ରାଜଧାନୀରେ ବର୍ଷା ଜଳ ସଂରକ୍ଷଣ ଯୋଜନା ଫେଲ୍

ରାଜଧାନୀରେ ବର୍ଷା ଜଳ ସଂରକ୍ଷଣ ଯୋଜନା ଫେଲ୍‌

ବିଏମ୍‌ସି, ବିଡିଏ ଯୋଜନା ବାଟବଣା

ଭୁବନେଶ୍ବର : ‘ବର୍ଷାକୁ ଧର, ଯେଉଁଠି ପଡ଼ୁଛି, ଯେତେବେଳେ ପଡ଼ୁଛି।’ ଖରାଦିନେ ସାରା ଦେଶରେ ଜଳ ସଙ୍କଟ ପରିସ୍ଥିତି ସୃଷ୍ଟି ହେଉଥିବାରୁ ବର୍ଷା ଜଳ ସଂରକ୍ଷଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଏହି ଆହ୍ବାନ ଦେଇଥିଲେ। ପ୍ରଧାନମନ୍ତ୍ରୀ ଏବେ ଏହି ଆହ୍ବାନ ଦେବା ପଛର କାରଣ ହେଲା ବର୍ଷା ଜଳ ସଂରକ୍ଷଣ ପାଇଁ ବିଭିନ୍ନ ରାଜ୍ୟ ସରକାର ବହୁ ନିୟମ କରିଥିଲେ ବି କେହି ଏହାକୁ ମାନୁନାହାନ୍ତି। ସମାନ ସ୍ଥିତି ଭୁବନେଶ୍ବରରେ। ରାଜଧାନୀରେ ବର୍ଷା ଜଳ ଅମଳ ଯୋଜନା କାର୍ଯ୍ୟକାରୀ କରିବା ନେଇ ବିଡିଏ ପକ୍ଷରୁ ଦୀର୍ଘ ବର୍ଷ ହେଲା ନିୟମ ଅଛି। ରାଜଧାନୀରେ ପ୍ରତି ଘରେ ବର୍ଷା ଜଳ ପୁନଃବ୍ୟବହାର, ବର୍ଷା ଜଳ ସଂରକ୍ଷଣ, ଭୂତଳ ଜଳ ସଂରକ୍ଷଣ ବ୍ୟବସ୍ଥା କରିବାକୁ ବିଡିଏ (ପ୍ଲାନିଂ ଏବଂ ବିଲଡିଂ ଷ୍ଟାଣ୍ଡାର୍ଡସ) ନିୟମରେ ଉଲ୍ଲେଖ ଅଛି। ହେଲେ ଏହାକୁ କେହି ମାନୁନାହାନ୍ତି। ବିଡିଏ ଓ ବିଏମ୍‌ସି ନିୟମ କେବଳ ଘର ପ୍ଲାନ୍ ଆବେଦନ ସମୟରେ ଦେଖିବାକୁ ଅଛି, ଲୋକ ପାଳନ କରୁଛନ୍ତି କି ନାହିଁ ତାହା ଦେଖିବାକୁ କେହି ନାହାନ୍ତି। ଯେଉଁଥିପାଇଁ ଆଜି ରାଜଧାନୀରେ ଭୂତଳ ଜଳସ୍ତର ବହୁତ କମିଗଲାଣି। ଏପରିକି ଲୋକଙ୍କ କୂଅ, ନଳକୂପ, ବୋରୱେଲ ଖରା ୪ମାସ ଶୁଖିଯାଉଛି। ସବୁଠୁ ବିଡ଼ମ୍ବନାର ବିଷୟ, ରାଜଧାନୀରେ ଏବେ ଯିଏ ଘର କରିବା ପାଇଁ ବିଏମ୍‌ସି ଓ ବିଡିଏରୁ ଛୋଟ ହେଉ କି ବଡ଼ ଘର ନିର୍ମାଣ କରିବା ପାଇଁ ପ୍ଲାନ୍ ଆବେଦନ କରୁଛନ୍ତି; ସେଥିରେ ସମସ୍ତେ ବର୍ଷା ଜଳ ଅମଳ ବ୍ୟବସ୍ଥା ଦେଖାଉଛନ୍ତି। ଏହା ନ ଦେଖାଇଲେ ପ୍ଲାନ୍ ଅନୁମୋଦନ ହେବନି ବୋଲି ନିୟମ ଥିବାରୁ ଆର୍କିଟେକ୍ଟ ନକ୍ସାରେ ଏହାକୁ ରଖୁଛନ୍ତି। କିନ୍ତୁ ପ୍ଲାନ୍ ଅନୁମୋଦନ ହେବା ପରେ ଏହାକୁ କେହି ବି କାର୍ଯ୍ୟକାରୀ କରୁଥିବା ଦେଖିବାକୁ ମିଳୁନି। ଏପରିକି ଡିସେମ୍ବର ୧୨, ୨୦୧୯ରେ ବିଡିଏ ଉପାଧ୍ୟକ୍ଷ ତଥା ବିଏମ୍‌ସି କମିସନର ନିର୍ଦ୍ଦେଶନାମା ଜାରି କଲେ ଯେ ବିଡିଏ (ପ୍ଲାନିଂ ଏବଂ ବିଲଡିଂ ଷ୍ଟାଣ୍ଡାର୍ଡସ) ନିୟମ ଏବଂ ଓଡ଼ିଶା ମହାନଗର ନିଗମ ଆଇନ୍, ୨୦୦୩ର ଧାରା ୩୦୨ ଅନୁଯାୟୀ ବିଡିଏ ଓ ବିଏମ୍‌ସି ଅଞ୍ଚଳରେ ଯେଉଁମାନେ ୩୦୦ ବର୍ଗମିଟର (୩୨୨୯.୧୭ ବର୍ଗଫୁଟ)ର ଘର କରିବେ, ସେମାନେ ଖୋଲା ଅଞ୍ଚଳ‌ରେ ବର୍ଷା ଜଳ ସଂରକ୍ଷଣ, ଭୂତଳ ଜଳ ସଂରକ୍ଷଣ ବ୍ୟବସ୍ଥା କରିବା ବାଧ୍ୟତାମୂଳକ। ସେହିପରି ୩୦୦ ବର୍ଗମିଟରଠାରୁ କମ୍‌ ଅଞ୍ଚଳର ଘର ପାଇଁ ବର୍ଷା ଜଳ ପୁନଃବ୍ୟବହାର କରିବାର ବ୍ୟବସ୍ଥା କରିବେ। ଏହି ନିୟମ ରାଜଧାନୀର ସମସ୍ତ ସରକାରୀ କୋଠା, ବେସରକାରୀ ଘର, ଆପାର୍ଟମେଣ୍ଟ, ପାର୍କ, ଖେଳପଡ଼ିଆ, ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ ପାଇଁ ଲାଗୁ ହୋଇଛି। ହେଲେ ସମସ୍ତଙ୍କ ଘରେ ଛାତରୁ ପାଇପ୍ ତଳକୁ ଖସିଛି, କିନ୍ତୁ ମାଟି ତଳକୁ ପାଣି ଯାଉନି କି ବର୍ଷା ଜଳ ସଂରକ୍ଷଣ ହେଉନି। ଜୁନ୍‌ ୧୨, ୨୦୨୦ ସୁଦ୍ଧା ସମସ୍ତଙ୍କୁ ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା କରିବାକୁ କୁହାଯାଇଥିଲେ ହେଁ କେହି ଏହାକୁ ମାନିଲେନି କି ବିଏମ୍‌ସି ଓ ବିଡିଏ ପକ୍ଷରୁ କଡ଼ାକଡ଼ି ଯାଞ୍ଚ ହେଲାନି।

ଏ ନେଇ ବିଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଲୋକ ପ୍ଲାନ୍ ମଞ୍ଜୁର କରିବା ପାଇଁ ନକ୍ସାରେ ବର୍ଷା ଜଳ ଅମଳ ବ୍ୟବସ୍ଥା ଦେଖାଉଛନ୍ତି। କିଛି ଲୋକ ଏହାକୁ କାର୍ଯ୍ୟକାରୀ କରିବାକୁ ଚାହୁଁଛନ୍ତି। କିନ୍ତୁ କେମିତି ହେବ, କେତେ ଜାଗା ଦରକାର, କେତେ ଟଙ୍କା ଖର୍ଚ୍ଚ ହେବ ସେ ନେଇ ଲୋକ ଜାଣିପାରୁନାହାନ୍ତି। ଏ ସଂପର୍କରେ ବିଡିଏ ଓ ବିଏମ୍‌ସି ପକ୍ଷରୁ ସୁବିଧା ସୁଯୋଗ ଯୋଗାଇ ଦିଆଗଲେ ଲୋକ ନିୟମ ମାନିବାକୁ ବାଧ୍ୟ ହେବେ। ଅପରପକ୍ଷେ ବିଡିଏ ଓ ବିଏମ୍‌ସି ନିୟମ କରୁଥିଲେ ହେଁ ବିଭିନ୍ନ ପାର୍କ ଓ ସରକାରୀ ଅନୁଷ୍ଠାନରେ ବର୍ଷା ଜଳ ଅମଳ ବ୍ୟବସ୍ଥା ପୂରା ଫେଲ୍‌ ମାରିଛି। ପ୍ରକଳ୍ପ କରିଦେଇ ଏହାର ରକ୍ଷଣାବେକ୍ଷଣ କରୁନଥିବାରୁ ଏହା କାର୍ଯ୍ୟକ୍ଷମ ହେଉନି।

Share Now:

Kalinga News Beuro

Next Post

ଧରାପଡ଼ିଲେ ୩ ଚୋର : ଚୋରି ସାମଗ୍ରୀ ଉଦ୍ଧାର

Mon Mar 22 , 2021
ଓଏଏସ୍‌ ଅଫିସର ଓ ବିଧାୟକଙ୍କ କ୍ବାର୍ଟର୍ସରୁ ବି ଚୋରି କରିଥିଲେ ଭୁବନେଶ୍ବର: କ୍ୟାପିଟାଲ୍ ହସ୍ପିଟାଲର ଜଣେ ଡାକ୍ତରାଣୀଙ୍କ ଘରୁ ଚୋରି ମାମଲାରେ ପୁଲିସକୁ ସଫଳତା ମିଳିଛି। ଏଥିରେ ସମ୍ପୃକ୍ତ ୩ଜଣଙ୍କୁ ଖାରବେଳ ନଗର ଥାନା ପୁଲିସ ଗିରଫ କରିଛି। ସେମାନଙ୍କଠାରୁ ୮ ହଜାର ୪ଶହ ଟଙ୍କା ଓ ବାଥ୍‌ରୁମ୍‌ ଫିଟିଙ୍ଗ୍‌ସ ଜବତ କରାଯାଇଛି। ତେବେ ଚୋରି ସୁନା ଗହଣା ଜବତ କରାଯାଇ ପାରିନାହିଁ। ଅଭିଯୁକ୍ତମାନେ ହେଉଛନ୍ତି ଡୁମୁଡୁମା ରଘୁନାଥପୁରର ମନୋଜ […]
୩ ଚୋର ଧରାପଡ଼ିଲେ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial