ଚନ୍ଦକା-ବାରଙ୍ଗ ରାସ୍ତାରେ ଏନ୍‌କାଉଣ୍ଟର: କୁଖ୍ୟାତ ଅପରାଧୀ ସେକ୍‌ ବାବୁକୁ ଗୁଳି

ଚନ୍ଦକା-ବାରଙ୍ଗ ରାସ୍ତାରେ ଏନ୍‌କାଉଣ୍ଟର

ବନ୍ଧୁକ, ଗୁଳି, ବାଇକ୍‌ ଜବତ, ଆନନ୍ଦ ସ୍ପୋର୍ଟସ୍‌ ମାଲିକଙ୍କୁ ଧମକ ମାମଲାରେ ଫେରାର ଥିଲା

କଟକ/ମହାନଦୀବିହାର: ଗ୍ୟାଙ୍ଗଷ୍ଟର‌ ସକିଲର ପ୍ରମୁଖ ସହଯୋଗୀ ସେକ୍‌ ବାବୁ ଓରଫ ବରେନ୍‌ ବାବୁ ଦ୍ବିତୀୟ ଥର ପୁଲିସ୍‌ ଏନକାଉଣ୍ଟର‌ର ଶିକାର ହୋଇଛି। ଚନ୍ଦକାରୁ ବାରଙ୍ଗ ଆଡ଼କୁ ଏକ ସ୍କୁଟିରେ ଆସୁଥିବା ବେଳେ ଦରଘାବଜାର ଥାନା ପୁଲିସ ଓ ସ୍ପେସାଲ ସ୍କ୍ବାଡ୍‌ ମିଳିତ ଚଢ଼ଉ କରି ତାକୁ କାବୁ କରିବାକୁ ଉଦ୍ୟମ କରିଥିଲେ। ସେ କିନ୍ତୁ ପୁଲିସ ଉପରକୁ ଗୁଳି ଚଳାଇ ଖସି ଯିବାକୁ ଉଦ୍ୟମ କଲା ବେଳେ ପୁଲିସ ପାଲଟା ଗୁଳି ଫୁଟାଇଥିଲା। ପୁଲିସର ଗୁଳି ବାବୁର ବାମ ଗୋଡ଼ରେ ବାଜିଛି। ଅନ୍ୟପଟେ ବାବୁର ଗୁଳିମାଡ଼ରେ ସ୍ପେସାଲ ସ୍କ୍ବାଡ୍‌ ହାବିଲଦାର‌ ତୋଫାନ ବେହେରା ଆହତ ହୋଇଛନ୍ତି। ପୁଲିସ ଆହତ ବାବୁକୁ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରିଛି।
ସୂଚନା ଅନୁଯାୟୀ, ଗ୍ୟାଙ୍ଗଷ୍ଟର‌ ସକିଲର‌ ଖାସ୍‌ ସହଯୋଗୀ ସେକ୍‌ ବାବୁ ଆଜି ରାତି ପ୍ରାୟ ୯ଟା ୪୦ ବେଳେ ଏକ ହୋଣ୍ତା ଆକ୍ଟିଭା ସ୍କୁଟି(ଓଡି ୧୩ ବି ୭୯୯୯)ରେ କଟକ ଆଡ଼କୁ ଆସୁଥିବା କମିସନରେଟ୍‌ ପୁଲିସ ଖବର ପାଇଥିଲା। ଶେଖ ବଜାରରେ ଜଣେ ସହଯୋଗୀକୁ ସେ ଭେଟିବାକୁ ଆସିଥିଲା। ଦରଘାବଜାର ଥାନା ଆଇଆଇସି ପ୍ରଦୀପ କୁମାର ଜେନା ଏବଂ ସ୍ପେସାଲ ସ୍କ୍ବାଡ୍‌ର ଏସିପି ଅଜୟ ଦାସଙ୍କ ନେତୃତ୍ବରେ ଏକ ଟିମ୍‌ ଚନ୍ଦକା-ବାରଙ୍ଗା ରାସ୍ତାର ଇଏସ୍‌ଆଇ ହସପିଟାଲ୍‌ ନିକଟରେ ତାକୁ କାବୁ କରିବାକୁ ଉଦ୍ୟମ କରିଥିଲା। ବାବୁ ପୁଲିସ ଉପରକୁ ଗୁଳି ଚଳାଇ ଖସି ଯିବାକୁ ଉଦ୍ୟମ କଲା ବେଳେ ଶ୍ରୀ ଜେନା ନିଜ ସର୍ଭିସ୍‌ ପିସ୍ତଲ୍‌ରୁ ଗୁଳି ଚାଳନା କରିଥିଲେ। ପୁଲିସର ଗୁଳି ମାଡ଼ରେ ବାବୁ ସ୍କୁଟି ସହିତ ତଳେ ପଡ଼ି ଯାଇଥିଲା। ପୁଲିସ ବାବୁ ନିକଟରୁ ଏକ ୯ ଏମଏମ୍‌ ପିସ୍ତଲ, ଗୋଟିଏ ରାଉଣ୍ଡ ଗୁଳି ଏବଂ ଆକ୍ଟିଭା ସ୍କୁଟି ଜବତ କରିଛି। କ୍ୟାଣ୍ଟନମେଣ୍ଟ ଥାନା ପେନସନ୍‌ ଲେନ୍‌ ଅଞ୍ଚଳର ବାବୁ ନାଁରେ ଦରଘାବଜାର ଥାନାରେ ୨୦୧୯ରେ ଏକ ମାମଲା(କେସ୍‌ ନ˚ ୧୧୬) ରୁଜୁ ହୋଇଥିଲା। ସେତେବେଳେ ଚୌଦ୍ବାର ଜେଲ୍‌ରେ ଥିବା ଗ୍ୟାଙ୍ଗଷ୍ଟର ସକିଲ୍‌ର ନିର୍ଦ୍ଦେଶ ମୁତାବକ ୨୦୧୯ ଡିସେମ୍ବର ୧୨ ତାରିଖରେ ବକ୍ସିବଜାର ଆନନ୍ଦ ସ୍ପୋର୍ଟସ୍‌ ମାଲିକ ସୂରଜ ଅଗ୍ରୱାଲ୍‌ଙ୍କୁ ରାତି ପ୍ରାୟ ୯ଟା ବେଳେ ୧୦ ଲକ୍ଷ ଟଙ୍କା ବଟି ମାଗିବାକୁ ଆସିଥିଲା। ବାବୁ ଦୋକାନ ବାହାରେ ଛିଡ଼ା ହୋଇ ଅନ୍ୟ ଜଣେ ସହଯୋଗୀ ମାଧ୍ୟମରେ ବନ୍ଧୁକ ଦେଇ ଦୋକାନ ଭିତରକୁ ପଠାଇଥିଲା। ଏହି ମାମଲାରେ ସକିଲ୍‌ର ବାପା, ଭାଇ, ଦୁଇ ଗାର୍ଲଫ୍ରେଣ୍ଡଙ୍କ ସମେତ ମୋଟ ୧୪ ସହଯୋଗୀଙ୍କୁ ଦରଘାବଜାର ଥାନା ପୁଲିସ ଗିରଫ କରିଥିଲା। କିନ୍ତୁ ସେବେଠାରୁ ବାବୁ ଫେରାର୍‌ ଥିଲା। କମିସନରେଟ୍‌ ପୁଲିସର ସୂଚନା ଅନୁଯାୟୀ, ବାବୁର ଅପରାଧ ରେକର୍ଡ ବହୁତ ଲମ୍ବା। କଟକ କମିସନରେଟ୍‌ ପୁଲିସରେ ତା’ ବିରୋଧରେ ମୋଟ ୨୦ଟି ଆପରାଧିକ ମାମଲା ରହିଛି। ହତ୍ୟାକାଣ୍ଡ, ହତ୍ୟା ଉଦ୍ୟମ, ଡକାୟତି, ଦାଦାବଟି ଆଦାୟ, ଗୁଳି, ବୋମା ମାଡ଼ ଭଳି ସଙ୍ଗୀନ ମାମଲା ବାବୁ ବିରୋଧରେ ରହିଛି। ବାବୁ ୨୦୧୭ ଏପ୍ରିଲ ୧୭ ତାରିଖରେ ମଙ୍ଗଳାବାଗ ଥାନା ଆଇଆଇସି ଦ୍ବାରା ଏନ୍‌କାଉଣ୍ଟରର ଶିକାର ହୋଇଥିଲା। ସେଦିନ ରାତି ୮ଟା ୪୫ରେ ଏନକାଉଣ୍ଟର ହୋଇଥିଲା। ବାବୁ ଓ ଗ୍ୟାଙ୍ଗଷ୍ଟର ସକିଲ୍‌ ସିସୋର‌ ପଠାରେ ଥିବା ଏକ ମନ୍ଦିର ନିକଟରେ ବସିଥିଲେ। କେତେଜଣ ବ୍ୟବସାୟୀଙ୍କୁ ଧମକ ଦେଇ ବଟି ମାଗିଥିବା ମଙ୍ଗଳାବାଗ ଥାନା ପୁଲିସ ନିକଟରେ ଅଭିଯୋଗ ହୋଇଥିଲା। ତତ୍କାଳୀନ ଏସିପି ପ୍ରମୋଦ ରଥ ଓ ମଙ୍ଗଳାବାଗ ଥାନା ଆଇଆଇସି ଅରୁଣ ସ୍ବାଇଁଙ୍କ ନେତୃତ୍ବରେ ସକିଲ୍‌ ଓ ବାବୁଙ୍କୁ ଚାରି ପଟୁ ଘେରି ଯାଇ ଏନ୍‌କାଉଣ୍ଟର୍‌ କରିଥିଲେ।

Share Now:

Kalinga News Beuro

Next Post

ଜବତ ହେଲା କଲରାପତରିଆ ବାଘ ଛାଲ: ବୌଦ୍ଧ ମନମୁଣ୍ଡାରୁ ଜଣେ ଗିରଫ

Fri Apr 30 , 2021
୨ ଲକ୍ଷରେ ବିକ୍ରି ପାଇଁ ହୋଇଥିଲା ଡିଲ୍‌, ନିଦରେ ଶୋଇଛି ବନ ବିଭାଗ ଭୁବନେଶ୍ବର: ଓଡ଼ିଶା ଜଙ୍ଗଲରେ ସୁରକ୍ଷିତ ନୁହନ୍ତି ବନ୍ୟଜନ୍ତୁ। ବିଶେଷକରି କଲରାପତରିଆଙ୍କ କାଳ ପାଲଟଛନ୍ତି ଶିକାରୀ, ମାଫିଆ। ଦେଶ, ବିଦେଶରେ ବାଘ ଛାଲର ଚାହିଦା ଯଥେଷ୍ଟ ଥିବାରୁ ରକ୍ତମୁଖା ହୋଇପଡ଼ିଛନ୍ତି ଶିକାରୀ। ଲକ୍ଷାଧିକ ଟଙ୍କାରେ ଚାଲାଣ କରୁଛନ୍ତି ମାଫିଆ। କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ବୌଦ୍ଧ ମନମୁଣ୍ଡାରେ ଚଢ଼ଉ କରି ଜଣଙ୍କୁ ଗିରଫ କରିବା ସହ ଗୋଟିଏ କଲରାପତରିଆ ବାଘଛାଲ […]
ଜବତ ହେଲା କଲରାପତରିଆ ବାଘ ଛାଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial