ବାଲିପାଟଣା : ଦୃଢ଼ ଇଚ୍ଛାଶକ୍ତି ଥିଲେ ସଫଳତା ହାସଲ କରିବା କଷ୍ଟକର ହୁଏ ନାହିଁ। ପରିଶ୍ରମ ଓ ଅଧ୍ୟବସାୟ ସଫଳତାର ଚାବିକାଠି। ଏକାଗ୍ରତାର ସହ କୌଣସି କାମରେ ମନନିବେଶ କଲେ, ଅସାଧ୍ୟ କାମ ବି ସହଜ ହୋଇଯାଏ। ଏହି ଚିରନ୍ତନ ସତ୍ୟକୁ ପୁଣିଥରେ ପ୍ରମାଣିତ କରିଛନ୍ତି ବାଲିପାଟଣା ମାଟିର ଝିଅ ଶୁଚିସ୍ମିତା। ଅନ୍ଲାଇନ୍ରେ ହୋଇଥିବା ଭାରତ ସୁନ୍ଦରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସେ ପ୍ରଥମ ସ୍ଥାନ ଅଧିକାର କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସୂଚନାନୁସାରେ, ଗତ ଜାନୁଆରି ମାସରେ ମିସିଙ୍ଗ୍ ଡ୍ରିମସ୍ ସଂସ୍ଥା ତରଫରୁ ମିସ୍ ଇଣ୍ଡିଆ ପ୍ରତିଯୋଗିତା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଜାନୁଆରି ୩ ତାରିଖରେୁ ଏଥିପାଇଁ ଅନ୍ଲାଇନ୍ ଯୋଗେ ଆବେଦନ କରାଯାଇଥିଲା। ଏହା ଜାଣିବା ପରେ ସ୍ଥାନୀୟ ଆମେଣାକୁଦ ପଞ୍ଚାୟତ କୁଦପାଟଣା ଗ୍ରାମର ପ୍ରଦୀପ୍ତ ପଣ୍ଡା ଓ ବବିତା ମିଶ୍ରଙ୍କ ବଡ଼ ଝିଅ ଶୁଚିସ୍ମିତା ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ମନ ବଳାଇଥିଲେ। କଟକ ଶ୍ରୀଶ୍ରୀବିଶ୍ବବିଦ୍ୟାଳୟରେ ଯୁକ୍ତ ତିନି ବିଜ୍ଞାନ ଛାତ୍ରୀ ଶୁଚିସ୍ମିତା ପୂର୍ବରୁ ନୃତ୍ୟଗୀତରେ ରୁଚିଥିବାରୁ ଏହି ଜାତୀୟସ୍ତରର ପ୍ରତିଯୋଗିତାରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଇଛା କରିଥିଲେ। ମାତ୍ର ବାପା ମା ଏଥିରେ ସହମତ ହେବେ ନାହିଁ ବୋଲି ସେ ଜାଣିଥିଲେ। ତେଣୁ ସାନ ଭଉଣୀ ଓ କିଛି ସାଙ୍ଗଙ୍କ ପରାମର୍ଶକ୍ରମେ ସେ ବାପାମା’ଙ୍କୁ ନ ଜଣାଇ ଆବେଦନ କଲେ। ଦେଶର ବିଭିନ୍ନ ରାଜ୍ୟରୁ ମୋଟ ୭୧ଜଣ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ନ୍ୟାସନାଲ ରାଉଣ୍ଡ, କକ୍ଟେଲ ରାଉଣ୍ଡ, ଫିଟ୍ନେସ ରାଉଣ୍ଡ, ଟ୍ୟାଲେଣ୍ଟ୍ ରାଉଣ୍ଡ ଓ ସୋସିଆଲ୍ ଆକ୍ଟିଭିଟିଜ୍ ଭଳି ୫ଟି ପର୍ଯ୍ୟାୟରେ ତାଙ୍କୁ ତାଙ୍କର ଉତ୍କର୍ଷ ପ୍ରଦର୍ଶନ କରିବାକୁ ହୋଇଥିଲା। ଶୁଚିସ୍ମିତାଙ୍କ କହିବା କଥା ସବୁ ରାଉଣ୍ଡରେ ସେ ଶତପ୍ରତିଶତ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ଯେ ପ୍ରଥମ ସ୍ଥାନ ଅଧିକାର କରିବେ ଏଭଳି ଆଶା କରିନଥିଲେ।
ଅନ୍ଲାଇନ୍ ଭାରତ ସୁନ୍ଦରୀ ବାଲିପାଟଣା ଝିଅ ଶୁଚିସ୍ମିତା

Share Now: