ଶୀତ ଦିନରେ ପାଣି ପାଇଁ ଦହଗଞ୍ଜ ୪୦ ପରିବାର

ଆଳି: ଶୀତ ଦିନେ ବି ଘାରିଛି ପାଣି ଚିନ୍ତା। ପାଇପରେ ପାଣି ଆସୁ ନଥିବାରୁ ଘରଠାରୁ ଦୂରକୁ ଯାଇ ଧାଡ଼ି ବାନ୍ଧି ପାଣି ଆଣୁଛନ୍ତି ୪୦ ପରିବାର। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ପତ୍ରପୁର ପଞ୍ଚାୟତ ଭରତପୁର ଗ୍ରାମର ଏହି ୪୦ ପରିବାର ଶୀତ ଦିନେ ବି ଏଭଳି ସ୍ଥିତିର ସାମନା କରୁଥିବା ବେଳେ ଆଗକୁ ଖରା ଆସିଲେ ସେମାନଙ୍କ ଅବସ୍ଥା କଣ ହେବ ତାହାକୁ ନେଉ ଗ୍ରାମବାସୀଙ୍କ ଚିନ୍ତା ବଢୁଛି। ତଥ୍ୟ ଅନୁଯାୟୀ ଅଞ୍ଚଳରେ ପାଣି ପ୍ରକଳ୍ପ ସ୍ଥାପନ ହୋଇଛି। ଗାଁରେ ପାଇପ୍ ବିଛା ଯାଇଛି। ଘରକୁ ଘର ପ୍ରତି ଘରକୁ ପାଇପ ସଂଯୋଗ ହୋଇଛି। ହେଲେ ଗ୍ରାମବାସୀ ପାନୀୟଜଳ ଟୋପାଏ ପାଇଁ ବର୍ଷକ ବାରମାସ ଦହଗଞ୍ଜ ହେଉଛନ୍ତି ଗ୍ରାମର ୪୦ ପରିବାର। ଏ ଘଟଣା ମାସେ କି ଦୁଇ ମାସର ନୁହେଁ, ବରଂ ବର୍ଷବର୍ଷ ଧରି ଏଭଳି ସମସ୍ୟା ଭୋଗୁଛନ୍ତି ଏହି ଗ୍ରାମବାସୀ। ସମସ୍ୟାର ସମାଧାନ ପାଇଁ ପଞ୍ଚାୟତର ସରପଞ୍ଚ, ପାନୀୟଜଳ ବିଭାଗୀୟ ଯନ୍ତ୍ରୀ ଓ ବିଡିଓଙ୍କ ନିକଟକୁ ବର୍ଷବର୍ଷ ଧରି ଦୌଡିବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ। ଗ୍ରାମବାସୀଙ୍କୁ ଶୁଦ୍ଧ ପାନୀୟଜଳ ଯୋଗାଣ ନିମନ୍ତେ ୫ ବର୍ଷ ତଳେ ପ୍ରକଳ୍ପ ସ୍ଥାପନ କରାଯାଇ ଭରତପୁର ଗାଁକୁ ପାଇପ ବିଛା ଯାଇଥିଲା ଓ ପ୍ରତି ଘରକୁ ପାଇପ୍ ଲାଇନ୍ ସଂଯୋଗ କରାଯାଇଥିଲା। ଗାଁର ବିଭିନ୍ନ ସ୍ଥାନରେ ଷ୍ଟାଣ୍ଡପୋଷ୍ଟ ମଧ୍ୟ ନିର୍ମାଣ କରାଯାଇଥିଲା।
ଏହି ପ୍ରକଳ୍ପ ମାଧ୍ୟମରେ ଗ୍ରାମବାସୀ ପିଇବା ପାଣି ପାଉଥିଲେ। ଜଳକଷ୍ଟ ଦୂର ହେଲା ବୋଲି ଗ୍ରାମବାସୀ ଆଶ୍ୱସ୍ତ ଥିଲେ। ହେଲେ ଦୁଇବର୍ଷରୁ ଉର୍ଦ୍ଧ୍ୱ ହେଲା ପାଇପ୍ ପାଣି ଆସିବା ଠପ୍ ହୋଇଯାଇଛି। ବିଭିନ୍ନ ଦପ୍ତରକୁ ଦୌଡିଦୌଡି ନୟାନ୍ତ ହେବା ପରେ ମଧ୍ୟ କେହି ଶୁଣୁ ନାହାନ୍ତି ବୋଲି ଗ୍ରାମବାସୀ ସୌଭାଗ୍ୟ ରାଉତ, ସାବିତ୍ରୀ ସାହୁ, ପ୍ରମୋଦ ସାହୁ, ଶିବୁ ତରାଇ, ତପସ୍ୱିନୀ ସାହୁ, ହୃଷୀକେଶ ମହାରଣା ଓ ଦେବାଶିଷ ସାହୁ ପ୍ରମୁଖ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଆଳି ବିଡିଓ ମିନତି ଜଗଦ୍ଦେବ କହିଛନ୍ତି ଯେ ସଂପୃକ୍ତ ପାନୀୟଜଳ ପ୍ରକଳ୍ପର ଶେଷସୀମାରେ ଭରତପୁର ଗ୍ରାମ ରହିଛି। ପ୍ରକଳ୍ପ ପାଖାପାଖି ଗ୍ରାମଗୁଡିକ ପାନୀୟଜଳର ଅପଚୟ କରି କୃଷି ଓ ଅନ୍ୟ କାମରେ ଲଗାଉଛନ୍ତି। ଏଥିପାଇଁ ଭରତପୁର ଗାଁରେ ଏଭଳି ସମସ୍ୟା ଦେଖାଦେଇଛି। ତେବେ ପ୍ରଶ୍ନ ଉଠୁଛି ପାନୀୟଜଳର ବେଆଇନ ଉପଯୋଗ ଓ ଅପବ୍ୟବହାର ରୋକିବା ଦାୟିତ୍ୱ କାହାର? ଜଳ ଅପଚୟ ରୋକା ଯାଉନାହିଁ କାହିଁକି? ଘଟଣା ଯାହା ହେଉନା କାହିଁକି ଜରୁରିକାଳୀନ ଭିତ୍ତିରେ ଭରତପୁର ଗ୍ରାମର ପାନୀୟଜଳ ସଂକଟ ଦୂର କରାଯାଇ ଜଳଯୋଗାଣ ପାଇଁ ମତ ପ୍ରକାଶ ପାଇଛି।

Share Now:

Kalinga News Beuro

Next Post

ଜାନୁଆରି ୬ରୁ ଓର୍‌ମାସ ‘ଶିଶିର ସରସ-୨୦୨୪’ : ବରମୁଣ୍ଡା ପଡ଼ିଆରେ ୨୬ଟି ରାଜ୍ୟର ୪୦୦ ଷ୍ଟଲ୍

Fri Jan 5 , 2024
ଖଣ୍ଡଗିରି: ଜାତୀୟସ୍ତରୀୟ ହସ୍ତତନ୍ତ, ହସ୍ତଶିଳ୍ପ ଓ ଖାଦ୍ୟ ମସଲାର ମେଳା ‘ଶିଶିର ସରସ-୨୦୨୪’ ଜାନୁଆରି ୬ ତାରିଖରୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅନ୍ତର୍ଗତ ଓର୍‌ମାସ ପକ୍ଷରୁ ଆରମ୍ଭ ହେବ। ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଓର୍‌ମାସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial