କଟକ: ଚଣ୍ଡୀଛକ ମୁଥୁଟ୍ ଫାଇନାନ୍ସ ଲିମିଟେଡ୍ରେ ଜଣେ ଗ୍ରାହକଙ୍କ ୩୫ ଗ୍ରାମ୍ ବନ୍ଧକ ସୁନା ଭୂତ ଉଠାଇ ନେଇଗଲା। ଭୂତ ଆଫିଡେଭିଟ୍ ଦାଖଲ କରିବା ପରେ ସଂସ୍ଥା ପକ୍ଷରୁ ଆକାଉଣ୍ଟ୍ ବନ୍ଦ୍ କରିଦେଲେ। କିନ୍ତୁ ପ୍ରକୃତ ଗ୍ରାହକ ଯେତେବେଳେ ନିଜ ସୁନା ଫେରସ୍ତ କରିବାକୁ ବ୍ୟାଙ୍କ୍କୁ ଆସିଲେ, ସେତେବେଳେ ତାଙ୍କ ଆକାଉଣ୍ଟ୍ ବନ୍ଦ ହୋଇ ଯାଇଥିବା ବେଳେ କୌଣସି ସୁନା ତାଙ୍କ ନାଁରେ ନଥିବା ବ୍ୟାଙ୍କ୍ ପକ୍ଷରୁ ଦର୍ଶାଯାଇଥିଲା। ଏଭଳି କେଳେଙ୍କାରୀର ତଦନ୍ତ କରି କ୍ୟାଣ୍ଟନ୍ମେଣ୍ଟ ଥାନା ପୁଲିସ୍ ଏକ ବଡ଼ କେଳେଙ୍କାରୀର ପର୍ଦ୍ଦାଫସ କରିଛି। ପୂର୍ବତନ ମ୍ୟାନେଜର ଯାଜପୁର ପାଣିକୋଇଲିର ନିମାଇଁ ଚରଣ ସାହୁ, ବର୍ତ୍ତମାନର ଦୁଇ ଆକାଉଣ୍ଟାଣ୍ଟ୍ ଲାଲବାଗ ମେହେନ୍ଦୀପୁରର ଅମ୍ରିତ ବୋଷ, ଚାନ୍ଦିନୀଚୌକର ମାନସ ରଞ୍ଜନ ସିଂହ ଏବଂ ସୁନା ରିସିଭର୍ ମଙ୍ଗଳାବାଗ ଥୋରିଆ ସାହିର ସଂଗ୍ରାମ ପୃଷ୍ଟିକୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ଏମାନେ ସମସ୍ତେ ମିଳିମିଶି ଗ୍ରାହକଙ୍କ ଦସ୍ତଖତ ଜାଲିଆତି କରି ବନ୍ଧକ ସୁନା ଉଠାଇ ବିକ୍ରି କରିଦେଇଥିଲେ। ସୂଚନା ଅନୁଯାୟୀ, ଲାଲବାଗ ଥାନା ମାନସିଂହପାଟଣାର କଲ୍ୟାଣୀ ମହାପାତ୍ର ୨୦୧୮ ଜୁନ୍ ୭ ତାରିଖରେ ଚଣ୍ଡୀଛକ ମୁଥୁଟ୍ ଫାଇନାନ୍ସ ଲିମିଟେଡ୍ରେ ୩୫ ଗ୍ରାମ୍ ଓଜନର ସୁନା ବନ୍ଧକ ରଖିଥିଲେ। ଏହା ବଦଳରେ ୬୬ ହଜାର ଟଙ୍କା ଋଣ ଆଣିଥିଲେ। ୨୦୨୦ ଡିସେମ୍ବର ୧୫ ତାରିଖରେ ଋଣର ଷ୍ଟାଟସ୍ ଜାଣିବା ପାଇଁ ସେ ସଂସ୍ଥାର ଶାଖାକୁ ଯାଇଥିଲେ। ତାଙ୍କ ସୁନା ନିଲାମ ହୋଇଯାଇଥିବା ସଂସ୍ଥା ପକ୍ଷରୁ କୁହାଯାଇଥିଲା। ୧୬ ତାରିଖରେ ପୁଣି ସେ ସଂସ୍ଥାକୁ ଯାଇଥିଲେ। ଆଫିଡେଭିଟ୍ ଦାଖଲ କରି କଲ୍ୟାଣୀ ସୁନା ନିଜ ହେପାଜତକୁ ନେଇଥିବା ସଂସ୍ଥାର କର୍ତ୍ତୃପକ୍ଷ କଲ୍ୟାଣୀଙ୍କ ଦସ୍ତଖତ ଜାଲିଆତି କରି ବନ୍ଧକ ସୁନା ଲୁଟି ନେଇଥିବା ବେଳେ ଉକ୍ତ ଆକାଉଣ୍ଟ୍କୁ ବନ୍ଦ କରି ଦେଇଥିଲେ। ଏହି ଲୁଟ୍ ସୁନାକୁ ମଙ୍ଗଳାବାଗ ଥୋରିଆସାହିର ସଂଗ୍ରାମ ପୃଷ୍ଟିକୁ ବିକ୍ରି କରିଥିଲେ। ଏ ସଂକ୍ରାନ୍ତରେ କଲ୍ୟାଣୀ କ୍ୟାଣ୍ଟନ୍ମେଣ୍ଟ୍ ଥାନାରେ ୨୦୨୦ ଡିସେମ୍ବର୨୦ ତାରିଖରେ ଏତଲା ଦେଇଥିଲେ। ପୁଲିସ୍ ତଦନ୍ତ କରି ସଂସ୍ଥାର ତତ୍କାଳୀନ ମ୍ୟାନେଜର୍ ଯାଜପୁର ପାଣିକୋଇଲିର ନିମାଇଁ ଚରଣ ସାହୁଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।
ସୁନା ବନ୍ଧକ ନାଁରେ ଠକେଇ: ୪ ଅଭିଯୁକ୍ତ ଗିରଫ

Share Now: