କାହା ସ୍ୱାର୍ଥରେ ବସ‌ଷ୍ଟପ୍‌ରେ ୨୫କୋଟି ବରବାଦ କଲେ ସରକାର : ମିଳିଲା କଣ ?

ବସ୍‌ଷ୍ଟପ୍‌ରେ ୨୫କୋଟି ବରବାଦ

ଅଧା‌ରୁ ଅଧିକ ବିକ୍ୟୁଏସ୍‌ ଭାଙ୍ଗିରୁଜି ଗଲାଣି, ଡିଜିଟାଲ୍‌ ସେବା ମିଳିଥାନ୍ତା, ଏବେ ଅନ୍ଧାରରେ

ଭୁବନେଶ୍ୱର : ରାଜଧାନୀର ସମସ୍ତ ପ୍ରମୁଖ ରାସ୍ତାରେ ପ୍ରତି ୫୦୦ମିଟରରୁ ୧କିମି ମଧ୍ୟରେ ଗୋଟିଏ ଲେଖାଏଁ ବସ୍‌ଷ୍ଟପ୍‌ ଥିବା ସମସ୍ତଙ୍କ ନଜରରେ ପଡ଼ୁଛି। କାଁ ଭାଁ ବୋର୍ଡରେ ଲାଇଟ୍‌ ଜଳୁଛି ଆଉ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଦେଖିବାକୁ ମିଳୁଛି। କେଉଁଠି କରୋନା ନେଇ ସଚେତନତା ବାର୍ତ୍ତା ଦିଆଯାଇଥିବା ଦେଖିବାକୁ ମିଳୁଛି। ଅଧିକାଂଶ ସ୍ଥାନରେ କିନ୍ତୁ ଭଙ୍ଗାଦଦରା ଅବସ୍ଥାରେ ବସ୍‌ଷ୍ଟପ୍‌ ପଡ଼ିଛି। କେଉଁଠି ‌ବାସହରା ଲୋକ ଅଖା ପାରି ଶୋଇଛନ୍ତି ତ କେଉଁଠି ଷଣ୍ଢର ଗୋବର ଏତେ ଗଦା ହୋଇଛି ଯେ ଲୋକ ଛିଡ଼ା ହେବାକୁ ଜାଗା ନାହିଁ। ଏହି ଅତ୍ୟାଧୁନିକ ବସ୍‌ଷ୍ଟପ୍‌ ବା ବସ୍‌ କ୍ୟୁ ସେଲ୍‌ଟର ନିର୍ମାଣ ପାଇଁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ କର୍ତ୍ତୃପକ୍ଷ ୨୫କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ରାଜଧାନୀରେ ୨୦୦ଟି ବସ୍‌ କ୍ୟୁ ସେଲ୍‌ଟର ନିର୍ମାଣ ପାଇଁ ୨୧କୋଟି ୨୦ଲକ୍ଷ ଟଙ୍କା ଏବଂ ଏହାର ମରାମତି ପାଇଁ ୪କୋଟି ଖର୍ଚ୍ଚ କରିସାରି‌ଲେଣି। କିନ୍ତୁ ଏହା ଯେଉଁ କାମରେ ଲାଗିବାର ଥିଲା ଲାଗିଲାନି କି ଏଥିରୁ ବର୍ଷକୁ ପ୍ରାୟ ୧୦କୋଟି ରାଜସ୍ବ ଆଦାୟ କରିବାକୁ ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ ଯେଉଁ ଲକ୍ଷ୍ୟ ରଖିଥିଲେ ସେ ବାବଦକୁ ଆଜି ପର୍ଯ୍ୟନ୍ତ ଟଙ୍କାଟିଏ ପାଇଲେନି। ଫଳରେ ବିଏସ୍‌ସିଏଲ୍‌ର ୨୫କୋଟି ବରବାଦ ହେଲା ବୋଲି କୁହାଗଲାଣି। କ୍ରୁଟ୍‌ ଅଧୀନରେ ଏବେ ବସ କ୍ୟୁ ସେଲ୍‌ଟର ଥିଲେ ହେଁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ଏହା ଅନ୍ୟତମ ବିଫଳ ପ୍ରକଳ୍ପ ଭାବେ ଗଣାହେଲାଣି। ଏହି ବସ‌ କ୍ୟୁ ସେଲ୍‌ଟର ବିଫଳ ପ୍ରକଳ୍ପ ହେବାର ଅନ୍ୟତମ କାରଣ ହେଲା ଏଥିରୁ ବିଜ୍ଞାପନ ବାବଦକୁ ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ ବର୍ଷକୁ ପ୍ରାୟ ୧୦କୋଟି ଆଦାୟ କରିବେ ବୋଲି ଲକ୍ଷ୍ୟ ରଖିଥିଲେ। ବିକ୍ୟୁଏସ୍‌ ପାଇଁ ବିଏମ୍‌ସି ଜାଗା ଯୋଗାଇଥିବାରୁ ମୋଟ୍‌ ଆୟର ୪୦%, ବିଏସ୍‌ସିଏଲ୍‌ ୨୧କୋଟି ଖର୍ଚ୍ଚ କରିଥିବାରୁ ତା’ର ମୋଟ୍‌ ଆୟର ୪୦% ଏବଂ କ୍ରୁଟ୍‌ ଏହାର ରକ୍ଷଣାବେକ୍ଷଣ କରିବା‌କୁ ଥିବାରୁ ୨୦% ପାଇଥାନ୍ତେ। ବସ‌ କ୍ୟୁ ସେଲ୍‌ଟର ଦୁଇ ବର୍ଷ ହେଲା ନିର୍ମାଣ ହୋଇଥିଲେ ବି କାହା ଭାଗରେ ଟଙ୍କାଟିଏ ବି ପଡ଼ିନି। ବରଂ ବିଏସ୍‌ସିଏଲ୍‌ ବାତ୍ୟା ଫନି ପରେ ମରାମତି ପାଇଁ ୪କୋଟି ଦେଇସାରିଲାଣି। ଆରମ୍ଭରୁ ବିଭିନ୍ନ ସ୍ଥାନରେ ଯେମିତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଲାଗିଥିଲା ଏବେ ସେମିତି ଲାଗିଛି। କିଛି ସ୍ଥାନରେ କରୋନା ସଚେତନତା ବାର୍ତ୍ତା ଦିଆଯାଇଛି। ସରକାର ନିଜ ପ୍ରଚାର ମାଗଣାରେ କରିବାକୁ ଏହାଠାରୁ ଭଲ ସ୍ଥାନ ନଥିବାରୁ ଖର୍ଚ୍ଚ ହୋଇଥିବା ୨୫କୋଟି କିପରି ଆଦାୟ ହେବ ସେ‌ ଚିନ୍ତା କାହାର ନାହିଁ। ଆଶ୍ଚର୍ଯ୍ୟର ବିଷୟ ବିକ୍ୟୁଏସ୍‌ ନିର୍ମାଣ ହେବାବେଳେ କୁହାଯାଇଥିଲା ଏହି ଅତ୍ୟାଧୁନିକ ବସଷ୍ଟପ୍‌ରେ ବିଭିନ୍ନ ପ୍ରକାରର ଡିଜିଟାଲ୍‌ ସେବା ମିଳିବ। ଡିଜିଟାଲ୍‌ ସେବା ଦୂର କଥା ଅଧା ବସଷ୍ଟାଣ୍ଡ ଅନ୍ଧାରରେ ପଡ଼ିଛି।

ସୂଚନାଯୋଗ୍ୟ ଯେ, ଯେତେବେଳେ ଭୁବନେଶ୍ବର ପୁରୀ ଟ୍ରାନ୍ସପୋର୍ଟ ସର୍ଭିସେସ୍‌ ଲିମିଟେଡ (ବିପିଟିଏସ୍‌ଏଲ୍‌) ଭୁବନେଶ୍ବରରେ ସିଟି ବସ୍‌ ଚଲାଉଥିଲା ସେତେବେଳେ ବିଏମ୍‌ସି ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରାୟ ୪୦ଟି ବସ୍‌ଷ୍ଟପ୍‌ ନିର୍ମାଣ କରାଯାଇଥିଲା। ସେଗୁଡ଼ିକର ରକ୍ଷଣାବେକ୍ଷଣ କରିବା ପାଇଁ ଘରୋଇ ସଂସ୍ଥାକୁ ଦାୟିତ୍ବ ଦେଇଥିଲା। ଏହା ବଦଳରେ ତାଙ୍କୁ ବିଜ୍ଞାପନ ଲଗାଇବାକୁ ଅଧିକାର ଦେଇଥିଲା। ବସଷ୍ଟାଣ୍ଡଗୁଡ଼ିକର ଦୟନୀୟ ସ୍ଥିତି ହୋଇଗଲା। ବିଏମ୍‌ସି କର୍ତ୍ତୃପକ୍ଷ ଘରୋଇ ସଂସ୍ଥାକୁ ଛଡ଼ାଇବାକୁ ଚାହିଁ ଉନ୍ନତୀକରଣ କରିବାକୁ ଯୋଜନା କରିବାରୁ ବିବାଦ ଉପୁଜିଥିଲା। ଏହାପରେ ବିପିଟିଏସ୍‌ଏଲ୍‌କୁ ଭାଙ୍ଗି କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍‌) କରିଦେଲେ। ଭୁବନେଶ୍ବର-କଟକ-ପୁରୀ-କୋଣାର୍କ-ଖୋର୍ଦ୍ଧା-ଜଟଣୀ-ଚୌଦ୍ବାର ଆଦି ଅଞ୍ଚଳକୁ ବସ୍‌ ଚଳାଇବା ଯୋଜନା ହେଲା। ଏଥିପାଇଁ ପ୍ରାୟ ୫୦୦ ବସ୍‌ କ୍ୟୁ ସେଲ୍‌ଟର ନିର୍ମାଣ କରିବାକୁ ଯୋଜନା ହୋଇଥିବାବେଳେ କେବଳ ଭୁବନେଶ୍ବରରେ ୨୦୦ ବିକ୍ୟୁଏସ୍‌ ନିର୍ମାଣ କରାଗଲା। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ୧୦ମ ବୋର୍ଡ ବୈଠକରେ ଏହି ୨୦୦ ବସ୍‌ କ୍ୟୁ ସେଲ୍‌ଟର ନିର୍ମାଣ ନେଇ ମୋହର ବାଜିଥିଲା। ବିଏସ୍‌ସିଏଲ୍‌ ଅଧ୍ୟକ୍ଷ ତଥା ତତ୍କାଳୀନ ଉନ୍ନୟନ କମିସନର ଆର୍.ବାଲକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ସେପ୍ଟେମ୍ବର, ୨୦୧୮ରେ ବସିଥିବା ଏହି ବୈଠକରେ ବିକ୍ୟୁଏସ୍‌ର ଡିଜାଇନ୍‌ କିପରି ହେବ ତାହା ଉପରେ ମୋହର ବାଜିଥିଲା। ଜେଏସ୍‌ଏଲ୍‌ ଲାଇଫ୍‌ ଷ୍ଟାଇଲ୍‌କୁ କାମ ଦେବା ନେଇ ବି ଏଥିରେ ମୋହର ବାଜିଥିଲା। ନୂଆ ରୂପରେ ଆସିଥିବା ବସ୍‌ଷ୍ଟପ୍‌ ସ୍ଥିତି ଏମିତି ହେବ ବୋଲି କିଏ ଜାଣିଥିଲା?

Share Now:

Kalinga News Beuro

Next Post

ଆଜି ଦେଶର ଦୁଇ ଜନନାୟକ ‘ଗାନ୍ଧୀ-ଶାସ୍ତ୍ରୀ’ଙ୍କୁ ଝୁରୁଛି ଦେଶ

Fri Oct 2 , 2020
ନୂଆଦିଲ୍ଲୀ/ଭୁବନେଶ୍ୱର: ଅକ୍ଟୋବର-୨ ଭାରତ ପାଇଁ ଏକ ପବିତ୍ର ଦିନ । ଏଇ ଦିନ ଦୁଇ ଦୁଇ ଜଣ ମହାତ୍ମା ଜନ୍ମ ନେଇ ଏଇ ମାଟିକୁ କରିଥିଲେ ମହାନ୍‌। ସେ ହେଉଛନ୍ତି ଜାତିର ଜନକ ମହାତ୍ମା ଗାନ୍ଧି ଏବଂ ସ୍ୱାଧୀନ ଭାରତର ୨ୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ। ଆଜି ସାରା ଦେଶ ଏଇ ଦୁଇ ମହାନ୍‌ ଜନନାୟକଙ୍କ ଜନ୍ମଦିବସ ପାଳନ କରୁଛି। ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ଓ […]
ଦେଶର ଦୁଇ ଜନନାୟକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial