଯଦି କିଛି ସ୍ବାସ୍ଥ୍ୟାବସ୍ଥା ଠିକ୍ ନଥିବା ସଙ୍କେତ ମିଳେ, ତେବେ ସେମାେନ କୋଭି଼ଡ୍ ସେଣ୍ଟର ବା କୋଭିଡ଼୍ ହସ୍ପିଟାଲକୁ ଯିବେ। ତେବେ ସରକାରୀ ଅଧିକାରୀ, ବ୍ୟବସାୟୀ, ପେଶାଧାରୀ ବ୍ୟକ୍ତିମାନେ ୭୨ ଘଣ୍ଟା ଭିତରେ ଫେରିଆସିଲେ ସେମାନେ ବାଧ୍ୟତାମୂଳକ କ୍ବାରାଣ୍ଟିନରେ ରହିବାର ଆବଶ୍ୟକତା ନାହିଁ। ସରକାର କହିଛନ୍ତି ଯେ ପ୍ରତି ପଞ୍ଚାୟତରେ କୋଭିଡ୍‌ କେୟାର ହୋମ୍‌ କରାଯିବ। ଲକ୍ଷଣଯୁକ୍ତ ଲୋକ ସେଠାକୁ ଆସିବେ ଓ ଆଇସୋଲେସନରେ ରହିବେ। କୋଭିଡ଼ କେୟାର ହୋମ୍‌ ଦାୟିତ୍ୱରେ ସରପଞ୍ଚମାନେ ହିଁ ରହିବେ। ରାଜ୍ୟରେ ମୋଟ୍‌ ୧୬, ୮୨୪ କ୍ବାରାଣ୍ଟିନ କେନ୍ଦ୍ର ରହିଥିଲା। ଏହାକୁ ହ୍ରାସ କରାଯିବ। ଏଯାବତ ୭ ଲକ୍ଷ ୪୬ ହଜାର ୦୯୮ ଜଣ ଏଠାରୁ ଗଲେଣି। ଏବେ ୧ ଲକ୍ଷ ୫ ହଜାର ଲୋକ ଅଛନ୍ତି। ମୁଖ୍ୟଶାସନ ସଚିବ କହିଛନ୍ତି, ୫୦ରୁ ଅଧିକ ସଂକ୍ରମିତ ଥିବା ‌୧୦ଟି ଜିଲ୍ଲାକୁ ଜୋନ-୧ ବୋଲି ଘୋଷଣା କରାଯାଇଛି। ସେହି ୧୦ ଜିଲ୍ଲା- ଗଂଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, ବାଲେଶ୍ୱର, ମୟୂରଭଂଜ, କେନ୍ଦୁଝର ଓ ଝାରସୁଗୁଡ଼ା ଜିଲ୍ଲାରେ ସପ୍ତାହାନ୍ତ ସଟ୍‌ଡାଉନ ଜାରି ରହିବ। ଅର୍ଥାତ୍ ଶନିବାର ଓ ରବିବାର ପୂର୍ବଭଳି ସଟ୍‌ଡାଉନରେ ରହିବ। ଏହି ୧୦ ଜିଲ୍ଲାକୁ ଛାଡ଼ି ବାକି ସମସ୍ତ ଜିଲ୍ଲା ଜୋନ-୨ରେ ରହିବେ। ରାତ୍ରକାଳୀନ କର୍ଫ୍ୟୁ କେନ୍ଦ୍ର ସରକାର ରାତି ୧୦ଟାରୁ ସକାଳ ୫ଟା ଯାଏ ଧାର୍ଯ୍ୟ କରିଛନ୍ତି। ଓଡ଼ିଶା ସରକାର କିନ୍ତୁ ସ୍ଥିର କରିଛନ୍ତି ଯେ ଏହା ରାତି ୯ରୁ ସକାଳ ୫ଟା ଯାଏ ରାତ୍ରକାଳୀନ କର୍ଫ୍ୟୁ ଜାରି ରହିବ। ହେଲେ ଏଥିରେ ପୂର୍ବାପେକ୍ଷା ଟିକିଏ କୋହଳ ନୀତି ଅବଲମ୍ବନ କରାଯାଇଛି। ସବୁ ଜରୁରୀସେବା ପ୍ରଦାନକାରୀ କର୍ମଚାରୀ କଟକଣା ମୁକ୍ତ ରହିବେ। ଅର୍ଥାତ୍ ଶିଳ୍ପ କାରଖାନାରେ କାର୍ଯ୍ୟରତ କର୍ମଚାରୀ, ପେଟ୍ରୋଲ ପମ୍ପ, ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ କର୍ମଚାରୀଙ୍କୁ ଏହି କଟକଣାରୁ ବାଦ୍ ଦିଆଯାଇଛି। ବିବାହ ଓ ଅନ୍ତିମ ସଂସ୍କାର ସ୍ଥାନୀୟ ପ୍ରଶାସନ ଅନୁମତିରେ କରିପାରିବେ। ତେବେ ୫୦ରୁ ଅଧିକ ଲୋକ ରହିବେ ନାହିଁ। ଏଟିଏମ ଖୋଲା ରହିବ, ହୋମ୍ ଡେଲିଭରି ହୋଇପାରିବ। ଜାତୀୟ ରାଜପଥ କଡରେ ଥିବା ଢାବାରେ ପାର୍ସଲ ମିଳିବ, କ୍ଷୀର ଦୋକାନ ଖୋଲା ରହିବ, ରିଲାଏନ୍ସ ଫ୍ରେସ, ଚିଲିକା ଫ୍ରେସ, ବିଗ ବଜାର ଆଦି ଗ୍ରୋସରି ଦୋକାନ ହୋମ୍ ଡେଲିଭରି କରିପାରିବେ ଓ ହକର ମାନେ ସକାଳ ୫ରୁ ୮ ଯାଏଁ କାମ କରିପାରିବେ। ସର୍ବସାଧାରଣ ସ୍ଥାନରେ କେହି ପାନ, ଗୁଟଖା, ତମ୍ବାଖୁ ଖାଇପାରିବେ ନାହିଁ। ଅନ୍ତିମ ସଂସ୍କାର କ୍ଷେତ୍ରରେ ସର୍ବାଧିକ ୨୦ଜଣଙ୍କର ଉପସ୍ଥିତି ରହିବ, ଠିକ୍ ପୂର୍ବଭଳି। ଜୁଲାଇ ମାସରେ ସପିଂ ମଲ୍ ଖୋଲିବ ନା ନାହିଁ ସେ ନିଷ୍ପତ୍ତି ସ୍ଥାନୀୟ ଜିଲ୍ଲାପାଳ ଓ ପୌର କମିସନରଙ୍କ ହାତରେ ଛାଡି ଦେଇଛନ୍ତି ରାଜ୍ୟ ସରକାର। କରୋନା ସଂକ୍ରମଣ ସ୍ଥିତିକୁ ଅନୁଧ୍ୟାନ କରି ସ୍ଥାନୀୟ ଅଧିକାରୀ ସପିଂ ମଲ ଖୋଲିବେ ନା ନାହିଁ ତାହାର ନିଷ୍ପତ୍ତି ନେବେ। ଯଦି ସପିଂ ମଲ ଖୋଲାଯାଏ ତେବେ କଣ ସବୁ କଟକଣା ଲାଗୁ କରାଯିବ ସେହି ନିଷ୍ପତ୍ତି ମଧ୍ୟ ସେମାନେ ନେବେ। ସେହିଭଳି ଲକ୍‌ଡାଉନ୍ କଣ୍ଟେନମେଣ୍ଟ ଜୋନରେ ହିଁ ସୀମିତ ରହିବ। ଜିଲ୍ଲାପାଳ, ପୌର କମିସନର ଏହାକୁ ନିର୍ଦ୍ଧାରଣ କରିବେ। ସ୍ଥାନୀୟ କର୍ତ୍ତୃପକ୍ଷ କଣ୍ଟେନମେଣ୍ଟ ଜୋନ୍ ପରେ ବଫର ଜୋନ୍ ବି କରିପାରନ୍ତି।

Share Now:

Kalinga News Beuro

Next Post

ଜଳିଗଲା ସ୍ପେୟାର ପାର୍ଟସ ସୋରୁମ୍

Wed Jul 1 , 2020
ଭୁବନେଶ୍ବର: ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଝାରପଡ଼ା ଓଭରବ୍ରିଜ ନିକଟରେ ଥିବା ପଦ୍ମା କାର୍‌ ମାର୍ଟରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ସନ୍ଧ୍ୟା ୭ଟା ବେଳେ ଘଟିଥିବା ଏହି ଅଗ୍ନିକାଣ୍ଡରେ ସୋ ରୁମ୍‌ଟି ଜଳି ପୋଡ଼ି ପାଉଁଶ ହୋଇଯାଇଛି। ରାତ୍ରିକାଳୀନ କର୍ଫ୍ୟୁ ଯୋଗୁଁ ଦୋକାନ ବନ୍ଦ ଥିବାରୁ କେହି ମୃତାହତ ହୋଇ ନାହାନ୍ତି। ତେବେ ଏଥିରେ ଥିବା ୨୦ରୁ ୩୦ ଲକ୍ଷ ଟଙ୍କାର ସ୍ପେୟାର ପାର୍ଟସ ଜଳି ଯାଇଛି। ଖବର ପାଇ ଅଗ୍ନିଶମ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial