ମୁମ୍ବାଇ : ୟୁଏଇ ଓ ଓମାନରେ ଆସନ୍ତା ଅକ୍ଟୋବର ୧୭ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ଟି୨୦ ବିଶ୍ବକପ କ୍ରିକେଟ ଖେଳାଯିବ ବୋଲି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଘୋଷଣା କରିଛି। ଏଥିପାଇଁ ପୂର୍ବରୁ ବିସିସିଆଇ ଦେଇଥିବା ପ୍ରସ୍ତାବରେ ଆଇସିସି ମୋହର ମାରିଛି। ଏହି ଟୁର୍ଣ୍ଣାମେଣ୍ଟ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ, ଆବୁ ଧାବିର ଶେଖ ଜାୟେଦ୍ ଷ୍ଟାଡିୟମ, ଶାରଜା ଷ୍ଟାଡିୟମ ଓ ଓମାନ କ୍ରିକେଟ ଏକାଡେମୀ ଗ୍ରାଉଣ୍ଡରେ ଖେଳାଯିବ। ବିସିସିଆଇ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜକ ରହିବ। ଭାରତରେ କରୋନା ମହାମାରୀ ଯୋଗୁଁ ଆଇପିଏଲ ପରି ବିଶ୍ବକପକୁ ବି ୟୁଏଇକୁ ଘୁଞ୍ଚାଇ ନିଆଯିବ ବୋଲି କିଛି ଦିନ ତଳେ ବିସିସିଆଇ ସୂଚନା ଦେଇଥିଲା। ଟି୨୦ ବିଶ୍ବକପକୁ ୟୁଏଇରେ ଆୟୋଜନ କରାଯିବା ସମ୍ପର୍କରେ ବିସିସିଆଇ ସଚିବ ଜୟ ଶାହା କହିଛନ୍ତି ଯେ ଭାରତରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ମହାମାରୀ ମଧ୍ୟରେ ଏପରି ଏକ ବୃହତ ଟୁର୍ଣ୍ଣାମେଣ୍ଟ ଭାରତରେ ଆୟୋଜନ କରିଥିଲେ ତାହା ସମସ୍ତଙ୍କ ନିରାପତ୍ତାକୁ ବିପନ୍ନ କରିଥାନ୍ତା। ସୂଚନାଯୋଗ୍ୟ ଯେ ଆଇପିଏଲର ଅବଶିଷ୍ଠ ମ୍ୟାଚ ୟୁଏଇରେ ଆୟୋଜନ କରିବାକୁ ବିସିସିଆଇ ପୂର୍ବରୁ ହିଁ ନିଷ୍ପତ୍ତି ନେଇସାରିଛି।
ୟୁଏଇ ଓ ଓମାନରେ ଖେଳାଯିବ ଟି-୨୦ ବିଶ୍ବକପ : ଆଇସିସି

Share Now: