କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନ ବିବାଦ : ୭ ଘଣ୍ଟାର ମାରାଥନ୍‌ ବୈଠକ

ଚିଠି ଲେଖା ସମୟକୁ ନେଇ ପ୍ରଶ୍ନ ଉଠାଇଲେ ରାହୁଲ-2

ଆଜାଦଙ୍କୁ ସମାଲୋଚନା କଲେ ପ୍ରିୟଙ୍କା, ସୋନିଆଙ୍କ ସପକ୍ଷରେ ବାହାରିଲେ ମନମୋହନ, ଆଣ୍ଟୋନି

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ୨୩ ଜଣ ନେତା ନେତୃତ୍ବ ପରିବର୍ତ୍ତନ ଓ ଦଳରେ ପରିବର୍ତ୍ତନ ପାଇଁ ଚିଠି ଲେଖିବା ପରେ କରୋନା ମହାମାରୀ ସମୟରେ ସୋମବାର ଦଳର କାର୍ଯ୍ୟକାରିଣୀର ଏକ ୭ ଘଣ୍ଟିଆ ‌ମାରାଥନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭିଡିଓ କନଫରେନ୍ସିଂରେ ହୋଇଥିବା ଏହି ବୈଠକରେ ୪୮ ଜଣ ସଦସ୍ୟ ଭାଗ ନେଇଥିଲେ ସେମାନଙ୍କ ମତ ଉପସ୍ଥାପନ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଡ ମନମୋହନ ସିଂହ ସୋନିଆ ଗାନ୍ଧିଙ୍କୁ ବର୍ତ୍ତମାନ ପରିସ୍ଥିତିରେ ସଭାପତି ପଦରେ ରହିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବ ମଧ୍ୟ କାର୍ଯ୍ୟକାରିଣୀରେ ଗୃହୀତ ହୋଇଥିଲା। ଏଆଇସିସିର ପୁନର୍ଗଠନ କରିବା ପାଇଁ ସଭାପତିଙ୍କୁ ପୂର୍ଣ୍ଣ ଅଧିକାର ପ୍ରଦାନ କରାଯାଇଛି। ତେବେ ଗଣମାଧ୍ୟମରେ ଏଭଳି ବକ୍ତବ୍ୟ ଆଗାମୀ ଦିନରେ ନରଖିବା ପାଇଁ ବୈଠକରେ ତାଗିଦ କରାଯାଇଛି। ବୈଠକରେ ଯୋଗଦେଇଥିବା କିଛି ନେତାଙ୍କ ମତାମତ …
ଚିଠି ଲେଖା ସମୟକୁ ନେଇ ପ୍ରଶ୍ନ ଉଠାଇଲେ ରାହୁଲ
ନେତୃତ୍ବ ପରିବର୍ତ୍ତନ ପାଇଁ କଂଗ୍ରେସର ବରିଷ୍ଠ ନେତାମାନେ ଲେଖିଥିବା ଚିଠିର ସମୟ ଉପରେ ପ୍ରଶ୍ନ ଉଠାଇଛନ୍ତି ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ। କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଭାଗ ନେଇ ସେ କହିଛନ୍ତି ତାଙ୍କ ମାଆ ସୋନିଆ ଗାନ୍ଧି ଅସୁସ୍ଥ ଥିବା ଏବଂ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କଂଗ୍ରେସ ସଂକଟ ଦେଇ ଗତିକରିବା ସମୟରେ କଂଗ୍ରେସର ନେତାମାନେ ଏଭଳି ଚିଠି ଲେଖିବା ଠିକ୍ ହୋଇନାହିଁ । ତେବେ ଚିଠି ଲେଖିଥିବା ବରିଷ୍ଠ ନେତାମାନେ ବିଜେପି ସହିତ ମିଶିକି ଅଛନ୍ତି ବୋଲି ଗଣମାଧ୍ୟମରେ ଯେଉଁ ଖବର ପ୍ରଚାର ହେଉଛି ତାହାକୁ କଂଗ୍ରେସ ପକ୍ଷରୁ ଖଣ୍ଡନ କରାଯାଇଛି। ରାହୁଲ ଏଭଳି ମନ୍ତବ୍ୟ ଦେଇନାହାନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଛି। ଚିଠି‌ ଲେଖିଥିବା ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କିନ୍ତୁ ବୈଠକରେ ନିଜ ଦାବି ସପକ୍ଷରେ ମତ ଦେଇଥିଲେ। ଏପରିକି ଦଳରୁ ଇସ୍ତଫା ଦେବା ପାଇଁ ମଧ୍ୟ ଆଜାଦ ପ୍ରସ୍ତାବ ଦେଇଥିଲେ। ତେବେ ପରେ ଗଣମାଧ୍ୟମକୁ ସୂଚନା ଦେଇ ଆଜାଦ କହିଥିଲେ ରାହୁଲ ଗାନ୍ଧି କ’ଣ କହିଲେ ତାହା ସହିତ ତାଙ୍କ ଇସ୍ତଫା ପ୍ରସ୍ତାବର କୌଣସି ସମ୍ପର୍କ ନାହିଁ। ସେହିଭଳି ଚିଠି ଲେଖିଥିବା ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ମଧ୍ୟ ରାହୁଲଙ୍କ ମନ୍ତବ୍ୟ ପ୍ରଚାର ପରେ କ୍ଷୋଭଭରା ଟ୍ବିଟ୍ କରିଥିଲେ। କିନ୍ତୁ ପରେ ତାହାକୁ ପ୍ରତ୍ୟାହାର କରିନେଇଥିଲେ। ରାହୁଲ ତାଙ୍କୁ ବ୍ୟକ୍ତିଗତଭାବେ ଆକ୍ଷେପ କରିନାହାନ୍ତି ସୂଚନା ଦିଆଯିବା ପରେ ସେ ତାଙ୍କ ଟ୍ବିଟ୍ ପ୍ରତ୍ୟାହାର କରିନେଇଛନ୍ତି ବୋଲି କହିଛନ୍ତି। ଚିଠି ଲେଖିଥିବା ନେତାମାନେ ବିଜେପି ସହ ମିଶିକରି ରହିଥିବା ବିଷୟ ରାହୁଲ ଆପେକ୍ଷ କରିବା ପରେ ସିବଲ ଟ୍ବିଟ୍ କରିଥିଲେ ଗତ ୩୦ ବର୍ଷ ହେଲା କୌଣସି ପ୍ରସଙ୍ଗରେ ସେ ବିଜେପି ସପକ୍ଷରେ ଗୋଟିଏ ହେଲେ ବିବୃତି ଦେଇନାହାନ୍ତି। ଏହାସତ୍ତ୍ୱେ ଆମେ ବିଜେପି ସହିତ ହାତ ମିଳାଇଥିବା କୁହାଯାଉଛି। କିନ୍ତୁ କିଛି ସମୟ ପରେ ସେ ସେହି ଟ୍ବିଟକୁ ପ୍ରତ୍ୟାହାର କରି ନେଇଥିଲେ।

ଆଜାଦଙ୍କୁ ସମାଲୋଚନା କଲେ ପ୍ରିୟଙ୍କା
କଂଗ୍ରେସ ଦଳର ନେତୃତ୍ବ ପରିବର୍ତ୍ତନ ପାଇଁ ବରିଷ୍ଠ ନେତାମାନେ ଲେଖିଥିବା ଚିଠି ଉପରେ ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ମନ୍ତବ୍ୟ ଦେଇଛନ୍ତି। ଚିଠିରେ ନେତୃତ୍ବ ପରିବର୍ତ୍ତନ ପାଇଁ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଲେଖିଛନ୍ତି। କିନ୍ତୁ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ସେ ସୋନିଆଙ୍କ ପ୍ରଶଂସା କରିଥିଲେ। ଏହାପରେ ପ୍ରିୟଙ୍କା ଆଜାଦଙ୍କୁ ଆକ୍ରମଣ କରିଥିଲେ। ସେ କହିଥିଲେ ଆପଣ ଯାହା କହୁଛନ୍ତି ଚିଠିରେ ତାହାର ବିପରୀତ କଥା ଲେଖିଛନ୍ତି।
ସୋନିଆଙ୍କ ସପକ୍ଷରେ ବାହାରିଲେ ମନମୋହନ, ଆଣ୍ଟୋନି
କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ ମନମୋହନ ସିଂହ ଏବଂ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏ କେ ଆଣ୍ଟୋନି ଅନ୍ତରୀଣ ସଭାପତି ସୋନିଆ ଗାନ୍ଧିଙ୍କ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ଚିଠି ଲେଖିଥିବା ନେତାମାନଙ୍କୁ ମନମୋହନ ସମାଲୋଚନା କରିଥିଲେ। ଚିଠିକୁ ସେ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଥିଲେ। ହାଇକମାଣ୍ଡକୁ ଦୁର୍ବଳ କରିବା ଅର୍ଥ କଂଗ୍ରେସକୁ ଦୁର୍ବଳ କରିବା ବୋଲି ମନମୋହନ ମନ୍ତବ୍ୟ ଦେଇଥିଲେ। ମନମୋହନ ସିଂହଙ୍କ ପରେ ଆଣ୍ଟୋନି କହିଥିଲେ ଚିଠିରେ ଯାହା ଲେଖାଯାଇଛି ତାହା ଅତ୍ୟନ୍ତ ନିଷ୍ଠୁର। ସୋନିଆ ଗାନ୍ଧିଙ୍କ ତ୍ୟାଗ ସମ୍ପର୍କରେ ସେ ଏହି ପରିପ୍ରେକ୍ଷୀରେ ଅବତାରଣା କରିଥିଲେ। ଏଥିସହିତ ରାହୁଲ ଗାନ୍ଧିଙ୍କୁ ଦଳର ସଭାପତି ଦାୟିତ୍ବ ନେବା ପାଇଁ ସେ ଆହ୍ବାନ କରିଥିଲେ।

Share Now:

Kalinga News Beuro

Next Post

ନାବାଳିକାଙ୍କ ମୁହଁରେ ନିର୍ଯାତନାର କରୁଣ କାହାଣୀ : ଦେହ ବ୍ୟବସାୟରେ ଲଗାଇଥିଲେ ପାର୍ଲର ମାଲିକାଣୀ

Tue Aug 25 , 2020
ବ୍ୟାସନଗର : ବ୍ୟାସନଗରରେ ଜଣେ ପାର୍ଲର ମାଲିକାଣୀଙ୍କ ଦ୍ୱାରା ଚାଲିଥିବା ସେକ୍ସ ରାକେଟ୍‌ ଉପରୁ ପରଦା ହଟିଛି। କାମ ଦେବା ବାହାନାରେ ଆଣି ଜଣେ ନାବାଳିକାକୁ ଦେହ ବ୍ୟବସାୟରେ ଲଗାଇଥିଲେ। ନାବାଳିକା ଜଣକ ଏକ ଶିଶୁକନ୍ୟାକୁ ଜନ୍ମଦେବା ସହ ତା’ଉପରେ ହୋଇଥିବା ଅକଥନୀୟ ନିର୍ଯାତନାର କାହାଣୀ ପୁଲିସକୁ ଜଣାଇବା ପରେ ପାର୍ଲର ମାଲିକାଣୀଙ୍କ କାରନାମା ପଦାରେ ପଡ଼ିଛି। ଯାଜପୁରରୋଡ଼ ପୁଲିସ ଏହି ଘଟଣାର ତଦନ୍ତ କରୁଛି। ଗଞ୍ଜାମ ‌ପୋଲସରା ଅଞ୍ଚଳର […]
ନାବାଳିକାକୁ ଗଣଦୁଷ୍କର୍ମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial