ମଞ୍ଚେଶ୍ବର ଶିଳ୍ପାଞ୍ଚଳର ରାସ୍ତା ଶୋଚନୀୟ : ସମାଧାନ ଶୂନ

ମଞ୍ଚେଶ୍ବର ଶିଳ୍ପାଞ୍ଚଳର ରାସ୍ତା ଶୋଚନୀୟ

ଭୁବନେଶ୍ବର: ଭୁବନେଶ୍ବରର ଅନ୍ୟତମ ଶିଳ୍ପାଞ୍ଚଳ ମଞ୍ଚେଶ୍ବର ଶିଳ୍ପାଞ୍ଚଳର ଭିତର ରାସ୍ତା ଅବସ୍ଥା ବଡ଼ କଦର୍ଯ୍ୟ ଓ ଶୋଚନୀୟ ହୋଇପଡ଼ିଛି। ଦୀର୍ଘ ବର୍ଷ ଧରି ମରାମତି ହୋଇ ନଥିବାରୁ ରାସ୍ତାଗୁଡ଼ିକରୁ ପିଚୁ ଉଠି ବଡ଼ବଡ଼ ଖାଲଖମା ସୃଷ୍ଟି ହୋଇଛି। କୌଣସି ଅପନ୍ତରା ଅଞ୍ଚଳର ରାସ୍ତାଠାରୁ ଏହି ସବୁ ରାସ୍ତା ଯାତାୟାତ ପାଇଁ ଅଧିକ ବିପଦସଂକୁଳ ବୋଲି ଦେଖୁ ଦେଖୁ ଅନୁମାନ କରିହେବ। କିଛି ଶିଳ୍ପସଂସ୍ଥା ରାସ୍ତା ମରାମତି ପାଇଁ ଦାବି କରୁଥିବା ବେଳେ ଅଧିକାଂଶ ବଡ଼ବଡ଼ ଶିଳ୍ପ ସଂସ୍ଥା ବିଭିନ୍ନ କାରଣରୁ ନିରବ ରହୁଥିବାରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି।
ଏହି ଅଞ୍ଚଳର ପ୍ରାୟ ସବୁ ରାସ୍ତାରେ ମାଳମାଳ ଗଭୀର ଖାଲ। ଗୋଟିଏ ଗୋଟିଏ ଖାଲ ଗଡ଼ିଆ ସଦୃଶ। ଏବେ ବର୍ଷା ଦିନ ଆରମ୍ଭ ହୋଇଥିବାରୁ ଉକ୍ତ ଗାତ ସବୁ ପାଣି ଭର୍ତ୍ତି ହୋଇ ରହିଛି ଓ ଛୋଟ ପୁଷ୍କରିଣୀର ଭ୍ରମ ସୃଷ୍ଟି କରୁଛି। ବଡ଼ବଡ଼ ଟ୍ରକ୍‌ ଉକ୍ତ ଖାଲରେ ପଶି ଯାତାୟାତ କରିବା ଦ୍ବାରା ପାଣି ଉଛୁଳି ପୂରା ରାସ୍ତାକୁ କାଦୁଅ କରି ପକାଉଛି। ଏଠାରେ ୮୬ରୁ ଅଧିକ ବଡ଼ ଶିଳ୍ପ ସଂସ୍ଥା, ଗଣମାଧ୍ୟମ ସଂସ୍ଥା ଏବଂ ଛୋଟ ଶିଳ୍ପ ମିଶି ପ୍ରାୟ ୩୦୦ରୁ ଅଧିକ ସଂସ୍ଥା ଅଛି। ପ୍ରତିଦିନ ଶିଳ୍ପ ସଂସ୍ଥାମାନଙ୍କ ଯାନାବହନ ସମେତ ସ୍ଥାନୀୟ ଚକେଇସିହାଣୀ, ମଞ୍ଚେଶ୍ବର, ସମେଇଗାଡ଼ିଆ, ଭୋଟପଡ଼ା ଆଦି ଅଞ୍ଚଳର ଶହଶହ ଲୋକ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଥିବାରୁ ସମ‌ସ୍ତେ ବଡ଼ ହୀନସ୍ତା ହେଉଛନ୍ତି। ରାସ୍ତା ସମସ୍ୟା ସହିତ ଏଠିକାର ଡ୍ରେନ୍ ସମସ୍ୟା ମଧ୍ୟ ଗୁରୁତର। ପ୍ରାୟ ସବୁ ଡ୍ରେନ୍‌ ମୁକୁଳା ପଡ଼ିଛି। ନିୟମିତ ସଫା ହେଉ ନଥିବାରୁ ପୋତି ହୋଇଗଲାଣି ଓ ବର୍ଷା ଜଳ ଉଛୁଳି ରାସ୍ତା ଓ ଶିଳ୍ପ ସଂସ୍ଥା ଭିତରକୁ ପଶୁଛି। ସେହିଭଳି ଅନେକ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଷ୍ଟ୍ରିଟ୍‌ ଲାଇଟ୍‌ ନଥିବାରୁ ଲୋକେ ସମସ୍ୟାରେ ପଡ଼ୁଛନ୍ତି। ଏନେଇ ମଞ୍ଚେଶ୍ବର ଶିଳ୍ପାଞ୍ଚଳ ସଂଘର ସମ୍ପାଦକ ମହେନ୍ଦ୍ର ପାତ୍ର କହିଛନ୍ତି ଯେ ରାସ୍ତା ସମସ୍ୟା ବାବଦରେ ବାରମ୍ବାର ଇଡ୍‌କୋ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରୁଛୁ। ହେଲେ ସମସ୍ୟାର କୌଣସି ସମାଧାନ ହେଉନାହିଁ।

Share Now:

Kalinga News Beuro

Next Post

ଧର୍ମସଭାରେ ଭିଡ଼ : ୯ ଆୟୋଜକ ଅଟକ

Fri Jun 25 , 2021
ବାରଙ୍ଗ : କୋଭିଡ୍‌ ନିୟମ ଉଲ୍ଲଂଘନ କରି ଧର୍ମସଭା କରୁଥିବା ଅଭିଯୋଗରେ ଚନ୍ଦକା ଥାନା ପୁଲିସ ଭାଲୁଙ୍କାରେ ଚଢ଼ଉ କରି ୯ ଜଣ ଆୟୋଜକଙ୍କୁ ଅଟକ ରଖିଥିଲା। ପରେ ସେମାନଙ୍କୁ ତାଗିଦ୍ କରି ଛାଡ଼ି ଦିଆଯାଇଛି। କିନ୍ତୁ ଧର୍ମସଭାରୁ ଜବତ ହୋଇଥିବା ମାଇକ୍‌ ସେଟ୍‌ ଓ କ୍ୟାମେରା ଆଦି ଉପକରଣ ସବୁକୁ ସେମାନଙ୍କୁ ହସ୍ତାନ୍ତର କରାଯାଇନାହିଁ। ଗତକାଲି ଭାଲୁଙ୍କା ଆଦିବାସୀ ବସ୍ତିରେ ଏକ ଧର୍ମସଭା ଆୟୋଜନ ହେଉଥିବା ନେଇ ଅଭିଯୋଗ […]
ଧର୍ମସଭାରେ ଭିଡ଼

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial