ସମଗ୍ର ପୂର୍ବ ଭାରତରେ ସକ୍ରିୟ ହେବ ମୌସୁମୀ
ନୂଆଦିଲ୍ଲୀ : ଆସନ୍ତା ୮ ଜୁନ ସୁଦ୍ଧା ସିଆମ ଉପସାଗର ଓ ମିଆଁମାର ଉପକୂଳରେ ଏକ ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହେବ। ଏହି ସାଇକ୍ଲୋନିକ ସର୍କୁଲେସନର ପ୍ରଭାବରେ ଆସନ୍ତା ୧୦ ତାରିଖ ବେଳକୁ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ କହିଛି। ୧୧ ତାରିଖ ବେଳକୁ ଏହା ଆହୁରି ଘନୀଭୂତ ହୋଇ ଏକ ଡିପ୍ରେସନ ବା ଅବପାତରେ ପରିଣତ ହେବ। ଏହାର ପ୍ରଭାବରେ ଓଡ଼ିଶା ସମେତ ସମଗ୍ର ପୂର୍ବଭାରତ, ବିହାର, ଛତିଶଗଡ଼ରେ ମୌସୁମୀକୁ ଟାଣି ଆଣିବାରେ ସହାୟକ ହେବ। ଏପରିକି ଏହି ଲଘୁଚାପ ପ୍ରଭାବରେ ପଶ୍ଚିମଭାରତର କେତେକ ଅଞ୍ଚଳକୁ ମୌସୁମୀ ଅଗ୍ରଗତି କରିବ। ଅନ୍ୟପକ୍ଷରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେନ୍ଦ୍ରୀୟ ଆରବ ସାଗର, ସମଗ୍ର ଉପକୂଳ କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ରର କିଛି ଅଂଶ, ଆଭ୍ୟନ୍ତରୀଣ କର୍ଣ୍ଣାଟକ, ତାମିଲନାଡ଼ୁର ଆଉ କିଛି ଅଂଶ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର କେତେକ ଅଂଶରେ ପହଞ୍ଚିଛି। ଆଗାମୀ ୨୪ ଘଣ୍ଟାରେ ଏହା ସମଗ୍ର କର୍ଣ୍ଣାଟକ, ମହାରାଷ୍ଟ୍ରର ଆଉ କିଛି ଅଂଶ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ଆଉ କେତେକ ଅଞ୍ଚଳ, କେନ୍ଦ୍ରୀୟ ବଙ୍ଗୋପସାଗରର ଆଉ କେତେକ ଅଂଶରେ ପହଞ୍ଚିବାର ସମ୍ଭାବନା ରହିଛି।