‘ମୋ କଲେଜ’ ଅଭିଯାନ ଆରମ୍ଭ: ସାମିଲ୍‌ ହେଲେ ୭୫୫ ଶିକ୍ଷାନୁଷ୍ଠାନ

‘ମୋ କଲେଜ’ ଅଭିଯାନ ଆରମ୍ଭ

ପୁରାତନ ଛାତ୍ରଛାତ୍ରୀଙ୍କ ଅବଦାନ ଉଚ୍ଚଶିକ୍ଷାକୁ ଆଗକୁ ନେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ‘ମୋ କଲେଜ’ ଅଭିଯାନ। ରାଜ୍ୟରେ ଥିବା ସରକାରୀ ଓ ଅନୁଦାନପ୍ରାପ୍ତ ବିଶ୍ବବିଦ୍ୟାଳୟ, ମହାବିଦ୍ୟାଳୟଗୁଡ଼ିକର ପୁରାତନ ଛାତ୍ରଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନ ସହ ଯୋଡ଼ିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି ଅଭିଯାନର ୱେବ୍‌ ପୋର୍ଟାଲକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଉଚ୍ଚଶିକ୍ଷାର ଭିତ୍ତିଭୂମି ବୃଦ୍ଧି ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ତେବେ ପୁରାତନ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିଗତ ଅବଦାନ ଏଥିରେ ଯାଦୁକରୀ ସ୍ପର୍ଶ ଦେବ। ‘ମୋ ସ୍କୁଲ’ ପରି ‘ମୋ କଲେଜ’ ପ୍ରତି ପୁରାତନ ଛାତ୍ରଛାତ୍ରୀ ଆଗ୍ରହ ଦେଖାଇବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି। ଶ୍ରୀ ପଟ୍ଟନାୟକ ଆହୁରି କହିଲେ, ଓଡ଼ିଆ ଆଲୁମିନିଙ୍କୁ ପୁନଃସଂଯୋଗ କରିବା ପାଇଁ ଏହି ଅଭିଯାନ ଏକ ପ୍ଲାଟଫର୍ମ ଅଟେ। କେବଳ ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ଅଭିଯାନ ସୀମିତ ରହିନି। ଚାରିଟେବୁଲ୍‌ ଟ୍ରଷ୍ଟ, ବିଭିନ୍ନ ଗୋଷ୍ଠୀ, ବ୍ୟକ୍ତିବିଶେଷ ଓ ଅନ୍ୟାନ୍ୟ ଅନୁଷ୍ଠାନ ମଧ୍ୟ ଏଥିରେ ସାମିଲ ହୋଇପାରିବେ। ସମସ୍ତଙ୍କ ସହଯୋଗରେ କଲେଜ ଓ ବିଶ୍ବବିଦ୍ୟାଳୟଗୁଡ଼ିକ ଅଧ୍ୟୟନ ପାଇଁ ଏକ ଅଭିନବ ତଥା ରୋମାଞ୍ଚକ ସ୍ଥାନ ହୋଇପାରିବ। ଆମେ ସମସ୍ତେ ନିଜ ନିଜ ଆଲମା ମ୍ୟାଟର୍ସକୁ ଫେରାଇବାର ଆନନ୍ଦ ଅନୁଭବ କରିବା ଉଚିତ, ଯେଉଁଠାରେ ଆମେ ଆମର ଯୌବନର ଜୀବନ୍ତ ସମୟ ଉପଭୋଗ କରିଥିଲୁ ଏବଂ ଭବିଷ୍ୟତକୁ ଆକୃଷ୍ଟ କରିଥିଲୁ।

ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଯୋଗଦେଇ କହିଲେ ସରକାରୀ, ସରକାରୀ ଅନୁଦାନପାପ୍ତ କଲେଜ ଓ ବିଶ୍ବବିଦ୍ୟଳୟ, ମେଡିକାଲ କଲେଜ, ଇଞ୍ଜିନିୟରିଂ କଲେଜ, କୃଷି ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ, ପଲିଟେକ୍‌ନିକ୍ ପରି ୭୫୫ ଶିକ୍ଷାନୁଷ୍ଠାନ ଏହି ଅଭିଯାନରେ ସାମିଲ ‌ହୋଇଛନ୍ତି। ଆମେ ଯେଉଁଠି ପଢ଼ିଛେ, ବଢ଼ିଛେ ସେଥିପାଇଁ ଆନ୍ତରିକତା ରହିଛି। ଅତୀତର ପୃଷ୍ଠଭୂମି ସହ ଯୋଡ଼ି ହେବା ଲାଗି ଏହା ବଡ଼ ପ୍ଲାଟଫର୍ମ। ‘ମୋ କଲେଜ’ ଅଭିଯାନରେ ପୁରାତନ ଛାତ୍ରଛାତ୍ରୀ ଯେତିକି ଅନୁଦାନ ଦେବେ ତାହାର ଦୁଇ ଗୁଣ ଅର୍ଥ ରାଜ୍ୟ ସରକାର ଯୋଗାଇଦେବେ। ଏଥିପାଇଁ ଏକ କର୍ପସ ପାଣ୍ଠି ଗଠନ କରାଯାଇଛି। ପୁରାତନ ଛାତ୍ରଛାତ୍ରୀ ସ୍ବେଚ୍ଛାକୃତ ଭାବେ ଅର୍ଥ, ସାମଗ୍ରୀ ଓ ସେବା ଦେଇପାରିବେ। ଶିକ୍ଷା ପାଇଁ ରାଜ୍ୟ ସରକାର ବଜେଟ୍‌ରେ ୨୦ରୁ ୨୨% ଅର୍ଥ ଖର୍ଚ୍ଚ କରୁଛନ୍ତି। ଏବେ ସମୟ ଆସିଛି ଅତୀତ ସହ ‌ଯୋଡ଼ି ହୋଇ ଓଡ଼ିଶାକୁ ବିଶ୍ବସ୍ତରକୁ ନେବା। ‘ମୋ କଲେଜ’ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସନାୟକ ସ୍ବାଗତ ଭାଷଣ ଦେଇ କହିଲେ ପୁରାତନ ଛାତ୍ରଛାତ୍ରୀ କଲେଜ ସହ ଯୋଡ଼ି ହୋଇ ସାମଗ୍ରିକ ବିକାଶରେ ସାମିଲ ହୋଇପାରିବେ। ଅର୍ଥ ବ୍ୟତୀତ କମ୍ପ୍ୟୁଟର, ଲାଇବ୍ରେରି, ଲାବୋରୋଟାରି, ଡିଜିଟାଲ କଲେଜ, ନିଯୁକ୍ତି ଓ ଶିଳ୍ପ ସହ ସଂଯୋଗ, କ୍ୟାରିଅର ବିଲ୍‌ଡିଂ ଆଦି କାର୍ଯ୍ୟକ୍ରମରେ ପୁରାତନ ଛାତ୍ରଛାତ୍ରୀ ସାମିଲ ହୋଇପାରିବେ। ଏହି ଅଭିଯାନ ଛାତ୍ରଛାତ୍ରୀଙ୍କ ଉତ୍ସାହ ବଢ଼ାଇବା ସହ ଆଗାମୀ ପିଢ଼ି ପାଇଁ ଏହା ଏକ ବଳିଷ୍ଠ ମାଧ୍ୟମ ହେବ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଏହି ଅଭିଯାନ ବହୁ ପୁରାତନ ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ଲାଟଫର୍ମ ହେବ। କଲେଜ ଓ ବିଶ୍ବବିଦ୍ୟାଳୟର ଶୈକ୍ଷିକ ବାତାବରଣରେ ଉନ୍ନତି ଆଣିବ। ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ, ଅଧ୍ୟାପକ, ଛାତ୍ରଛାତ୍ରୀ ସାମିଲ ହୋଇ କ୍ୟାମ୍ପସରେ ଉନ୍ନତି ଆଣିପାରିବେ। ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ’ମୋ କଲେଜ’ ସମ୍ପର୍କିତ କ୍ଷୁଦ୍ର ଚଳଚ୍ଚିତ୍ର, ଏକ ସଙ୍ଗୀତ ଭିଡିଓ, ଆନିମେସନ ଭିଡିଓ ପ୍ରଦର୍ଶିତ ହୋଇଥିଲା। ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିଥିଲେ।

Share Now:

Kalinga News Beuro

Next Post

ରାଜଧାନୀରେ ବର୍ଷା ଜଳ ସଂରକ୍ଷଣ ଯୋଜନା ଫେଲ୍

Mon Mar 22 , 2021
ବିଏମ୍‌ସି, ବିଡିଏ ଯୋଜନା ବାଟବଣା ଭୁବନେଶ୍ବର : ‘ବର୍ଷାକୁ ଧର, ଯେଉଁଠି ପଡ଼ୁଛି, ଯେତେବେଳେ ପଡ଼ୁଛି।’ ଖରାଦିନେ ସାରା ଦେଶରେ ଜଳ ସଙ୍କଟ ପରିସ୍ଥିତି ସୃଷ୍ଟି ହେଉଥିବାରୁ ବର୍ଷା ଜଳ ସଂରକ୍ଷଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଏହି ଆହ୍ବାନ ଦେଇଥିଲେ। ପ୍ରଧାନମନ୍ତ୍ରୀ ଏବେ ଏହି ଆହ୍ବାନ ଦେବା ପଛର କାରଣ ହେଲା ବର୍ଷା ଜଳ ସଂରକ୍ଷଣ ପାଇଁ ବିଭିନ୍ନ ରାଜ୍ୟ […]
ରାଜଧାନୀରେ ବର୍ଷା ଜଳ ସଂରକ୍ଷଣ ଯୋଜନା ଫେଲ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial