ରାଜଧାନୀରେ ଶିକ୍ଷା ବ୍ୟବସ୍ଥାର ନଗ୍ନରୂପ:୫ଟା ଶ୍ରେଣୀ ପାଇଁ ଜଣେ ଶିକ୍ଷୟିତ୍ରୀ

ଭୁବନେଶ୍ୱର: ଆମେ ପଢ଼ିବୁ, ଗଢ଼ିବୁ, ଶ୍ରେଷ୍ଠ ହେବୁ। ଗତ ବର୍ଷ ଶିଶୁ ଦିବସରେ ଖୋଦ ମୁଖ୍ୟମନ୍ତ୍ରୀ ପିଲାମାନଙ୍କ ଉଦ୍ଦେଶ୍ୟରେ ଏମିତି ଏକ ମୂଲ୍ୟବାନ ବାର୍ତା ରଖିଥିଲେ। ତେବେ ସଂଳାପ ଶୁଣାଇବା ଅପେକ୍ଷା ପଢ଼ିବା ପାଇଁ ଯେ ଶିକ୍ଷକ ଏବଂ ଶୈକ୍ଷିକ ବାତାବରଣଟିଏ ଲୋଡ଼ା ତାହା ବୋଧହୁଏ ଭୁଲିଯାଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଖୋଦ୍‌ ରାଜଧାନୀର ସାଲିଆସାହି ଆଦିବାସୀ ଗାଁ’ ଅନ୍ତର୍ଗତ ‘ଆଦିବାସୀ ଗାଁ ପ୍ରାଥମିକ ବିଦ୍ୟାଳୟ’ ଶିକ୍ଷା ବ୍ୟବସ୍ଥାର ନଗ୍ନ ନମୁନାକୁ ପଦାରେ ପକାଇଛି।
ସ୍କୁଲ୍‌ର ପିଲା ସଂଖ୍ୟା ଶହେ। ତେବେ ତାଙ୍କୁ ପଢ଼ାଇବା ଦାୟିତ୍ୱରେ ଅଛନ୍ତି ଜଣେ ମାତ୍ର ଶିକ୍ଷୟିତ୍ରୀ। ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଶ୍ରେଣୀ ଗୃହ ରହିଛି। ତେବେ ୧୯୮୪ରୁ ନିର୍ମିତ ଏହି ଶ୍ରେଣୀଗୃହର ଦୟନୀୟ ସ୍ଥିତି ନଦେଖିଲେ ବିଶ୍ୱାସ କରିହେବ ନାହିଁ। ଆଜି ଠିକ୍‌ ୧୦ଟାରେ ଯେତେବେଳେ ସ୍କୁଲ୍‌ରେ ପହଞ୍ଚିଲୁ, ସ୍କୁଲ୍‌ର ମନିଟର୍‌ ଥିବା ଚତୁର୍ଥ ଶ୍ରେଣୀ ଛାତ୍ରୀ ସରସ୍ୱତୀ ମାର୍‌ଣ୍ଡି ଶ୍ରେଣୀ ଗୃହର ଚାବି ଫିଟାଉଥିଲେ। ସ୍କୁଲ୍‌ ଖୋଲିବା ପରେ ଘର ଭିତରକୁ ଯାଇ ଦେଖିଲୁ ପ୍ରଥମ ଶ୍ରେଣୀ ପିଲା ବସୁଥିବା ଶ୍ରେଣୀଗୃହର ଆଜବେଷ୍ଟସ୍‌ ଭାଙ୍ଗି ଠାଏଠାଏ ବଡ଼ ଛିଦ୍ର ହୋଇଯାଇଛି। କିଛି ସ୍ଥାନରେ ସମ୍ପୂର୍ଣ୍ଣ ଫାଟି ଆଁ କରିଛି। ପୁଣି ସେଇ ଶ୍ରେଣୀଗୃହରେ ଗୋଟିଏ କଡ଼ରେ ବାଲି ଗଦା ହୋଇ ରହିଥିବା ବେଳେ ଅନ୍ୟ କଡ଼ରେ ଅଧା ଭଙ୍ଗା ପାଠ ପଢ଼ା ଚେୟାର ଗଦା ହୋଇଛି।
ଅର୍ଥାତ ପିଲାଏ ଖରାଦିନେ ସୂର୍ଯ୍ୟଙ୍କୁ ଦର୍ଶନ କରିି ପାଠ ପଢ଼ୁଥିବା ବେଳେ ବର୍ଷାରେ ବର୍ଷା ଜଳକୁ ସିଧାସଳଖ ନିଜ ଶ୍ରେଣୀ ଗୃହରେ ସ୍ୱାଗତ କରନ୍ତି ଏହି କୋମଳମତି ଶିଶୁମାନେ। କେତେବେଳେ ଯେ କାନ୍ଥ ଭୁଶୁଡ଼ିନପଡ଼ିବ ତାହା ବି କହିବା ମୁସ୍କିଲ୍‌। ଖାଲି ଯେ ପ୍ରଥମ ଶ୍ରେଣୀ ପଢ଼ାଗୃହର ଏତାଦୃଶ ଅବସ୍ଥା ତାହା ନୁହେଁ ସବୁ ଶ୍ରେଣୀ ଗୃହର ଅବସ୍ଥା ଏହିଭଳି ଦୟନୀୟ। ଅର୍ଥାତ ୩୪ ବର୍ଷ ତଳେ ଯେଉଁ ଆଜବେଷ୍ଟସ୍‌ ପଡ଼ିଥିଲା ତାହା ହିଁ ଏବେ ଯାଏଁ ସ୍କୁଲ୍‌ର ଭାର ବୋହୁଛି। ଅନେକ ଫଟା ଆଜବେଷ୍ଟସ୍‌ ଜାଗାରେ ପ୍ଲାଷ୍ଟିକ୍‌ ଆଜବେଷ୍ଟସ୍‌କୁ ଯୋଡ଼ି ବର୍ଷା ଦାଉରୁ ଶ୍ରେଣୀଗୃହକୁ ସୁରକ୍ଷା ଦେବାକୁ ଯେମିତି କଷ୍ଟେମଷ୍ଟେ ଚେଷ୍ଟା କରାଯାଇଛି। ସ୍କୁଲ୍‌ ପରିସରରେ ପିଲାମାନଙ୍କ ପାଇଁ ପାଇଖାନା ଗଢ଼ିବାକୁ ଉଦ୍ୟମ ତ ହୋଇଛି, କିନ୍ତୁ ଅଧଗଢ଼ା କରି ଛାଡ଼ି ଦିଆଯାଇଛି। ରାତି ହେଲେ ସ୍କୁଲ୍‌ ବାରଣ୍ଡା ପାଲଟିଯାଉଛି ଅଘୋଷିତ ବାର୍‌। ଅର୍ଥାତ ପିଲାମାନେ ସ୍କୁଲ୍‌ରେ ପଶିବା ପରେ ମଦବୋତଲ ଗୋଟେଇ ରଖିବା ପରେ ଶ୍ରେଣୀଗୃହକୁ ଯିବେ। ପାଚେରିଟିଏ ନଥିବାରୁ ସାମ୍ନା ବାଡ଼ରେ ଧୁଆ ଲୁଗା ଶୁଖାଯିବା ବି ଏମାନଙ୍କୁ ବ୍ୟଥିତ କରିଛି। ଏକଥା ଆମେ ନୁହେଁ ବରଂ ସେମାନେ ନିଜେ ହିଁ ଏସବୁକୁ ଆମ ଆଗରେ ସ୍ୱୀକାର କରିଛନ୍ତି। ପଞ୍ଚମ ଶ୍ରେଣୀର ଛାତ୍ର ଗୌତମ ବଶ୍ୱାଳ ଯେତେବେଳେ ଏସବୁ ବଖାଣୁଥିଲେ ତାଙ୍କ ମନରେ ଟିକେ ବି ଛନ୍ଦ କପଟ ନଥିଲା। କହିଥିଲେ, କିଛି କର କି ନକର କିନ୍ତୁ ଆମ ସ୍କୁଲ୍‌ ଘର ଗଢ଼ିଦିଅ। ଆମ ପାଇଁ ସାର୍‌ ଗୁରମା ଯୋଗାଡ଼ କରିଦିଅ।
ନିୟମ ଅନୁଯାୟୀ ବିଦ୍ୟାଳୟରେ ପ୍ରତି ୩୦ ଜଣ ଛାତ୍ରଛାତ୍ରୀରେ ଜଣେ ଲେଖାଏଁ ଶିକ୍ଷକ ରହିବା ଉଚିତ୍‌। କିନ୍ତୁ ଏଠି ୧୦୦ ଜଣଙ୍କ ପାଇଁ ଅଛନ୍ତି ଜଣେ ମାତ୍ର ଶିକ୍ଷୟିତ୍ରୀ। ସବୁଠୁ ବଡ଼ ବିଡ଼ମ୍ବନା ଯେ ଶିକ୍ଷକ ଅଭାବରୁ ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ପିଲା ଏକାଠି ଗୋଟିଏ ଶ୍ରେଣୀଗୃହରେ ପଢ଼ନ୍ତି। ପୁଣି ଯଦି ଶିକ୍ଷୟିତ୍ରୀ ଗୋଟେ ଶ୍ରେଣୀରେ ପିଲାମାନଙ୍କୁ ପଢ଼ାଇବାକୁ ଯାଆନ୍ତି ଅନ୍ୟ ଶ୍ରେଣୀ ପିଲାଏ ନିଜେ ନିଜର ଶିକ୍ଷକ ପାଲଟିଯାଆନ୍ତି। ଜଣେ ଅଧିକାରୀଙ୍କଠୁ ମିଳିଥିବା ସୂଚନା ମୁତାବକ ‘ସର୍ବଶିକ୍ଷା ଅଭିଯାନ’ ପାଇଁ କେନ୍ଦ୍ର ସରକାର ୬୦ ପ୍ରତିଶତ ଓ ରାଜ୍ୟ ସରକାର ୪୦ ପ୍ରତିଶତ ଅନୁଦାନ ଦିଅନ୍ତି। ଅର୍ଥାତ ରାଜ୍ୟ ସରକାର ଯଦି ୪୦ ପ୍ରତିଶତ ଦେଇପାରନ୍ତି, ତା’ପରେ ଯାଇ କେନ୍ଦ୍ର ସରକାର ସେହି ଅନୁପାତରେ ଅନୁଦାନ ଦିଅନ୍ତି। ୨୦୧୭-୧୮ ଶିକ୍ଷା ବର୍ଷରେ କେନ୍ଦ୍ର ସରକାର ଓଡ଼ିଶାରେ ‘ସର୍ବଶିକ୍ଷା ଅଭିଯାନ’ ପାଇଁ ୨୪୮୨ କୋଟି ଟଙ୍କାର ବ୍ୟୟ ବରାଦ କରିଥିବା ବେଳେ ରାଜ୍ୟ ସରକାର ନିଜ ବଜେଟ୍‌ରୁ ଏହି ଯୋଜନାରେ ୪୦ ପ୍ରତିଶତ ବି ଖର୍ଚ କରିପାରିଲେ ନାହିଁ। ତେଣୁ କେନ୍ଦ୍ର ସରକାର ମାତ୍ର ୧୪ଶହ କୋଟି ଟଙ୍କା ଏ ବାବଦରେ ଦେଇଥିଲେ। ତେଣୁ ଯୋଜନା କରିଥିଲେ ବି ରାଜ୍ୟ ସରକାର ୪୦ ପ୍ରତିଶତ ଅନୁଦାନ ଯୋଗାଡ଼ କରି ନପାରିବା ସରକାରଙ୍କ ପାରିବା ପଣିଆରେ ପ୍ରଶ୍ନବାଚୀ ଲଗେଇଛି। ଯାହାର ଗଭୀର ପ୍ରଭାବ ପଡ଼ିଛି ଆଦିବାସୀ ଗାଁ ପ୍ରାଥମିକ ବିଦ୍ୟାଳୟ ଭଳି ବିଦ୍ୟାଳୟ ଉପରେ। କେଉଁଠି ୨ଶହ ପିଲାରେ ୧୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଥିବା ବେଳେ ଏହି ବିଦ୍ୟାଳୟକୁ ଏମିତି ହତାଦାର କରିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।

Share Now:

Kalinga News Beuro

Leave a Reply

Next Post

ଓଡ଼ିଶାରେ ଖୋଲିବ କୃପାଳୁ ବିଶ୍ୱବିଦ୍ୟାଳୟ

Mon Apr 9 , 2018
ଯୋଗ, ପ୍ରାକୃତିକ ଚିକିତ୍ସା, ଦର୍ଶନ, ଧର୍ମ ବିଷୟରେ ହେବ ପାଠପଢ଼ା ବାଙ୍କୀ ଅନ୍ତର୍ଗତ ବାଅାଁରାରେ ୧୦୦ଏକର ଜମି ମିଳିଛି ଭୁବନେଶ୍ୱର : ଓଡ଼ିଶାରେ ଖୁବ୍‌ଶୀଘ୍ର ଜଗତ୍‌ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଖୋଲିବାକୁ ଯାଉଛି। ଏହି ବେସରକାରୀ ବିଶ୍ୱବିଦ୍ୟାଳୟ ଖୋଲିବା ସଂକ୍ରାନ୍ତ ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି। ଖୁବ୍‌ ଶୀଘ୍ର ଏ ସଂକ୍ରାନ୍ତରେ ବିଧିବଦ୍ଧ ଆଇନ୍‌ ପ୍ରଣୟନ ଲାଗି ବିଧାନସଭାରେ ବିଲ୍‌ ଆଗତ ହେବାର ସମ୍ଭାବନା ରହିଛି। ଜଗତ୍‌ଗୁରୁ କୃପାଳୁ ଯୋଗ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial