ଓଡ଼ିଶାରେ ଖୋଲିବ କୃପାଳୁ ବିଶ୍ୱବିଦ୍ୟାଳୟ

ଯୋଗ, ପ୍ରାକୃତିକ ଚିକିତ୍ସା, ଦର୍ଶନ, ଧର୍ମ ବିଷୟରେ ହେବ ପାଠପଢ଼ା
ବାଙ୍କୀ ଅନ୍ତର୍ଗତ ବାଅାଁରାରେ ୧୦୦ଏକର ଜମି ମିଳିଛି

ଭୁବନେଶ୍ୱର : ଓଡ଼ିଶାରେ ଖୁବ୍‌ଶୀଘ୍ର ଜଗତ୍‌ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଖୋଲିବାକୁ ଯାଉଛି। ଏହି ବେସରକାରୀ ବିଶ୍ୱବିଦ୍ୟାଳୟ ଖୋଲିବା ସଂକ୍ରାନ୍ତ ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି। ଖୁବ୍‌ ଶୀଘ୍ର ଏ ସଂକ୍ରାନ୍ତରେ ବିଧିବଦ୍ଧ ଆଇନ୍‌ ପ୍ରଣୟନ ଲାଗି ବିଧାନସଭାରେ ବିଲ୍‌ ଆଗତ ହେବାର ସମ୍ଭାବନା ରହିଛି। ଜଗତ୍‌ଗୁରୁ କୃପାଳୁ ଯୋଗ ଟ୍ରଷ୍ଟ ଏହି ବିଶ୍ୱବିଦ୍ୟାଳୟ କଟକ ଜିଲ୍ଲାର ବାଙ୍କୀ ଅନ୍ତର୍ଗତ ବାଅାଁରାଠାରେ ପ୍ରତିଷ୍ଠା କରିବ। ଏଥିପାଇଁ ରାଜ୍ୟ ସରକାର ଶହେ ଏକର ଜାଗା ଯୋଗାଇ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଜଗତ୍‌ଗୁରୁ କୃପାଳୁ ଟ୍ରଷ୍ଟ ଓଡ଼ିଶାରେ ଏକ ବୈଦିକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ୨୦୦୮ ମସିହାରେ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲା। ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେଲେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ବିଶ୍ୱବିଦ୍ୟାଳୟ ସଂଖ୍ୟା ୧୮କୁ ବୃଦ୍ଧି ପାଇବ। ଏହି ବିଭାଗ ଅଧୀନରେ ଏବେ ୫ଟି ବେସରକାରୀ ବିଶ୍ୱବିଦ୍ୟାଳୟ ରହିଛି।

ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ଛଡ଼ା ଓଡ଼ିଶାରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି ଓ କୃଷି ବିଭାଗ ଅଧୀନରେ ମଧ୍ୟ ଆଉ କେତେକ ବିଶ୍ୱବିଦ୍ୟାଳୟ ରହିଛି। ଜଗତ୍‌ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ପାଇଁ ଟ୍ରଷ୍ଟର ଆବେଦନକୁ ତନଖି କରି ଉଚ୍ଚଶିକ୍ଷା ବିଭାଗ ସରକାରଙ୍କ ଅନୁମୋଦନ ପାଇଁ ପ୍ରସ୍ତାବ ଦେଇଥିଲା। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ଉକ୍ତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି।

ପ୍ରସ୍ତାବିତ ଏହି ବିଶ୍ୱବିଦ୍ୟାଳୟରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଯୋଗ, ପ୍ରାକୃତିକ ଚିକିତ୍ସା, ଦର୍ଶନ, ଧର୍ମ ଆଦି ବିଷୟରେ ଉଚ୍ଚତର ଶିକ୍ଷା ପ୍ରଦାନ କରାଯିବ। ଏହାଛଡ଼ା ରାଜ୍ୟରେ ଆୟୁଷ ଚିକିତ୍ସା ବ୍ୟବସ୍ଥାର ବିକାଶ କ୍ଷେତ୍ରରେ ଏହି ବିଶ୍ୱବିଦ୍ୟାଳୟ ସହାୟକ ହେବ।

ନାନୋ ଟେକ୍ନୋଲୋଜି, ଇଞ୍ଜିନିୟରିଂ, ମ୍ୟାନେଜ୍‌ମେଣ୍ଟ ଆଦି ପାଠ୍ୟକ୍ରମ ପାଇଁ ସଂସ୍ଥା ଆଗ୍ରହ ଦେଖାଇଥିଲେ ହେଁ, ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି ଏସବୁକୁ ଅନୁମୋଦନ ଦେଇନାହିଁ। ଯୋଗ, ପ୍ରାକୃତିକ ଚିକିତ୍ସା, ଦର୍ଶନ, ଧର୍ମ ଆଦି କ୍ଷେତ୍ରରେ ଜଗତ୍‌ଗୁରୁ କୃପାଳୁ ଯୋଗ ଟ୍ରଷ୍ଟର ଅଭିଜ୍ଞତା ଥିବାରୁ କେବଳ ସେହି କ୍ଷେତ୍ରରେ ହିଁ ସଂସ୍ଥା ଧ୍ୟାନ ଦେବା ପାଇଁ ଉଚ୍ଚଶିକ୍ଷା ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି.ଭି.ଭି ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ମତ ଦେଇଛନ୍ତି।

ପ୍ରକାଶଥାଉକି, ରାଜ୍ୟରେ ଏସିଆନ୍‌ ସ୍କୁଲ ଅଫ୍‌ ବିଜିନେସ୍‌ ମ୍ୟାନେଜ୍‌ମେଣ୍ଟ ବିଶ୍ୱବିଦ୍ୟାଳୟ ଓ ଏସିଆନ୍‌ ଇନ୍‌ଷ୍ଟଚ୍ୟୁଟ୍‌ ଅଫ୍‌ ପବ୍ଲିକ୍‌ ହେଲ୍‌ଥ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଲାଗି ପ୍ରାୟ ୬ ମାସ ତଳେ ଆଉ ଦୁଇଟି ପ୍ରସ୍ତାବ ରାଜ୍ୟ ସରକାରଙ୍କ ଦ୍ୱାରା ଗୃହୀତ ହୋଇଥିଲା। ତେବେ ସ୍ୱାସ୍ଥ୍ୟ ବିଭାଗର ତତ୍ପରତା ଦେଖାଇ ପବ୍ଲିକ୍‌ ହେଲ୍‌ଥ ବିଶ୍ୱବିଦ୍ୟାଳୟ ଗଠନ ପାଇଁ ବିଧାନସଭାରେ ବିଲ୍‌ ଆଣିବାକୁ ଉଦ୍ୟମ କରୁଛି। ହେଲେ ବିଜିନେସ୍‌ ମ୍ୟାନେଜ୍‌ମେଣ୍ଟ ବିଶ୍ୱବିଦ୍ୟାଳୟ ପାଇଁ ଏଯାବତ୍‌ ଚିଠା ବିଲ୍‌ ପ୍ରସ୍ତୁତ ହୋଇନାହିଁ।

Share Now:

Kalinga News Beuro

Leave a Reply

Next Post

ସାବଧାନ ! ଅଧିକ ଲୁଣ ଖାଉଛନ୍ତି କି ? କମିଯାଇପାରେ ଆୟୁଷ

Mon Apr 9 , 2018
ବିନା ଲୁଣରେ ଖାଦ୍ୟ ରୁଚିକର ହୋଇନଥାଏ। ଏହା ଖାଦ୍ୟକୁ ସୁସ୍ୱାଦୁ କରିଥାଏ। ଏଣୁ ଆମର ଦୈନିନ୍ଦିନ ଜୀବନରେ ଲୁଣର ଆବଶ୍ୟକତା ନିହାତି ରହିଛି । ହେଲେ ଆପଣ ଜାଣନ୍ତି ଏହି ଦରକାରୀ ଜିନିଷ ବେଳେବେଳେ ଆମର କ୍ଷତି ମଧ୍ୟ କରିଥାଏ। ସତର୍କତାର ସହ ଏହାକୁ ବ୍ୟବହାର ନକଲେ ଆପଣ ଅସୁବିଧାରେ ପଡ଼ିପାରନ୍ତି। ଆସନ୍ତୁ ଜାଣିବା ସେ ବିଷୟରେ- ଆମେରିକାର ଏକ ସର୍ବେକ୍ଷଣରୁ ଜଣାପଡିଛି ଯେଉଁ ଲୋକମାନେ ପ୍ରତିଦିନ ଦରକାରରୁ ଅଧିକ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial