ପ୍ରଥମ ବର୍ଷାରେ ରାଜଧାନୀ ଉବୁଟୁବୁ : ରାସ୍ତାଘାଟରେ ବନ୍ୟାର ଭ୍ରମ

ପ୍ରଥମ ବର୍ଷାରେ ରାଜଧାନୀ ଉବୁଟୁବୁ

ବିଦ୍ୟୁତ କାଟ ଯୋଗୁଁ ଦୁର୍ଦ୍ଦଶା, ଷ୍ଟ୍ରିଟ ଲାଇଟ୍ ଜଳୁନି, ଅନ୍ଧାରରେ‌ ସହର

ଭୁବନେଶ୍ବର : ତିନିଦିନ ହେଲା ରାଜଧାନୀ ଆକାଶ ମେଘାଚ୍ଛନ୍ନ ହୋଇ ରହିଥିଲା। ମୌସୁମୀ ଆଗମନର ସଙ୍କେତ ଦେଉଥିଲା ପାଗ। ଶୁକ୍ରବାର ବିଳମ୍ବିତ ରାତିରେ ମୌସୁମୀ ରାଜଧାନୀ ଛୁଇଁବା ପରେ ଆରମ୍ଭ ହୋଇଥିଲା ବର୍ଷା। ହେଲେ ଶନିବାର ଅପରାହ୍ନରୁ ରାତି ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାରୁ ରାଜଧାନୀ ଜଳାର୍ଣ୍ଣବ ହୋଇଯାଇଛି। ରାସ୍ତାଘାଟରେ ପାଣିର ସୁ୍ଅ ଛୁଟିଥିବାବେଳେ କେତେକ ଅଞ୍ଚଳରେ ବନ୍ୟାର ଭ୍ରମ ସୃଷ୍ଟି କରିଛି। ତା’ ସାଙ୍ଗକୁ ଦୀର୍ଘ ସମୟ ଧରି ବିଦ୍ୟୁତ କାଟ ଲୋକଙ୍କ ଦୁର୍ଦ୍ଦଶା ବଢ଼ାଇଛି। ଷ୍ଟ୍ରିଟ ଲାଇଟ୍ ଜଳୁ ନ ଥିବାରୁ ପୂରା ସହରରେ ଅନ୍ଧାରର ରାଜୁତି ଚାଲିଛି। ତେବେ ପୂର୍ବବର୍ଷଗୁଡ଼ିକ ତୁଳନାରେ ମୌସୁମୀ ଏଥର ଜଲ୍‌ଦି ଭୁବନେଶ୍ବର ଛୁଇଁଥିବାବେଳେ ଗତକାଲିର ବର୍ଷା ଉତ୍ତପ୍ତ ରାଜଧାନୀକୁ ଥଣ୍ଡା କରିଦେଇଛି। ଶୁକ୍ରବାର ରାତିରୁ ସଂଧ୍ୟା ସାଢେ ୬ଟା ସୁଦ୍ଧା ଭୁବନେଶ୍ବରରେ ୬୦ମିମି ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ସୂଚନା‌ ଦେଇଥିଲେ ହେଁ ଏହାପରେ ପ୍ରବଳ ବର୍ଷା ହୋଇଥିବାରୁ ଗତ ୨୪ଘଣ୍ଟା ମଧ୍ୟରେ ୧୦୦ମିମିରୁ ଅଧିକ ବର୍ଷା ହୋଇଥିବା ଅନୁମାନ କରାଯାଉଛି।

ମୌସୁମୀର ପ୍ରଥମ ବର୍ଷାରେ ରାଜଧାନୀ ଉବୁଟୁବୁ ହୋଇ ଯାଇଥିଲା। ଡ୍ରେନ୍‌ ଉଛୁଳି ସବୁ ପ୍ରମୁଖ ରାସ୍ତାରେ ପାଣିର ସୁଅ ଛୁଟିଥିଲା। ସ୍ଥାନେ ସ୍ଥାନେ ଆଂଠୁଏ ପାଣି ଜମିଯିବାରୁ ଗାଡ଼ିମଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଅଳ୍ପ ସମୟ ଭିତରେ ଅଧିକ ବର୍ଷା ସାଙ୍ଗକୁ ଡ୍ରେନଗୁଡ଼ିକ ଠିକ୍ ଭାବେ ସଫା ହୋଇ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ମୌସୁମୀ ବର୍ଷାର ମୁକାବିଲା ପାଇଁ ବିଏମ୍‌ସି, ପୂର୍ତ୍ତ ବିଭାଗ ପୂର୍ବରୁ ଡ୍ରେନ୍‌ଗୁଡ଼ିକ ସଫା କରିଥିଲେ ହେଁ ଏହା ଜଳ ନିଷ୍କାସନରେ ବିଶେଷ ସହାୟକ ହୋଇନଥିବା ଭଳି ଲାଗୁଥିଲା। ଏନେଇ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ପଚାରିବାରୁ କହିଛନ୍ତି ଯେ, ଯେତେ ସଫା କଲେ ବି ପ୍ରଥମ ବର୍ଷାରେ ନିଶ୍ଚିତ ପାଣି ଜମିବ। ହେଲେ ଏହି ବର୍ଷାରେ ଡ୍ରେନ୍‌ରେ ଥିବା ଅଳିଆ ଓ ଜାମ୍ ଧୋଇଯାଇଛି। ଆଗକୁ ଆଉ ପାଣି ଜମିବନି। ଯେଉଁଠି ପାଣି ଜମିବାର ଆଶଙ୍କା ଥିଲା ସେଠାରେ ଆମେ ପାଣି ପମ୍ପ ଲଗାଇଥିଲୁ। ଜଳ ନିଷ୍କାସନ କରାଯାଇଛି। ବର୍ଷାରେ କାହାର କିଛି ସମସ୍ୟା ହୋଇନି କି କେହି ଜଳବନ୍ଦୀ ହୋଇନାହାନ୍ତି। ଶନିବାର ସଂଧ୍ୟାରେ ପ୍ରବଳ ବର୍ଷା ଲାଗି ରହିଥିବାବେଳେ ଅଧିକାଂଶ ଅଞ୍ଚଳରେ ଷ୍ଟ୍ରିଟଲାଇଟ୍ ଜଳୁନଥିଲା। ବହୁ ଅଞ୍ଚଳ ଅନ୍ଧକାର ଥିବାରୁ ଲୋକମାନେ ଡ୍ରେନ୍ ଓ ରାସ୍ତା କେଉଁଟା ଜାଣି ନପାରି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଗତ କିଛି ଦିନ ହେଲା ରାଜଧାନୀରେ ପ୍ରାୟ ସମସ୍ତ ଛକରେ ଷ୍ଟ୍ରିଟଲାଇଟ୍ ଜଳୁନଥିଲେ ହେଁ ବିଏମ୍‌ସି କର୍ତ୍ତୃପକ୍ଷ କିଛି ପଦକ୍ଷେପ ନନେବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲା ବୋଲି କୁହାଯାଉଛି।

Share Now:

Kalinga News Beuro

Next Post

ରାଜଧାନୀ ରାସ୍ତାରେ ବୀଭତ୍ସ ହତ୍ୟାକାଣ୍ଡ: ଘଟଣାସ୍ଥଳରୁ ହତ୍ୟାକାରୀକୁ କାବୁ କଲା ପୁଲିସ

Sun Jun 13 , 2021
ଭୁବନେଶ୍ବର : ରାଜଧାନୀରେ ସାମାନ୍ୟ ଗଣ୍ଡଗୋଳରୁ ଗଡ଼ୁଛି ମୁଣ୍ଡ। କଥା କଥା‌କେ କିଏ ହାଣି ଦେଉଛି ତ କିଏ ପଥରରେ ମୁଣ୍ଡକୁ ଛେଚି ଦେଉଛି। ଶନିବାର ସନ୍ଧ୍ୟାରେ ରାଜଧାନୀର କେନ୍ଦ୍ରସ୍ଥଳ ରାଜମହଲ-ଶିଶୁଭବନ ଛକର ସ୍ମାର୍ଟ ଜନପଥରେ ଜଣେ ଶ୍ରମିକ ଅନ୍ୟ ଜଣେ ସାଥୀକୁ କଂକ୍ରିଟ ଖଣ୍ଡରେ ଛେଚି ହତ୍ୟା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତକଙ୍କ ନାଁ ତ୍ରିନାଥ ବୋଲି ଜଣାପଡ଼ିଛି। କିନ୍ତୁ ତାଙ୍କର ଘର କିମ୍ବା ସମ୍ପୂର୍ଣ୍ଣ […]
ରାଜଧାନୀ ରାସ୍ତାରେ ବୀଭତ୍ସ ହତ୍ୟାକାଣ୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial