ଆଜି ଫେରିଯିବ ବାଘୁଣୀ ସୁନ୍ଦରୀ

ଆଜି ଫେରିଯିବ ସୁନ୍ଦରୀ

ପହଞ୍ଚିଲେ ମଧ୍ୟପ୍ରଦେଶ ଟିମ୍, କାହ୍ନା ଅଭୟାରଣ୍ୟ ଯିବେ ଓଡ଼ିଶା ବନ ଅଧିକାରୀ

ଅନୁଗୁଳ : ସବୁ କଳ୍ପନାଜଳ୍ପନାର ଅନ୍ତ ହେବାକୁ ଯାଇଛି। ବାଘୁଣୀ ‘ସୁନ୍ଦରୀ’ ମଧ୍ୟପ୍ରଦେଶ ଫେରିଯିବାର ସମୟ ଆସି ପହଞ୍ଚିଛି। ବାଘୁଣୀକୁ ଫେରାଇ ନେବା ପାଇଁ ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ଏକ ଟିମ୍ ରବିବାର ଏଠାରେ ଆସି ପହଞ୍ଚିଥିଲାବେଳେ ବାଘୁଣୀର ବାହୁଡ଼ା ପ୍ରକ୍ରିୟା ଆରମ୍ଭ ହୋଇଛି। ସବୁ ଠିକ୍‌ଠାକ୍ ରହିଲେ ଆଜି ବାଘୁଣୀ ଏଠାରୁ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ଅଭୟାରଣ୍ୟକୁ ବିଦାୟୀ ଯାତ୍ରା ଆରମ୍ଭ କରିବ ବୋଲି ଅନୁମାନ କରାଯାଉଛି। ସାତକୋଶିଆ ବନଖଣ୍ଡର ରାଇଗୁଡ଼ା‌ରେ ଏକ ଏନକ୍ଲୋଜର ଭିତରେ ବନ୍ଦୀ ଥିବା ବାଘୁଣୀ ସୁନ୍ଦରୀକୁ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ଅଭୟାରଣ୍ୟକୁ ଫେରାଇ ନେବା ପାଇଁ ସେଠାରୁ ଏକ ଟିମ୍ ଆସି ଅନୁଗୁଳରେ ପହଞ୍ଚିଛନ୍ତି। ସକାଳେ ଏହି ୭ ଜଣିଆ ଟିମ୍ ପହଞ୍ଚିବା ପରେ ଅନୁଗୁଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆରସିସିଏଫ୍) ପ୍ରଦୀପ ରାଜ କରାଟ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପରେ ଟିମ୍ ସିଧା ଯାଇ ପହଞ୍ଚିଥିଲେ ସାତକୋଶିଆର କୋର୍‌ ଅଞ୍ଚଳରେ ଥିବା ରାଇଗୁଡା ଜଙ୍ଗଲରେ। ଏହି ଟିମ୍‌ରେ ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀ ଓ ଡାକ୍ତର ରହିଛନ୍ତି। ସେମାନେ ଜଙ୍ଗଲରେ ସୁନ୍ଦରୀର ଗତିବିଧି ଅନୁଧ୍ୟାନ କରିଥିଲେ। ତା ସ୍ବାସ୍ଥ୍ୟାବସ୍ଥା ନେଇ ମଧ୍ୟ ଓଡ଼ିଶା ବନ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହା ସହ ସୁନ୍ଦରୀକୁ ଧରିବା ପ୍ରକ୍ରିୟା ନେଇ ମଧ୍ୟ କଥାବାର୍ତ୍ତା ହୋଇଛି। ଯନ୍ତାରେ ବାଘୁଣୀ ସୁନ୍ଦରୀକୁ ଧରିବା ପାଇଁ ନିଷ୍ପତ୍ତି ଏକପ୍ରକାର ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି। ବାଘୁଣୀକୁ ଯନ୍ତାରେ ଧରିବା ପରେ ତାକୁ ମଧ୍ୟପ୍ରଦେଶ ଫେରାଇ ନିଆଯିବ। ବାଘୁଣୀକୁ ନେବା ପାଇଁ ସ୍ବତନ୍ତ୍ର ଯାନ ମଧ୍ୟ ଆସି ରାଇଗୁଡାରେ ପହଞ୍ଚି ସାରିଛି। କୌଣସି ବିଶେଷ ଅସୁବିଧା ନ ହେଲେ ଆଜି ଅପରାହ୍ନ ସୁଦ୍ଧା ଏହି ଲେଉଟାଣି ପ୍ରକ୍ରିୟା ଶେଷହେବ। ଏଥିନେଇ ଅନୁଗୁଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆରସିସିଏଫ୍) ପ୍ରଦୀପ ରାଜ କରାଟ କହିଛନ୍ତି ଯେ, କାହ୍ନା ଅଭୟାରଣ୍ୟର ଟିମ୍ ରବିବାର ଦିନ ଏଠାରେ ପହଞ୍ଚିବା ପରେ ରାଇଗୁଡା ଯାଇଛନ୍ତି। ସେମାନେ ସେଠାରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଆସନ୍ତାକାଲି କିମ୍ବା ଦୁଇଦିନ ଭିତରେ ସେମାନେ ସୁନ୍ଦରୀକୁ ଫେରାଇନେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ଏପଟେ ସୁନ୍ଦରୀର ଲେଉଟାଣି ସମୟରେ ସାତକୋଶିଆରୁ ଏକ ଟିମ୍ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟକୁ ଯିବ। ସେମାନେ ମଧ୍ୟପ୍ରଦେଶ ଟିମ୍ ସହ ମିଶି ବାଘୁଣୀ ସୁନ୍ଦରୀକୁ ଫେରାଇ ନେବେ। ଏଥିରେ ୫ରୁ ଅଧିକ ଅଧିକାରୀ ଓ କର୍ମଚାରୀ ରହିବେ ବୋଲି ସୂଚନା ମିଳିଛି। ଅନୁଗୁଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆରସିସିଏଫ୍) ପ୍ରଦୀପ ରାଜ କରାଟ ଏହି ସୂଚନା ଦେବା ସହ କହିଛନ୍ତି ଯେ ବାଘୁଣୀକୁ ସେଠାରେ ନେଇ ଛାଡିବା ଆମର ଦାୟିତ୍ବ। ଏଥିପାଇଁ ଏଠାରୁ ମଧ୍ୟ ଏକ ଟିମ୍ ବାଘୁଣୀ ସହ ଯିବ ବୋଲି କହିଛନ୍ତି।

Share Now:

Kalinga News Beuro

Next Post

‘ମୋ କଲେଜ’ ଅଭିଯାନ ଆରମ୍ଭ: ସାମିଲ୍‌ ହେଲେ ୭୫୫ ଶିକ୍ଷାନୁଷ୍ଠାନ

Mon Mar 22 , 2021
ପୁରାତନ ଛାତ୍ରଛାତ୍ରୀଙ୍କ ଅବଦାନ ଉଚ୍ଚଶିକ୍ଷାକୁ ଆଗକୁ ନେବ: ମୁଖ୍ୟମନ୍ତ୍ରୀ ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ‘ମୋ କଲେଜ’ ଅଭିଯାନ। ରାଜ୍ୟରେ ଥିବା ସରକାରୀ ଓ ଅନୁଦାନପ୍ରାପ୍ତ ବିଶ୍ବବିଦ୍ୟାଳୟ, ମହାବିଦ୍ୟାଳୟଗୁଡ଼ିକର ପୁରାତନ ଛାତ୍ରଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନ ସହ ଯୋଡ଼ିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି ଅଭିଯାନର ୱେବ୍‌ ପୋର୍ଟାଲକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଉଚ୍ଚଶିକ୍ଷାର ଭିତ୍ତିଭୂମି ବୃଦ୍ଧି ପାଇଁ […]
‘ମୋ କଲେଜ’ ଅଭିଯାନ ଆରମ୍ଭ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial