ପୁଲିସକୁ ମାଡ଼ ମାରିବା ଘଟଣା: ଫେରାର ଅଭିଯୁକ୍ତ ଗିରଫ

ପୁଲିସକୁ ମାଡ଼ ମାରିବା ଘଟଣା

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତେରମାଣପୁର ବାଲିସାହି ଗାଁରେ ପୁଲିସକୁ ଆକ୍ରମଣ କରି ଫେରାର ମାରିଥିବା ଅଭିଯୁକ୍ତକୁ ତିର୍ତ୍ତୋଲ ପୁଲିସ କୁଜଙ୍ଗ ଥାନା ଅନ୍ତର୍ଗତ ବାଲିକଣି ଗାଁରୁ ଗିରଫ କରିଛି। ଅଭିଯୁକ୍ତ ହେଉଛି ବାଲିସାହି ଗାଁର ନନ୍ଦକିଶୋର ବରାଳ। ଅଭିଯୁକ୍ତଠାରୁ ପୁଲିସ ଏକ ଘଣ୍ଟ, ଅଙ୍ଗନ ବାଡ଼ି ଘରୁ ଚୋରି ହୋଇଥିବା ପାଣି ଉଠା ମୋଟର ଓ ସେ ବ୍ୟବହାର କରିଥିବା ଖଣ୍ଡାକୁ ଜବତ କରିଛି। ବାଲିସାହି ଗାଁ ମନ୍ଦିରରୁ ଚୋରି ଅଭିଯୋଗରେ ଗତକାଲି ତିର୍ତ୍ତୋଲ ପୁଲିସ ସନ୍ଧାନୀ କୁକୁର ସହ ନନ୍ଦକିଶୋରକୁ ଧରିବା ପାଇଁ ତା ଘରକୁ ଯାଇଥିବା ବେଳେ ଅଭିଯୁକ୍ତ ଖଣ୍ଡା ଓ ଲାଠି ସାହାଯ୍ୟରେ ଆକ୍ରମଣ କରିଥିଲା। ପୁଲିସକୁ ଆକ୍ରମଣ କରିବା ପରେ ସେଠାରୁ ଫେରାର ହୋଇଯାଇଥିଲା। ଉପରୋକ୍ତ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଥିଲା। ଅନ୍ୟପଟରେ ପୁଲିସ ପାଇଁ ଏହା ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ଗତକାଲି ରାତି ସାରା ପୁଲିସର ଟିମ ଭିନ୍ନ ସ୍ଥାନରେ ଖୋଜା ଖୋଜି କରିବା ପରେ ଅଭିଯୁକ୍ତ ନନ୍ଦକିଶୋରକୁ କୁଜଙ୍ଗ ଥାନା ବାଲିକଣିରେ ତାର ଜଣେ ସଂପର୍କୀୟଙ୍କ ଘରୁ ଗିରଫ କରିଥିଲା। ଅଭିଯୁକ୍ତଙ୍କ ଠାରୁ ପୁଲିସ ଏକ ଘଣ୍ଟ,ପାଣି ଉଠା ମୋଟର ଓ ସେ ବ୍ୟବହାର କରିଥିବା ଖଣ୍ଡାକୁ ଜବତ କରିଛି। ତା’ ନାଁରେ ଏକାଧିକ ମାମଲା ଥିବା ତିର୍ତ୍ତୋଲ ଏସ୍‌ଡିପିଏ ଦୀପକ ଜେନା ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ବୁଧବାର ରାତି ସାଇଲୋ ପଞ୍ଚାୟତ ତୋଟାସାହି ଗ୍ରାମର ବୁଢ଼ୀ ଜାଗୁଳାଇ ମନ୍ଦିର ତାଲା ଭାଙ୍ଗି ଚୋରି ହୋଇଥିଲା। ଏନେଇ ଗାଁ ଲୋକେ ଥାନାରେ ଏତଲା ଦେଇଥିଲେ। ପୁଲିସ ସନ୍ଧାନି କୁକୁର ସାହାଯ୍ୟରେ ତଦନ୍ତ କରିଥିଲା। ତୋଟାସାହି ମନ୍ଦିର ଠାରୁ ସନ୍ଧାନୀ କୁକୁର ପଡୋଶୀ ବାଲିସାହି ଗ୍ରାମର ରତ୍ନାକର ବରାଳଙ୍କ ଘର କବାଟକୁ ଇଙ୍ଗିତ କରିଥିଲା। କବାଟ ବନ୍ଦ ଥିବାରୁ ସାଙ୍ଗରେ ଥିବା କନେଷ୍ଟବଳ ଜଣଙ୍କ କବାଟ ବାଡାଇ ଘରେ କିଏ ଅଛ ଡାକିଥିଲେ। ଘର ଭିତରୁ ରତ୍ନାକରଙ୍କ ପୁଅ ନନ୍ଦକିଶୋର ଏକ ମାରଣାସ୍ତ୍ର ଧରି ବାହାରକୁ ଆସି ହଠାତ କନେଷ୍ଟବଳଙ୍କୁ ଗାଳିଗୁଲଜ କରବା ସହିତ ଆକ୍ରମଣ କରିଥିଲା। ଗାଁ ଦାଣ୍ଡରେ କନେଷ୍ଟବଳଙ୍କୁ ଗୋଡେଇ ଗୋଡେଇ ମାରୁଥିବା ବେଳେ ଅଟକାଇବାକୁ ଉଦ୍ୟମ କରୁଥିବା ୨ ଜଣ ଆହତ ହୋଇଥିଲେ। ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

Share Now:

Kalinga News Beuro

Next Post

ଦୟାୱେଷ୍ଟ କେନାଲର ୮.୫୭କିମି ରାସ୍ତା ହେବ ଦୁଇ ଥାକିଆ : ଖର୍ଚ୍ଚ ହେବ ୧୮.୭୩ କୋଟି ଟଙ୍କା

Fri Jul 2 , 2021
ଭୁବନେଶ୍ବର : ଜୟଦେବବିହାର-ନନ୍ଦନକାନନ ରାସ୍ତାର ଟ୍ରାଫିକ୍‌ ଭିଡ଼ କମାଇବା ପାଇଁ ପୂର୍ତ୍ତ ବିଭାଗ ଓ ବିଡିଏ ମିଳିତ ଭାବେ ଏହି ରାସ୍ତାର ଦୁଇଟି ସମାନ୍ତରାଳ ରାସ୍ତା ନିର୍ମାଣ କରୁଛନ୍ତି। କିନ୍ତୁ ଏହି ଦୁଇଟି ରାସ୍ତା ଏବେ ଅଧାପନ୍ତରିଆ ଥିବାରୁ ଏହା କେବେ ସରିବ କେହି ଠିକ୍ ଭାବେ କହିପାରୁନାହାନ୍ତି। ତେଣୁ ଏହି ରାସ୍ତାର ଆଉ ଏକ ବିକଳ୍ପ ରାସ୍ତା ଭାବେ ଦୟା‌ୱେଷ୍ଟ କେନାଲର ଦକ୍ଷିଣ ପାର୍ଶ୍ବ ରାସ୍ତାକୁ ନିର୍ମାଣ କରାଯିବ। […]
ଦୟାୱେଷ୍ଟ କେନାଲର ରାସ୍ତା ହେବ ଦୁଇ ଥାକିଆ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial