ଜଲେଶପଟ୍ଟା ଆଶ୍ରମ ମୁଖ୍ୟଙ୍କୁ ହତ୍ୟା ଧମକ ଘଟଣା : ଅଭିଯୁକ୍ତ ବାବା ମହାଦେବ ମହାରାଜ ଗିରଫ

ଅଭିଯୁକ୍ତ ବାବା ମହାଦେବ ମହାରାଜ ଗିରଫ

ଧମକ ପଛରେ ଆଶ୍ରମ ଛାଡ଼ିଥିବା ବାବାଙ୍କ ପ୍ରତିଶୋଧ

ରାୟଗଡ଼ା/ଫୁଲବାଣୀ/ତୁମୁଡ଼ିବନ୍ଧ : କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ଜଲେଶପଟ୍ଟା ଆଶ୍ରମର ମୁଖ୍ୟ ସ୍ବାମୀ ଜୀବନମୁକ୍ତାନନ୍ଦଙ୍କୁ ଫୋନରେ ହତ୍ୟା ଧମକ ଦେବା ଘଟଣାରେ ପୁଲିସ୍ ରାୟଗଡ଼ା ଜିଲ୍ଲା ବିଷମକଟକରୁ ୨ ଜଣଙ୍କୁ ଉଠାଇ ନେଇଛି। ତୁମୁଡ଼ିବନ୍ଧ ପୁଲିସର ଏକ ଟିମ୍ ବିଷମକଟକ ବ୍ଲକ ବାରିଗୁଡ଼ା ଗାଁରେ ଆଶ୍ରମ କରିଥିବା ଜଣେ ବାବାଙ୍କ ସହ ଅନ୍ୟ ଜଣେ ବ୍ୟକ୍ତିକୁ ଉଠାଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଏହି ୨ ଜଣଙ୍କ ମଧ୍ୟରୁ ଅଭିଯୁକ୍ତ ବାବା ହେଲେ ମହାଦେବ ମହାରାଜ। ତାଙ୍କୁ ଗିରଫ କରାଯାଇଥିବା କନ୍ଧମାଳ ଏସ୍.ପି ଭିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି। ତେବେ, ଅନ୍ୟ ଜଣଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ସ୍ବାମୀ ଜୀବନମୁକ୍ତାନନ୍ଦଙ୍କୁ ଶନିବାର ରାତି ଓ ରବିବାର ସକାଳେ ଦୁଇ ଥର ଫୋନରେ ହତ୍ୟା ଧମକ ଆସିବା ପରେ କନ୍ଧମାଳ ପୁଲିସ୍ ଏହି ଘଟଣାକୁ ଗୁରୁତ୍ବର ସହ ନେଇଥିଲା। ଜୀବନମୁକ୍ତାନନ୍ଦଙ୍କ ମୋବାଇଲକୁ ଆସିଥିବା ଫୋନ୍ ନମ୍ବରକୁ ଟ୍ରାକିଂ କରିବା ପରେ ବିଷମକଟକ ବ୍ଲକର ବାରିଗୁଡ଼ା ଅଞ୍ଚଳରେ ଏହାର ଲୋକସେନ୍ ଦେଖାଇଥିଲା। ତୁମୁଡ଼ିବନ୍ଧ ପୁଲିସର ଏକ ଟିମ୍ ବାରିଗୁଡ଼ା ଅଭିମୁଖେ ଆସିବା ପରେ ଉକ୍ତ ନମ୍ବରକୁ ଫୋନ୍ କରିଥିଲେ। ମୋବାଇଲ୍ ସୁଇଚ୍ ଅଫ୍ ଆସିବା ପରେ ଟାୱାର୍ ଲୋକେସନକୁ ଟ୍ରାକିଂ କରି ପୁଲିସ୍ ଖୋଳତାଡ଼ ଆରମ୍ଭ କରିଥିଲା। ସ୍ବାମୀଜୀଙ୍କୁ ଧମକ ଦେବାପରେ ବାରିଗୁଡ଼ା ଗ୍ରାମର ବାବା ଲଟାଗୁଡ଼ା ଗ୍ରାମର ଜଣେ ଯୁବକ ସହ କଥା ହୋଇଥିଲେ। ପୁଲିସ୍ ଲଟାଗୁଡ଼ା ଗ୍ରାମର ଯୁବକଙ୍କ ମୋବାଇଲକୁ ଟ୍ରାକିଂ କରି ଉଠାଇବା ପରେ ଯୁବକ ଜଣଙ୍କ ବାବାଙ୍କ ଠିକଣା ସଂପର୍କରେ ସୂଚନା ଦେଇଥିଲେ। ପୁଲିସ୍ ବାରିଗୁଡ଼ା ଗାଁରେ ପହଞ୍ଚି ମଠରେ ଥିବା ବାବାଙ୍କୁ ଉଠାଇ ନେଇଥିଲା। ଏଥିସହିତ ବାବା ନିକଟସ୍ଥ ଗ୍ରାମର ଲକ୍ଷ୍ମୀନାରାୟଣ କଣ୍ଡାଗିରିଙ୍କ ନାଁରେ ମୋବାଇଲ୍ ସିମ୍ ଆଣିଥିବାରୁ ପୁଲିସ୍ ଲକ୍ଷ୍ମୀନାରାୟଣଙ୍କୁ ମଧ୍ୟ ଉଠାଇ ନେଇଥିବା ସୂଚନା ମିଳିଛି। ଆଜି କନ୍ଧମାଳ ଏସ୍‌ପି ଶ୍ରୀ ଅଗ୍ରୱାଲ ସାମ୍ବାଦିକ ସମ୍ମିଳନୀ‌ରେ କହିଛନ୍ତି ଯେ, ଗିରଫ ଅଭିଯୁକ୍ତ ଜଣକ ହେଲେ ମହାଦେବ ମହାରାଜ। ଅଭିଯୁକ୍ତ ମହାଦେବ ମହାରାଜଙ୍କ ଘର ସୁନ୍ଦରଗଡ଼ ଜିଲ୍ଲାରେ ହୋଇଥିବା ବେଳେ ପୂର୍ବରୁ ସେ ଜଲେଶପଟ୍ଟା ଆଶ୍ରମରେ କାର୍ଯ୍ୟ କରୁଥିଲେ। ମନୋମାଳିନ୍ୟ ଯୋଗୁଁ ସେ ଜଲେଶପଟ୍ଟା ଆଶ୍ରମ ଛାଡ଼ି ରାୟଗଡ଼ା ଜିଲ୍ଲା ବିଷମକଟକରେ ଏକ ଆଶ୍ରମ କରିଥିଲେ। ପ୍ରତିଶୋଧ ପରାୟଣ ହୋଇ ଅଭିଯୁକ୍ତ ମହାଦେବ ମହାରାଜ ଏଭଳି ‌ହତ୍ୟା ଧମକ ଦେଇଥିବା ସେ ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

ସାଲେପୁର ବଜାରରେ ପୁଲିସ କନେଷ୍ଟବଳଙ୍କ ଦାଦାଗିରି

Mon Feb 22 , 2021
ସାଲେପୁର : ସାଲେପୁର ବଜାରରେ ଦାଉଦ ଶାହା ନାମକ ଜନୈକ ପୁଲିସ କନେଷ୍ଟବଳଙ୍କ ଦାଦାଗିରି ଓ ବଟି ଆଦାୟକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି। ନୋ-ପାର୍କିଙ୍ଗ ଲେଖା ହୋଇନଥିବା ସ୍ଥାନରେ ଯଦି କେହି ଗାଡିମଟର ରଖୁଛନ୍ତି ତେବେ ବାବୁ ଜଣକ ତୁରନ୍ତ ପହଞ୍ଚି ଚାଲାଣ କାଟିବାକୁ କହୁଛନ୍ତି। ଯଦି କେହି ପ୍ରତିବାଦ କଲା ତେବେ କୌଣସି ପ୍ରକାରେ ଡରାଇ ଧମକାଇ ବିନା ଚାଲାଣରେ କିଛି ହାତଗୁଞ୍ଜା ନେଇ ପକେଟ ଗରମ […]
police-bbsr-2020

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial