ଆଜି ଦ୍ଵିତୀୟ ଓ ତୃତୀୟ ସମାବର୍ତ୍ତନ ଉତ୍ସବ : ଏମ୍‌ସର ଗର୍ବ ଓଡ଼ିଆ ଝିଅ ଡା. ମନୀଷା ଓ ଡା. ରୋଜାଲିନ୍‌

ଖଣ୍ଡଗିରି: ଶନିବାର ଦୁଇଟି ପର୍ଯ୍ୟାୟରେ ଭୁବନେଶ୍ୱର ଏମ୍‌ସର ଦ୍ଵିତୀୟ ଓ ତୃତୀୟ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ। ଏହି ଉତ୍ସବରେ ୨୦୧୩ ଓ ୨୦୧୪ମସିହାର ଏମ୍‌ବିବିଏସ୍, ବିଏସ୍‌ସି ନର୍ସିଂ, ବିଏସ୍‌ସି ପାରାମେଡିକାଲ ଓ ଏମ୍‌ଡି/ଏମ୍‌ଏସ୍ ବିଭାଗର ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରି ପ୍ରଦାନ କରାଯିବ। ୨୦୧୩ ଓ ୨୦୧୪ ମସିହା ପାଇଁ ଶ୍ରେଷ୍ଠ ଏମ୍‌ବିବିଏସ୍ ଗ୍ରାଜୁଏଟ୍‌ ଭାବେ ଓଡ଼ିଆ ଝିଅ ମନୀଷା ମହାନ୍ତି ଓ ରୋଜାଲିନ୍ ପରିଡ଼ାଙ୍କୁ ସମ୍ମାନିତ କରାଯିବ।
ଆଜି ଏମ୍‌ସ ନିର୍ଦ୍ଦେଶିକା ପ୍ରଫେସର୍‌ ଗୀତାଞ୍ଜଳି ବି. ଏହି ଉତ୍ସବ ସମ୍ପର୍କ‌ରେ ସୂଚନା ଦେଇ କହିଲେ ଯେ ପୂର୍ବାହ୍ନରେ ଆୟୋଜିତ ଦ୍ଵିତୀୟ ସମାବର୍ତ୍ତନ ଉତ୍ସବରେ ପବ୍ଲିକ ହେଲ୍‌ଥ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ସଭାପତି ପଦ୍ମଭୂଷଣ ପ୍ରଫେସର୍‌ ଡାକ୍ତର କେ. ଶ୍ରୀନାଥ ରେଡ୍ଡୀ ଓ ଅପରାହ୍‌ଣରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ଉତ୍ସବରେ ଇଣ୍ଡିଆନ୍‌ କାଉନ୍‌ସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚର ନିର୍ଦ୍ଦେଶକ ପଦ୍ମଶ୍ରୀ ‌ପ୍ରଫେସର ଡାକ୍ତର ବଲରାମ ଭାର୍ଗବ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଭୁବନେଶ୍ୱର ଏମ୍‌ସର ପରିଚାଳନା କମିଟି ସଭାପତି ତଥା ପଦ୍ମଶ୍ରୀ ପ୍ରଫେସର୍‌ ଡାକ୍ତର ସୁବ୍ରତ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ମୋଟ୍‌ ୧୯୨ଜଣଙ୍କୁ ଏମ୍‌ବିବିଏସ୍, ୧୦୮ ଜଣଙ୍କୁ ବିଏସ୍‌ସି ନର୍ସିଂ, ୨୮ଜଣଙ୍କୁ ବିଏସ୍‌ସି ପାରାମେଡିକାଲ ଓ ୧୭ ଜଣଙ୍କୁ ଏମ୍‌ଡି/ଏମ୍‌ଏସ୍ ଡିଗ୍ରି ପ୍ରଦାନ କରାଯିବ। ଏହି ଦୁଇ ବ୍ୟାଚ୍‌ରୁ ପାସ୍ କରିଥିବା ଏମ୍‌ବିବିଏସ୍‌ର ବହୁ ଛାତ୍ରଛାତ୍ରୀ ଦିଲ୍ଲୀ ଏମ୍‌ସ, ବେଙ୍ଗାଲୁରୁ ନିମାହନ୍‌ସ, ଚଣ୍ଡିଗଡ଼ ପିଜିମର୍‌ ଓ ପୁଡୁଚେରି ଜିପମର୍‌ର ପ୍ର‌ବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସ୍ନାତକୋତ୍ତର ଡିଗ୍ରି ପାଇଁ ମନୋନୀତ ହୋଇଛନ୍ତି ବୋଲି ସେ କହିଥିଲେ। ୨୦୧୩ ମସିହାର ଶ୍ରେଷ୍ଠ ଛାତ୍ରୀ ଡାକ୍ତର ମନୀଷା ମହାନ୍ତି ବେଙ୍ଗାଲୁରୁ ନିମାହନ୍‌ସ ପ୍ରବେଶିକା ପରୀକ୍ଷାରେ ଟପର୍‌ ଓ ୨୦୧୪ ମସିହାର ଡାକ୍ତର ରୋଜାଲିନ୍‌ ପରିଡ଼ା ଦିଲ୍ଲୀ ଏମ୍‌ସ ପ୍ରବେଶିକା ପରୀକ୍ଷାରେ ଦ୍ଵିତୀୟ ରୢାଙ୍କ ପାଇ ଭୁବନେଶ୍ୱର ଏମ୍‌ସକୁ ଗର୍ବିତ କରିଛନ୍ତି। ଏମ୍‌ସ ଅଗ୍ରଗତି ସମ୍ପର୍କରେ ନିର୍ଦ୍ଦେଶିକା ପ୍ରଫେସର୍‌ ଗୀତାଞ୍ଜଳି କହିଲେ ଯେ ସମସ୍ତ ୪୨ବିଭାଗ କାର୍ଯ୍ୟ କରୁଛି ଓ ଧାର୍ଯ୍ୟ ୯୬୦ ଶଯ୍ୟାରୁ ଏବେ ୮୮୯ ଶଯ୍ୟା କାର୍ଯ୍ୟକ୍ଷମ ହୋଇଛି। ସେହିଭଳି ଧାର୍ଯ୍ୟ ୧୦୦ ଆଇସିୟୁ ମଧ୍ୟରୁ ୬୩ଟି କାମ କରୁଛି, ଯେଉଁଥିରେ ୨୭ଟି ଭେଣ୍ଟିଲେଟର୍‌ ଖଚିତ ଶଯ୍ୟା ସାମିଲ୍‌ ହୋଇଛି। ଅବଶିଷ୍ଟ ୩୭ ଆଇସିୟୁ କାର୍ଯ୍ୟକ୍ଷମ କରିବା ପାଇଁ ଉଦ୍ୟମ ଚାଲିଛି। ସେହିଭଳି ୨୫ମଡ୍ୟୁଲାର୍ ଓଟି ମଧ୍ୟରୁ ୧୫ଟି କାମ କରୁଛି ଓ ବାକି ୧୦ଟି ନିର୍ମାଣ ସରିଥିବା ବେଳେ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରସ୍ତୁତି ଚାଲିଛି। ଦିନକୁ ଦିନ ଟ୍ରମା ସେଣ୍ଟର(ମାତ୍ର ୩୦ ଶଯ୍ୟା) ଉପରେ ଅଧିକ ଚାପ ପଡ଼ୁଥିବା ବେଳେ ୫୦ଶଯ୍ୟା ବିଶିଷ୍ଟ ନୂତନ ଟ୍ରମା ସେଣ୍ଟର୍‌ର ନିର୍ମାଣ କାମ ଚାଲିଛି ବୋଲି ସେ କହିଥିଲେ।

Share Now:

Kalinga News Beuro

Leave a Reply

Next Post

ବିଜେପି ମହିଳା କର୍ପୋରେଟର ନିଜ ଦଳର ପୂର୍ବତନ ବିଧାୟକଙ୍କ ବିରୋଧରେ ଆଣିଲେ ଦୁଷ୍କର୍ମ ଅଭିଯୋଗ

Sat Feb 29 , 2020
ଥାଣେ/ ମୁମ୍ବାଇ: ମହାରାଷ୍ଟ୍ର ବିଜେପିର ଜନୈକ ପୂର୍ବତନ ବିଧାୟକ ତାଙ୍କ ନିଜ ଦଳର ଜନୈକା ମହିଳା କର୍ପୋରେଟରଙ୍କୁ ଦୁଷ୍କର୍ମ କରିବା ସହ ତାଙ୍କୁ ଯୌନ ନିର୍ଯାତନା ଦେବା ଘଟଣା ଏବେ ମହାରାଷ୍ଟ୍ରରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣା ସଂପର୍କରେ ପୀଡ଼ିତା କର୍ପୋରେଟର ଥାଣେ ପୁଲିସ୍‌ ଥାନାରେ ଲିଖିତ ଅଭିଯୋଗ ଆଗତ କରିବା ପରେ ପୁଲିସ୍‌ ଏବେ ସଂପୃକ୍ତ ବିଧାୟକ ଓ ତାଙ୍କର ଅନ୍ୟଜଣେ ସହଯୋଗୀଙ୍କ ବିରୋଧରେ ବିଧିବଦ୍ଧ ଭାବେ ଏକ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial