ସପ୍ତସତୀ ମନ୍ଦିରରୁ ଲିଙ୍ଗିପୁର ଛକ ଯାଏ ଝଲସିଲା ପୁରୀ ବାଇପାସ୍‌

ଝଲସିଲା ପୁରୀ ବାଇପାସ୍‌

୨.୮୫କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ବହୁପ୍ରତୀକ୍ଷିତ ଭୁବନେଶ୍ବର-ପୁରୀ ବାଇପାସ୍‌ ରାସ୍ତା ଶେଷରେ ଆଲୋକିତ ହୋଇଛି। ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଏମ୍‌ସି ସହାୟତାରେ ୨.୮୫ କୋଟି ଟଙ୍କାରେ ସପ୍ତସତୀ ମନ୍ଦିର ନିକଟରୁ ଲିଙ୍ଗିପୁର ପର୍ଯ୍ୟନ୍ତ ୧୨ କିଲୋମିଟର ରାସ୍ତାରେ ହୋଇଥିବା ଆଲୋକୀକରଣ ପ୍ରକଳ୍ପକୁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ସନ୍ଧ୍ୟାରେ ଟଙ୍କପାଣି ରୋଡ୍‌ ନିକଟସ୍ଥ ସାଇ ମନ୍ଦିର ଛକରେ ସୁଇଚ୍‌ ଟିପି ଏହି ପ୍ରକଳ୍ପକୁ ଲୋକାର୍ପଣ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏଲ୍‌ଇଡି ଲାଇଟ୍‌ ଲାଗିଥିବାରୁ ବିଦ୍ୟୁତ ଖର୍ଚ୍ଚ କମ୍‌ ହେବ। ଏହି ରାସ୍ତା ଆଲୋକିତ ହେବା ଦ୍ବାରା ଗାଡ଼ିଚାଳକ ଓ ପଥଚାରୀଙ୍କ ଯାତାୟାତ ଅଧିକ ନିରାପଦ ହେବ, ସଡ଼କ ଦୁର୍ଘଟଣା କମିବା ସହିତ ଚୋରି ଓ ଲୁଟ୍‌ପାଟ୍ ଭଳି ଆପରାଧିକ କାର୍ଯ୍ୟକଳାପ କମିବ। କାର୍ଯ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଏହି ରାସ୍ତା ପୂର୍ବରୁ ନ ଥିଲା। ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରୁ ଭୁବନେଶ୍ବର ସହର ଭିତରର ଭିଡ଼ କମାଇବା ପାଇଁ ଏହି ବାଇପାସ୍‌ ନିର୍ମାଣ ହୋଇଥିଲା। ରାସ୍ତାର ଉଭୟ ପାର୍ଶ୍ବରେ ଗଢ଼ି ଉଠିଥିବା ଜନବସତିକୁ ପିଇବା ପାଣି, ରାସ୍ତା, ସ୍ବେରେଜ୍‌ ଓ ଡ୍ରେନ୍ ସୁବିଧା ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହା ନିଶ୍ଚିତ କାର୍ଯ୍ୟକାରୀ ହେବ।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଥିଲେ ଯେ ଏହି ଅଞ୍ଚଳର ଐତିହ୍ୟ ମହାନ। ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତର ଶହେ ବର୍ଷ ପୂର୍ତ୍ତି ଆମେ ପାଳନ କରୁଛୁ। ସମସ୍ତେ ଜାଣିବା ଦରକାର ଯେ ଗାନ୍ଧୀଜୀ ଦ୍ବିତୀୟଥର ପାଇଁ ଯେତେବେଳେ ଓଡ଼ିଶା ଗସ୍ତରେ ଆସିଥିଲେ, ସେତେବେଳେ ଏହି ଅଞ୍ଚଳ ଦେଇ ଆସିଥିଲେ। ସତ୍ୟଭାମାପୁର, ସରଦେଇପୁର ଡାକବଙ୍ଗଳା ମଧ୍ୟ ଦେଇ ପଦଯାତ୍ରା କରିଥିଲେ। ଆଜି ଏହି ରାସ୍ତାର ଆଲୋକୀକରଣ ହେବା ଅତ୍ୟନ୍ତ ଖୁସିର କଥା। ମୁଖ୍ୟମନ୍ତ୍ରୀ ଓ ବିଜେଡିର କିଛି ସାଂସଦଙ୍କ ଉଦ୍ୟମରେ ଏହି ପ୍ରକଳ୍ପ ସଫଳ ହୋଇପାରିଛି। କିନ୍ତୁ ନିକଟରେ ଆମ ସଂସଦୀୟ କ୍ଷେତ୍ରରୁ ମୁଁ ଯେଉଁ ସହଯୋଗ ଆଶା କରିଥିଲି, ତାହା ମିଳିନାହିଁ। ଭୁବନେଶ୍ବର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା କହିଲେ ଯେ ଭୁବନେଶ୍ବରରେ ଯେତେ ସ୍ଥାନରେ ଆଲୋକୀକରଣ ବ୍ୟବସ୍ଥା କରାଯାଇଛି, ଏହା ସବୁଠୁ ବଡ଼। ବହୁ ବାଧା ସତ୍ତ୍ବେ ଏହି ଆଲୋକୀକରଣ ପ୍ରକ୍ରିୟା ହୋଇପାରିଥିବାରୁ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥନନ୍ ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ବିଏମ୍‌ସି ପ୍ରଶାସକ ସଂଗ୍ରାମଜିତ ନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ କମିସନର ପ୍ରେମଚନ୍ଦ୍ର ଚୌଧରୀ ଧନ୍ୟବାଦ ଦେଇଥିଲେ। ଛକଛକରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସୂଚନାଯୋଗ୍ୟ ଯେ ଏହି ରାସ୍ତାରେ ୩୮୭ଟି ଖୁଣ୍ଟରେ ୧୨୦ ୱାଟ୍‌ ବିଶିଷ୍ଟ ୭୭୪ଟି ଏଲ୍‌ଇଡି ଲାଇଟ୍‌ ଲାଗିଥିବା ବେଳେ ଲିଙ୍ଗିପୁର, କେଶୁରା ଓ ପାଣ୍ଡରା ଛକଠାରେ ୩ଟି ହାଇମାଷ୍ଟ୍‌ ଲାଇଟ୍‌ ଲାଗିଛି। ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ରାଜଧାନୀରେ ଏବେ ପ୍ରାୟ ୪୦ ହଜାର ଏଲ୍‌ଇଡି ଷ୍ଟ୍ରିଟ୍‌ ଲାଇଟ୍‌ ଲାଗିଥିବା ବେଳେ ସହରର ୬୭ଟି ୱାର୍ଡରେ ବିଭିନ୍ନ ଅଞ୍ଚଳରେ ଆହୁରି ଷ୍ଟ୍ରିଟ୍‌ ଲାଇଟ୍‌ ଲାଗିବ। ପ୍ରତି ୱାର୍ଡରେ ଆଲୋକୀକରଣ ପାଇଁ ୧୦ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ ହେବ। ଏଥିପାଇଁ ୬.୭କୋଟି ଟଙ୍କା ମଞ୍ଜୁର ହୋଇଛି।
ଜାମ୍‌ ହୋଇଗଲା ବାଇପାସ୍‌
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ପୁରୀ ବାଇପାସ୍‌ରେ ବିଜୁ ଜନତା ଦଳର ଶହଶହ କର୍ମୀ ଏକତ୍ରିତ ହୋଇଥିବାରୁ ବହୁ ସାଧାରଣ ଲୋକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ଅଟକି ଯାଇଥିଲେ। ଏପଟେ ମୁଖ୍ୟମନ୍ତ୍ରୀ ବୁଲିବୁଲି ସପ୍ତସତୀ ମନ୍ଦିର ପାର୍ଶ୍ବରୁ ଆସୁଥିବାରୁ କିଛି ଅପ୍ରୀତିକର ପରିସ୍ଥିତି ଯେପରି ନ ଉପୁଜିବ, ସେଥିପାଇଁ ଏହି ରାସ୍ତାରେ ପ୍ରାୟ ୨୦ମିନିଟ ଆଗରୁ ଗାଡ଼ି ଚଳାଚଳ ବନ୍ଦ କରି ଦିଆଯାଇଥିଲା। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗାଡ଼ି ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଅଟକି ରହିଥିଲା। ଫଳରେ ଜରୁରୀ କାର୍ଯ୍ୟରେ ଯାଉଥିବା ଲୋକ ହଇରାଣ ହୋଇଥିଲେ। ମୁଖ୍ୟମନ୍ତ୍ରୀ ସଭାସ୍ଥଳରୁ ଯିବା ପରେ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଏହି ଜାମ୍‌ ଲାଗି ରହିଥିଲା।
ବୁଲିବୁଲି ଆସିଲେ ମୁଖ୍ୟମନ୍ତ୍ରୀ
ପୁରୀ ବାଇପାସ୍‌ ରାସ୍ତା‌ ଆଲୋକୀକରଣ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିବା ପାଇଁ ବହୁ ବାଟ ବୁଲିବୁଲି ଆସିଥିଲେ। ନବୀନ ନିବାସରୁ ସାଇ ମନ୍ଦିର ଛକକୁ ସବୁଠୁ କମ୍‌ ବାଟ ଭାୟା ଟଙ୍କପାଣି ରୋଡ୍‌ ହୋଇଥିଲେ ହେଁ ଏହି ରାସ୍ତାର ଦୁରବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ପ୍ରାୟ ୨୦ କିମି ବୁଲିବୁଲି ଆସିଥିଲେ। ଦୀର୍ଘ ମାସ ହେଲା ଟଙ୍କପା‌ଣି ରୋଡ୍‌ରେ ସ୍ବେରେଜ୍‌ ଲାଇନ୍ ବିଛା କାମ ଚାଲୁଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ଜୀବନ ଦୁର୍ବିଷହ ହୋଇଗଲେଣି। ସ୍ଥାନୀୟ ବାସିନ୍ଦା କିପରି କଷ୍ଟରେ ଯାତାୟାତ କରୁଛନ୍ତି, ତାହା କାଳେ ମୁଖ୍ୟମନ୍ତ୍ରୀ ଦେଖିଦେବେ। ତେଣୁ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଏଜି ଛକ, ଆଚାର୍ଯ୍ୟ ବିହାର, ରସୁଲଗଡ଼, ପଳାସୁଣି ଦେଇ ପୁରୀ ବାଇପାସ୍‌ରେ ନିଆଯାଇଥିଲା। ମୁଖ୍ୟମନ୍ତ୍ରୀ ସାଇ ମନ୍ଦିର ଛକରେ ଓହ୍ଲାଇ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଲିଙ୍ଗିପୁର ପର୍ଯ୍ୟନ୍ତ ଯାଇଥିଲେ। ସେଠାରୁ ଫେରି ପୂର୍ବ ରୁଟ୍‌ରେ ନବୀନ ନିବାସ ଯାଇଥିଲେ।

Share Now:

Kalinga News Beuro

Next Post

ଚାଷୀ ଆନ୍ଦୋଳନ: ସଂସଦ ଅଚଳ, ଚାଷୀ ଅଟଳ

Thu Feb 4 , 2021
୧୫ ଘଣ୍ଟା ଚର୍ଚ୍ଚା ପାଇଁ ସହମତି, ୩ ଆପ୍‌ ସାଂସଦ ନିଲମ୍ବିତ ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ ଚାଷୀମାନେ ନୂଆ କୃଷି ଆଇନକୁ ବିରୋଧ କରି ଦୀର୍ଘ ୭୦ ଦିନ ହେଲା ଆନ୍ଦୋଳନ ଚଳାଇଥିବା ବେଳେ ଏହି ପ୍ରସଙ୍ଗରେ ଆଜି ଲୋକସଭା ଏବଂ ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ ହୋଇଛି। ସରକାର ‘କଳା କୃଷି ଆଇନ’ ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରି ବିରୋଧୀ ଦଳ ସାଂସଦମାନେ ସ୍ଲୋଗାନ ଦେଇଥିଲେ ଏବଂ […]
ସଂସଦ ଅଚଳ ଚାଷୀ ଅଟଳ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial