ବାରଙ୍ଗ : କୋଭିଡ୍ ନିୟମ ଉଲ୍ଲଂଘନ କରି ଧର୍ମସଭା କରୁଥିବା ଅଭିଯୋଗରେ ଚନ୍ଦକା ଥାନା ପୁଲିସ ଭାଲୁଙ୍କାରେ ଚଢ଼ଉ କରି ୯ ଜଣ ଆୟୋଜକଙ୍କୁ ଅଟକ ରଖିଥିଲା। ପରେ ସେମାନଙ୍କୁ ତାଗିଦ୍ କରି ଛାଡ଼ି ଦିଆଯାଇଛି। କିନ୍ତୁ ଧର୍ମସଭାରୁ ଜବତ ହୋଇଥିବା ମାଇକ୍ ସେଟ୍ ଓ କ୍ୟାମେରା ଆଦି ଉପକରଣ ସବୁକୁ ସେମାନଙ୍କୁ ହସ୍ତାନ୍ତର କରାଯାଇନାହିଁ। ଗତକାଲି ଭାଲୁଙ୍କା ଆଦିବାସୀ ବସ୍ତିରେ ଏକ ଧର୍ମସଭା ଆୟୋଜନ ହେଉଥିବା ନେଇ ଅଭିଯୋଗ ହୋଇଥିଲା। କୋଭିଡ୍ ନିୟମକୁ ବେଖାତିର କରି ଆୟୋଜକମାନେ ସଭାସ୍ଥଳରେ ଶତାଧିକ ଲୋକଙ୍କୁ ଏକାଠି କରାଇଥିଲେ। ସଭାସ୍ଥଳରେ ମାଇକ୍ ବାଜୁଥିଲା ଓ କ୍ୟାମେରାରେ ଫଟୋ ଉତ୍ତୋଳନ ହେଉଥିଲା। ଲକ୍ଡାଉନ୍ ଚାଲିଥିବା ବେଳେ ଏଭଳି ସବୁ ସାମାଜିକ ତଥା ଧାର୍ମିକ କାର୍ଯ୍ୟ ପାଇଁ ୨୫ରୁ ଅଧିକ ଲୋକଙ୍କୁ ଅନୁମତି ନଥିବା ସତ୍ତ୍ବେ ଏଠାରେ ଆୟୋଜକମାନେ ଲୋକଙ୍କ ଭିଡ଼ କରାଇଥିଲେ।
ସୂଚନା ପାଇ ଚନ୍ଦକା ଥାନା ପୁଲିସ ଚଢ଼ଉ କରିଥିଲା। ସଭାସ୍ଥଳରୁ ଆନ୍ଧ୍ରପ୍ରଦେଶ ଇଚ୍ଛାପୁର ଶ୍ରୀକାକୁଲ୍ମର ଆନନ୍ଦ ରେଡ୍ଡୀ(୩୫), ଭୁବନେଶ୍ଵର ନୀଳାଦ୍ରିବିହାରର ରଞ୍ଜନ ସାହୁ (୨୫), କନ୍ଧମାଳ ରାଇକିଆର କୁଲଦୀପ ନାଏକ (୩୫), ଗଞ୍ଜାମ କୋଦଳାର ଅକ୍ଷୟ କୁମାର ସାହୁ(୨୮), ଗଞ୍ଜାମ ଦିଗପହଣ୍ଡିର ଚନ୍ଦ୍ରକାନ୍ତ ନାଏକ, ଇଚ୍ଛାପୁରମ୍ର ମମୟା ରେଡ୍ଡୀ (୨୨), ଗଞ୍ଜାମର ବାଦଲ ନାଏକ (୨୨) ଓ ଭଞ୍ଜନଗର ଅମୀୟ ମଲ୍ଲିକ (୩୦)ଙ୍କୁ ଥାନାକୁ ଉଠାଇ ଆଣିଥିଲା। ଧର୍ମସଭା ନାଁରେ ନିରୀହ ଆଦିବାସୀ ଲୋକଙ୍କୁ ଏକାଠି କରିବା ଦ୍ବାରା ବାହାରୁ ଆସୁଥିବା ଏହି ଆୟୋଜକମାନେ କରୋନା ସଂକ୍ରମଣର ବାହକ ହେବା ଆଶଙ୍କା ଅଛି ବୋଲି କିଛି ବସ୍ତିବାସିନ୍ଦା କହିଛନ୍ତି।
ଧର୍ମସଭାରେ ଭିଡ଼ : ୯ ଆୟୋଜକ ଅଟକ

Share Now: