ଗୋଟିଏ ଶ୍ରେଣୀ ଗୃହରେ ରହୁଛନ୍ତି ୧୫ ପରିବାର : ପ୍ରଶାସନର ଇଏ କେଉଁ କୋଭିଡ୍‌ ନିୟମ?

ଗୋଟିଏ ଶ୍ରେଣୀ ଗୃହରେ ରହୁଛନ୍ତି ୧୫ ପରିବାର

କଟକ: ଲକଡାଉନ୍ ବେଳେ ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ କରାଯାଉଛି। ପୁଣି କରୋନା ନିୟମ ଆଉ କଟକଣାକୁ ସଂପୂର୍ଣ୍ଣ ଏଡାଇ ଦେଇ ସେମାନଙ୍କୁ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଥଇଥାନ କରାଯାଉଛି। ମାଲଗୋଦାମ ତେଲୁଗୁ ବସ୍ତିର ୮୩ ପରିବାରଙ୍କୁ ସାର୍ତ୍ତୋଳ ପ୍ରାଥମିକ ବିଦ୍ୟାଳୟର ୫ଟି ଶ୍ରେଣୀ ଗୃହରେ ଯେଭଳି ରଖାଯାଇଛି, ସେଥିରେ ସେମାନେ କ’ଣ ଗାଈଗୋରୁଙ୍କଠୁ ହୀନ ବୋଲି ଅନେକ ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି। ଗୋଟିଏ ଗୋଟିଏ ଶ୍ରେଣୀଗୃହରେ ୧୫ରୁ ଅଧିକ ପରିବାରର ୭୦ରୁ ଅଧିକ ଲୋକ ରହୁଛନ୍ତି। ‌
ତାଳଦଣ୍ଡା କେନାଲ ରାସ୍ତା ସଂପ୍ରସାରଣ ପାଇଁ ଏହାର ଉଭୟ ପାର୍ଶ୍ବରେ ଥିବା ବିଭିନ୍ନ ବସ୍ତି, ଦୋକାନ ଘର ଓ ମନ୍ଦିର ଆଦିର ଉଚ୍ଛେଦ କାମ ଆରମ୍ଭ ହୋଇଛି। ଗଲା ୧ ତାରିଖରେ ସିଏମ୍‌ସି ପକ୍ଷରୁ ମାଲଗୋଦାମ ତେଲୁଗୁ ବସ୍ତିର ୮୩ ପରିବାରଙ୍କୁ ଉଚ୍ଛେଦ କରାଯାଇଥିଲା। ସେମାନଙ୍କୁ ସିଏମ୍‌ସି ପକ୍ଷରୁ ଘର ନିର୍ମାଣ ହେବା ପର୍ଯ୍ୟନ୍ତ ସାର୍ତ୍ତୋଳ ପ୍ରାଥମିକ ବିଦ୍ୟାଳୟରେ ରଖାଯାଇଛି। ସ୍କୁଲର ୫ଟି ଶ୍ରେଣୀ ଗୃହରେ ୮୩ ପରିବାରଙ୍କୁ ରହିବାକୁ ଦିଆଯାଇଛି। ୩ ନମ୍ବର କୋଠରୀରେ ସବୁଠାରୁ ଅଧିକ ୨୦ ପରିବାର ରହୁଛନ୍ତି। କରୋନା କାଳରେ ୫ଟି ଶ୍ରେଣୀ ଗୃହରେ ଏତେ ସଂଖ୍ୟାର ଲୋକଙ୍କ ରହିବାକୁ ଅନୁମତି ଦେଇ ସଂକ୍ରମଣ ପାଇଁ ସିଏମ୍‌ସି ପକ୍ଷରୁ ସତେ ଯେମିତି ବାଟ ଖୋଲି ଦିଆଯାଇଛି। ବସ୍ତି ବାସିନ୍ଦାଙ୍କ ପାଇଁ ଆବଶ୍ୟକ ରହିବା ବ୍ୟବସ୍ଥା ନ କରି ସେମାନଙ୍କୁ ଏଭଳି ତରବରିଆ ଢଙ୍ଗରେ ଉଚ୍ଛେଦ କରିବା ଆଉ ଏ ସ୍ଥିତିରେ ରଖିବାର ଉଦ୍ଦେଶ୍ୟକୁ ନେଇ ଏବେ ବସ୍ତି ନେତା ବୃନ୍ଦାବନ ଦାସ ଆଜାଦ୍ ପ୍ରଶ୍ନ କରିଛନ୍ତି।
ଏ ସଂପର୍କରେ ସିଏମସିର ଡେପୁଟି କମିସନର ଡକ୍ଟର ଅବିନାଶ ରାଉତ କହିଛନ୍ତି ଯେ ବସ୍ତି ବାସିନ୍ଦାଙ୍କୁ ୭ ଦିନ ମଧ୍ୟରେ ବାଲିସାହିରେ ଘର କରି ଯିବାକୁ ନିଗମ ପକ୍ଷରୁ କୁହାଯାଇଛି। ମାତ୍ର ଏତେ କମ ସମୟରେ ଘର ତିଆରି କରିବା ସମ୍ଭବପର ନୁହଁ। କରୋନା ସଂକ୍ରମଣ ସମୟରେ ଏତେ ପରିବାର କେତେ ଦିନ ଏକାଠି ରହିବେ ତାହା କେବଳ ସମୟ କହିବ। ବସ୍ତିବାସିନ୍ଦାଙ୍କ ପାଇଁ ସ୍କୁଲର ୧୦ଟି ଶ୍ରେଣୀ ଗୃହର ବ୍ୟବସ୍ଥା କରାଯାଇଛି। ବିଭିନ୍ନ ପରିବାରର ଅନେକ ସଦସ୍ୟ ଏବେ ବାହାରେ ରହୁଛନ୍ତି। ସାମାଜିକ ଦୂରତ୍ବ ନିୟମକୁ ଦୃଷ୍ଟିରେ ରଖି ସେଠାରେ ବସ୍ତିବାସିନ୍ଦାଙ୍କ ରହିବାର ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ରାଉତ କହୁଥିବା ବେଳେ ବାସ୍ତବ ଚିତ୍ର ଠିକ ଓଲଟା ଦର୍ଶାଇବା ଘଟଣାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି।

Share Now:

Kalinga News Beuro

Next Post

ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଅଭିଯ଼ୋଗ : ଅଭିଯୁକ୍ତ ଗିରଫ

Sat Jun 5 , 2021
ଚନ୍ଦାହାଣ୍ଡି : ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ଜୈନେକା ଯୁବତୀକୁ ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ରେ ଚନ୍ଦାହାଣ୍ଡି ପୁଲିସ ବାଟପଡା ଗ୍ରାମର ନୃସିଂହ ନାୟକ(୨୪)କୁ ଗିରଫ କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ବାଟପଡା ଗ୍ରାମର ନୃସିଂହ ନାୟକ ଆଜକୁ ତିନି ବର୍ଷ ହେବ ଜୈନେକା ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ଗତ ୪ ତାରିଖ ସକାଳ ଭୋର […]
ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial