ପରୀକ୍ଷା ପାଇଁ ସାଲିଆ ସାହିରେ ଅଟକିଲା ଘର ଭଙ୍ଗା

ଭୁବନେଶ୍ୱର : ଜୟଦେବ ବିହାର-ନନ୍ଦନକାନନ ରାସ୍ତାର ବାମପାର୍ଶ୍ଵରେ ସମାନ୍ତରାଳ ରାସ୍ତା ଖୋଲିବା ପାଇଁ ଆଜି ହେବାକୁ ଥିବା ବସ୍ତି ଉଚ୍ଛେଦ କାର୍ଯ୍ୟ ବିରୋଧ ଯୋଗୁଁ ହୋଇପାରିନି। ୪ଟି ବସ୍ତିର ଶତାଧିକ ବାସିନ୍ଦା ଉଚ୍ଛେଦକାରୀ ଟିମ୍‌ର ଜେସିବି ଆଗରେ ଶୋଇବା ସହ ଜୋରଦାର୍ ବିରୋଧ କରିବାରୁ ଆଜି ପ୍ରଶାସନ ଏହାକୁ ଉଚ୍ଛେଦ କରି ପାରି ନଥିଲା। ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଉଥିବା ଦେଖି ଉଚ୍ଚପଦସ୍ଥ ପୁଲିସ ଓ ଅନ୍ୟ ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ, ପୁଲିସ ଡିସିପି ଅନୁପ କୁମାର ସାହୁ, ଟ୍ରାଫିକ ଡିସିପି ସାଗରିକା ନାଥ ଏବଂ ବିଏମ୍‌ସି ଓ ବିଡିଏର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ବସ୍ତିବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ନିଷ୍ପତ୍ତି ହୋଇଛି ଯେ ଦଶମ (ମାଟ୍ରିକ) ପରୀକ୍ଷା ଶେଷ ପର୍ଯ୍ୟନ୍ତ ଉଚ୍ଛେଦ ପ୍ରକ୍ରିୟା ବନ୍ଦ ରହିବ। ପରୀକ୍ଷା ଶେଷ ପରେ ପୁଣି ଏହି ଚାରିଟି ବସ୍ତି ଉଚ୍ଛେଦ ହେବ। କିନ୍ତୁ ଏବେ ଦୋକାନଗୁଡ଼ିକ ଭଙ୍ଗାଯିବ। ଗତକାଲି ସକାଳୁ ବିଏମ୍‌ସି ଓ ବିଡିଏର ମିଳିତ ଉଚ୍ଛେଦକାରୀ ଟିମ୍ ୮ ପ୍ଲାଟୁନ୍ ଏପିଆର୍‌ ଫୋର୍ସ ଓ ପ୍ରାୟ ୪ଟି ଜେସିବି ସହ ସାଲିଆ ସାହିରେ ପହଞ୍ଚିଥିଲେ। ଲକ୍ଷ୍ୟ ଥିଲା ବାମ ପାର୍ଶ୍ଵ ସମାନ୍ତରାଳ ରାସ୍ତାର ରେଲ୍ ବିହାରଠାରୁ ଲୟୋଲା ସ୍କୁଲ ପର୍ଯ୍ୟନ୍ତ ଅଞ୍ଚଳ ମଧ୍ୟରେ ଥିବା ବୀରବାସ ବସ୍ତି, ଲକ୍ଷ୍ମୀପୁର ବସ୍ତି, ଗଉଡ଼ ସାହି ବସ୍ତି ଓ ଶ୍ରୀକ୍ରିଷ୍ଣା ନଗର ବସ୍ତି ଗୁଡ଼ିକୁ ଉଚ୍ଛେଦ କରିବା। ହେଲେ ଉଚ୍ଛେଦକାରୀ ଟିମ୍‌କୁ ଦେଖି ଶତାଧିକ ବସ୍ତିବାସିନ୍ଦା ରାସ୍ତା ଉପରକୁ ଆସି ପ୍ରତିବାଦ କରିଥିଲେ। ହାତରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ବସ୍ତିବାସିନ୍ଦାମାନେ ପ୍ରତିବାଦ କରୁଥିବାରୁ ପୁଲିସ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡରିଥିଲା। ଉଚ୍ଛେଦକାରୀ ଟିମ୍ ବସ୍ତିବାସିନ୍ଦାଙ୍କୁ ଯେତେ ବୁଝାଇଲେ ବି କେହି ବୁଝି ନ ଥିଲେ। ବସ୍ତିବାସିନ୍ଦାଙ୍କ ଯୁକ୍ତି ଥିଲା ଯେ ଏବେ ଦଶମ ପରୀକ୍ଷା ଚାଲିଛି, ଘର ଭାଙ୍ଗିଦେଲେ ପିଲା କେମିତି ପାଠ ପଢ଼ିବେ, ପରୀକ୍ଷା କେମିତି ଦେବେ। ଆମ ଘର ଭାଙ୍ଗିଲେ ଆମେ କୁଆଡ଼େ ଯିବୁ ଓ କେତେ ଟଙ୍କା କ୍ଷତିପୂରଣ ଦେବ କୁହ। ତା’ପରେ ଯାଇ ଆଲୋଚନା କରିବୁ। ସମାଧାନର ବାଟ ନ ବାହାରିବାରୁ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ବସ୍ତିବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ। ଏହା ପରେ ନିଷ୍ପତ୍ତି ହୋଇଥିଲା ଯେ ମାର୍ଚ୍ଚ ୨ରେ ଦଶମ ଶ୍ରେଣୀ ପରୀକ୍ଷା ଶେଷ ହେବା ପରେ ବସ୍ତିରେ ଘର ଭଙ୍ଗା ହେବ। ୪ଟି ବସ୍ତିରେ ମୋଟ୍‌ ୨୨୩ଟି ଘର ଭଙ୍ଗା ହେବ। ଯେଉଁମା‌ନଙ୍କ ଘର ଭଙ୍ଗା ହେବ, ସେମାନଙ୍କୁ ୨୫ହଜାର ଟଙ୍କା ଓ ୧୨ ଫୁଟ୍‌ରେ ୨୫ ଫୁଟ୍‌ର ଜମି ଯୋଗାଇ ଦିଆଯିବ। ଏହି ଜମି ସାଲିଆ ସାହି ନିକଟରେ ଖାଲିଥିବା ସରକାରୀ ଜମିରୁ ଯୋଗାଇ ଦିଆଯିବ। ହେଲେ ଏବେ ଦୋକାନ ଏବଂ ଅନ୍ୟାନ୍ୟ ନିର୍ମାଣ ଭଙ୍ଗା ହେବ। ଯେଉଁଠି ଜମି ଖାଲି ହେବ, ସେଠାରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।
ସୂଚନାଯୋଗ୍ୟ, ୨୦୦ ଫୁଟ୍‌ର ବାମପାର୍ଶ୍ଵ ସମାନ୍ତରାଳ ରାସ୍ତା ପାଇଁ ଦୁଇ ବର୍ଷ ହେଲା କାମ ଆରମ୍ଭ ହୋଇଥିଲେ ହେଁ ଏବେ ସୁଦ୍ଧା କେବଳ ଇନ୍‌ଫୋସିଟି ନିକଟରୁ କେୟାର ହସ୍ପିଟାଲ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହୋଇପାରିଛି। ଏହି ରାସ୍ତା ଏକାମ୍ର କାନନ ନିକଟରେ ଖୋଲିବାକୁ ଥିବା ବେଳେ ସାଲିଆ ସାହି ଏଥିରେ ପ୍ରତିବନ୍ଧକ ସାଜିଛି। ଏହି ୨ କିମି ରାସ୍ତା ନିର୍ମାଣ ପାଇଁ ଆଗକୁ ଜୋରଦାର୍ ଉଚ୍ଛେଦ ହେବାକୁ ରହିଛି। ଏବେ ଲୟୋଲା ସ୍କୁଲ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରି ଏହି ରାସ୍ତାକୁ ଜାଭିୟର ଛକରେ ମିଶାଯିବ। ଏହା ପରେ ସାଲିଆ ସାହିର ବାକି ବସ୍ତିରେ ଉଚ୍ଛେଦ ଆରମ୍ଭ ହେବ। ସେହିପରି ଡାହାଣ ସମାନ୍ତରାଳ ରାସ୍ତା ସୈନିକ ସ୍କୁଲ ନିକଟରୁ ଗାଡ଼କଣ ହୋଇ ଡମଣାରେ ବାହାରିବାକୁ ଥିବା ବେଳେ ଏହାର କାମ ମଧ୍ୟ ଜୋରଦାର୍‌ ଚାଲିଛି।

Share Now:

Kalinga News Beuro

Leave a Reply

Next Post

ରାଜ୍ୟର ଅଧିକାଂଶ ଶୈବପୀଠମାନଙ୍କରେ ଭିଡ଼, ଚାଲିଛି ପୂଜାର୍ଚ୍ଚନା

Fri Feb 21 , 2020
ଭୁବନେଶ୍ୱର: ଆଜି ମହାଶିବରାତ୍ରି ତଥା ଜାଗରଯାତ୍ରା ହୋଇଥିବାରୁ ରାଜ୍ୟର ଅଧିକାଂଶ ଶୈବପୀଠମାନଙ୍କରେ ସକାଳୁ ଭିଡ଼ ଆରମ୍ଭ ହୋଇଯାଇଛି। ଭକ୍ତମାନେ ଧାଡ଼ିରେ ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି। ବିଶେଷ କରି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ପୁରୀର ଲୋକନାଥ ମନ୍ଦିର, କଟକର ଅମରେଶ୍ୱର ମନ୍ଦିର , ଧବଳେଶ୍ୱର ମନ୍ଦିର, ପରମହଂସ ମନ୍ଦିର, ଢେଙ୍କାନାଳ ଜିଲ୍ଲାର କପିଳାସ, ଭଦ୍ରକ ଜିଲ୍ଲାର ଆରଡ଼ିସ୍ଥିତ ଆଖଣ୍ଡଳମଣି ମନ୍ଦିରରେ ଅଧିକ ଭିଡ଼ ପରିଲକ୍ଷିତ ହେଉଛି। ଭକ୍ତମାନେ ମନ୍ଦିରରେ ପୂଜାର୍ଚ୍ଚନା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial