ସ୍ବପ୍ନର ନଗରୀରୁ ମୋମୋ ବ୍ୟବସାୟୀ: କରୋନାରେ ସୁଚିସ୍ମିତାଙ୍କ କରୁଣ କାହାଣୀ

କଟକର ପ୍ରଥମ ମହିଳା ମୋମୋ ବ୍ୟବସାୟୀ

କଟକ: କ୍ୟାରିଅର୍ ଗଢିବା ପାଇଁ ନିଜ ଜନ୍ମମାଟି କଟକ ଛାଡ଼ି ୬ ବର୍ଷ ତଳେ ଚାଲି ଯାଇଥିଲେ ସ୍ବପ୍ନର ନଗରୀ ମୁମ୍ବାଇକୁ। ସେଠି ବିଭିନ୍ନ ଚ୍ୟାନେଲରେ ସହକାରୀ ନିର୍ଦ୍ଦେଶିକା ଭାବେ କାର୍ଯ୍ୟ ବି କରିଥିଲେ। କିନ୍ତୁ କ୍ୟାରିଅର୍ ବ୍ୟବସ୍ଥିତ ହେଲା ବେଳକୁ କରୋନା ମାଡ଼ରେ ସବୁ ସ୍ବପ୍ନ ଚୁରମାର୍ ହୋଇଗଲା। ଜନ୍ମମାଟିକୁ ଫେରିବାକୁ ପଡିଲା। ଆଉ ସ୍ବାବଲମ୍ବୀ ହେବା ପାଇଁ ବିକଳ୍ପ ବୃତ୍ତିକୁ ଆଦରି ନେବାକୁ ପଡିଲା। କଟକ ଝାଞ୍ଜିରୀ ମଙ୍ଗଳାର ଏହି ୨୩ ବର୍ଷିୟା ଯୁବତୀ ସୁଚିସ୍ମିତା ରାଉତରାୟ ଏବେ କଟକର ପ୍ରଥମ ମହିଳା ମୋମୋ ବ୍ୟବସାୟୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ସୁଚିସ୍ମିତା ୨୦୧୩ରେ ପାଠପଢା ଶେଷ କରିବା ପରେ ପ୍ରଥମେ ତରଙ୍ଗ ଚ୍ୟାନେଲରେ ‘ସ୍ୱାଭିମାନ, ନେଇ ଯା’ରେ ମେଘ ମୋତେ’ ଭଳି ସିରିଏଲରେ ଆସିଷ୍ଟାଣ୍ଟ୍ ଏଡିଟ୍‌ର ଭାବେ କାମ ଆରମ୍ଭ କରିଥିଲେ। ପରେ ୨୦୧୫ ମସିହାରେ ମୁମ୍ବାଇ ଚାଲି ଯାଇଥିଲେ। ସେଠି ତାଙ୍କୁ ‘ବହୁ ହମାରି ରଜନୀକାନ୍ତ’ ସିରିଏଲରେ ସହକାରୀ ନିର୍ଦ୍ଦେଶିକା ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ସବୁ ଠିକଠାକ୍ ଚାଲିଥିବା ବେଳେ କରୋନା ପରିସ୍ଥିତି ଯୋଗୁଁ ଲକଡାଉନ୍ ଓ ସଟଡାଉନ୍‌ରେ ସିରିଏଲ୍ ସୁଟିଂ ବନ୍ଦ ରହିଲା। କାମ ବନ୍ଦ ହେବାରୁ ବିକଳ୍ପ ରୋଜଗାର ପାଇଁ ସେ ମୁମ୍ବାଇରେ ଓଡ଼ିଆ ଖାଦ୍ୟ ପ୍ରସ୍ତୁତ କରି ଜମାଟୋ ଜରିଆରେ ଗ୍ରାହକଙ୍କୁ ଯୋଗାଇବା ଆରମ୍ଭ କଲେ। କିନ୍ତୁ କରୋନା ପରିସ୍ଥିତିରେ ତାହା ବି ବନ୍ଦ ହୋଇଗଲା। ସଂଚିତ ଅର୍ଥ ସରି ଯିବାରୁ ସେ କଟକ ଫେରିବାକୁ ବାଧ୍ୟ ହୋଇଥିଲେ। ମେଗା ଷ୍ଟାର୍ ଅମିତାଭ ବଚନ୍‌ ଓ ସୁପରଷ୍ଟାର୍ ସଲ୍‌ମାନ ଖାଁଙ୍କ ସୂତ୍ରରୁ ମିଳିଥିବା ଆର୍ଥିକ ରାଶି ସହାୟତାରେ ଓଡ଼ିଶା ଫେରିଥିଲେ ସୁଚିସ୍ମିତା। ସୁଚିସ୍ମିତା ପିଲା ଦିନେ ବାପା ବିଜୟ କୁମାର ରାଉତରାୟଙ୍କୁ ହରାଇଥିଲେ। ମା’ ମମତା ରାଉତରାୟଙ୍କ ତତ୍ତ୍ବାବଧାନରେ ପାଠପଢା ଶେଷ କରିଥିଲେ।

କିନ୍ତୁ ଜୀବନରେ ସଫଳତା ପାଇଁ ସେ କଟକରେ ମା’ଙ୍କୁ ଛାଡି ମୁମ୍ବାଇ ଯାଇଥିଲେ ବି ପୁଣି ଫେରି ଆସିବାକୁ ବାଧ୍ୟ ହୋଇଥିଲେ। ସେ ନେପାଳର ଜଣେ ସାଙ୍ଗଙ୍କ ଠାରୁ ମୋମା ବନାଇବା କୌଶଳ ଶିଖିଥିଲେ। କଟକ ଫେରି ଆସିବା ପରେ ସେ ମା’ଙ୍କ ସହ ମିଶି ଆରମ୍ଭ କରିଥିଲେ ମୋମୋ ବ୍ୟବସାୟ। ଝାଞ୍ଜିରୀ ମଙ୍ଗଳାରେ ହିଁ ସେ ନିଜର ଷ୍ଟଲ୍ ଖୋଲି ଥିଲେ। ସୁଚିସ୍ମିତା ପ୍ରସ୍ତୁତ କରୁଛନ୍ତି ତିନି ପ୍ରକାରର ମୋମୋ। ଷ୍ଟିମ୍‌ ମୋମୋ, ଫ୍ରାଏଡ଼୍‌ ମୋମା ଓ ତନ୍ଦୁର ମୋମା। ଏହାକୁ ୪୦ରୁ ୫୦ ଟଙ୍କାରେ ବିକ୍ରି କରୁଛନ୍ତି। ‌ଦିନ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୋମୋ ପ୍ରସ୍ତୁତ କରି ଅପରାହ୍ନ ୫ଟାରୁ ବିକ୍ରି ଆରମ୍ଭ କରୁଛନ୍ତି। ସୁଚିସ୍ମିତା କହିବା ଅନୁଯାୟୀ ସେ ପ୍ରଥମେ ତରଙ୍ଗ ଚ୍ୟାନେଲରେ ଆସିଷ୍ଟାଣ୍ଟ୍ ଏଡିଟର ଭାବେ କାମ ଆରମ୍ଭ କରିଥିଲେ। ୨୦୧୫ରେ ମୁମ୍ବାଇ ଯାଇ ସେଠାରେ ସାବ୍‌ ଟିଭିରେ କାମ ଆରମ୍ଭ କରିଥିଲେ। ପରେ ପରେ ସୋନି, ଜି’ ଟିଭି, ଲାଇଫ ଓକେ ଚ୍ୟାକେନଲରେ କାମ କରିବାର ସୁଯୋଗ ପାଇଥିଲେ। ଆଗକୁ ବଢିବାର ଅନେକ ସ୍ବପ୍ନ ଦେଖି ମୁମ୍ବାଇ ଯାଇଥିଲେ ବି କରୋନା ଯୋଗୁଁ ତାହା ହୁଏତ ସଫଳ ହୋଇପାରିଲା ନାହିଁ। କିନ୍ତୁ ଜୀବନରେ କେବେ ହାର ମାନିବା ଶିଖିନି। ଏବେ ମା’ଙ୍କ ନାମରେ ‘ମାମାସ୍‌ କୁସିଏନ୍‌’ ଜରିଆରେ ମୋମୋ ବିକ୍ରି ଆରମ୍ଭ କରିଛି। ପୁଣି ମୁମ୍ବାଇ ଫେରିବାର ଲକ୍ଷ୍ୟ ରଖିଛି। କିନ୍ତୁ ବର୍ତ୍ତମାନ ମୋମୋ ବ୍ୟବସାୟକୁ ବଜାୟ ରଖିବା ସହ ମା’ଙ୍କ ନାମରେ ଏକ ବୃଦ୍ଧାଶ୍ରମ ‌କରି ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ଲକ୍ଷ୍ୟ ରଖିଛି ବୋଲି କୁହନ୍ତି ସୁଚିସ୍ମିତା।

Share Now:

Kalinga News Beuro

Next Post

ଘରେ ପଶି ସଂଘବଦ୍ଧ ଆକ୍ରମଣ ଘଟଣା: ଭୁବନେଶ୍ବରର ୫ଟି ଜାଗାରେ ଚଢ଼ଉ, ପୁଲିସ ହାତ ଖାଲି

Wed Mar 24 , 2021
ଭୁବନେଶ୍ବର: ନୂଆପଲ୍ଲୀରେ ଘରେ ପଶି ସଂଘବଦ୍ଧ ଆକ୍ରମଣ ଘଟଣାରେ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ତତ୍ପର ହୋଇଛି। ଗତକାଲି ଭୁବନେଶ୍ବରର ୫ଟି ଜାଗାରେ ପୁଲିସର ସ୍ବତନ୍ତ୍ର ଟିମ୍‌ ଚଢ଼ଉ କରିଛି। ସ୍ପେସାଲ ସ୍କ୍ବାଡ୍‌ ଏସିପି ସଞ୍ଜୀବ ଶତପଥୀ, ଏସିପି ଅନିଲ ମିଶ୍ର, ନୂଆପଲ୍ଲୀ ଆଇଆଇସି ଶରତ ସାହୁ, ସହିଦନଗର ଥାନା ଆଇଆଇସି ହିମାଂଶୁ ସ୍ବାଇଁ ପ୍ରମୁଖ ସଦଳବଳ ଚଢ଼ଉ କରିଛନ୍ତି। ନୂଆପଲ୍ଲୀ, ଲକ୍ଷ୍ମୀସାଗର, ସହିଦନଗର, ମଞ୍ଚେଶ୍ବର, ପ୍ରଭୃତି ଅଞ୍ଚଳରେ […]
ଘରେ ପଶି ସଂଘବଦ୍ଧ ଆକ୍ରମଣ ଘଟଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial