ଆରମ୍ଭ ହେଲା ‘ଭିକାରିମୁକ୍ତ ଭୁବନେଶ୍ବର’ ଅଭିଯାନ : ପ୍ରଥମ ଦିନରେ ୧୯ ଉଦ୍ଧାର

‘ଭିକାରିମୁକ୍ତ ଭୁବନେଶ୍ବର’

ଭୁବନେଶ୍ବର : ମନ୍ଦିର ହେଉ କି ମସ୍‌ଜିଦ୍‌, ଅଥବା ବସ୍‌ଷ୍ଟାଣ୍ଡ, ଟ୍ରାଫିକ୍‌ ଛକ। ସହରର ଗଳିକନ୍ଦିରେ ଦେଖାଦେଉଥିବା ଭିକାରିଙ୍କୁ ଥଇଥାନ କରାଯିବ। ସେମାନଙ୍କ ରହିବା ପାଇଁ ଆଶ୍ରୟସ୍ଥଳୀରେ ବ୍ୟବସ୍ଥା ହେବ ଏବଂ ଖାଇବାକୁ ଦିଆଯିବ। ସହରକୁ ଭିକାରିମୁକ୍ତ କରିବା ଲାଗି ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଏଭଳି ପ୍ରୟାସ କରାଯାଇଛି। ଆଜି ପ୍ରଥମ ଦିନରେ ବଡ଼ ସଫଳତା ମିଳିଛି। ୧୯ ଜଣ ଭିକାରିଙ୍କୁ ଉଦ୍ଧାର କରାଯାଇ ସହରରେ ଥିବା ବିଭିନ୍ନ ଆଶ୍ରୟ ସ୍ଥଳୀରେ ରଖାଯାଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ସକାଳ ୮ଟାରେ ସହରରେ ଭିକାରି ଉଦ୍ଧାର ଓ ଥଇଥାନ ଅଭିଯାନ ଆରମ୍ଭ ହୋଇଥିଲା। ବିଏମ୍‌ସିର ସ୍ବତନ୍ତ୍ର ଟିମ୍‌ ସମେତ କମିସନରେଟ୍ ପୁଲିସ, ସ୍ବେଚ୍ଛାସେବୀ ସଙ୍ଗଠନ ଯଥା ଓଡ଼ିଶା ପତିତା ଉଦ୍ଧାର ସମିତି (ଓପସ), ବିକାଶ ସଙ୍ଗଠନ ଓ ବିଶ୍ବ ଜୀବନ ସେବା ସଂଘ (ବିଜେଏସ୍ଏସ୍)ର ସହଯୋଗରେ ଏହି ଅଭିଯାନକୁ ସୁବ୍ୟବସ୍ଥିତ ଢଙ୍ଗରେ କରାଯାଇଛି।
ରାଜମହଲଠାରୁ ମାଷ୍ଟରକ୍ୟାଣ୍ଟିନ୍, ରାମମନ୍ଦିର ଛକ, ୟୁନିଟ୍‌-୧, ୟୁନିଟ୍‌-୨ ମାର୍କେଟ୍ ଅଞ୍ଚଳ, ଲିଙ୍ଗରାଜ ମନ୍ଦିର ଅଞ୍ଚଳ ଓ ଅନ୍ୟାନ୍ୟ ଜନପଥରେ ଏହି ଅଭିଯାନ ହୋଇଥିଲା। ଉଦ୍ଧାର ହୋଇଥିବା ଭିକାରିଙ୍କ ମଧ୍ୟରୁ ଓପସ୍ ସଂସ୍ଥାରେ ୭ଜଣଙ୍କୁ ରଖାଯାଇଥିବା ବେଳେ ବିକାଶ ଓ ବିଜେଏସ୍ଏସ୍‌ରେ ୬ଜଣ ଲେଖାଏଁ ଭିକାରିଙ୍କୁ ଥଇଥାନ କରାଯାଇଛି। ଓପସ୍‌କୁ ଅଣାଯାଇଥିବା ୭ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଭୀମପୁର ଆଶ୍ରୟସ୍ଥଳୀ, ୨ଜଣ ଲେଖାଏଁଙ୍କୁ ମାଳିସାହି ଓ କଳିଙ୍ଗନଗର ଆଶ୍ରୟସ୍ଥଳୀରେ ରଖାଯାଇଛି। ଗତ ସପ୍ତାହରେ ସାମାଜିକ ମୂଲ୍ୟବୋଧରେ ସ୍ମାର୍ଟସିଟି ଭୁବନେଶ୍ବର ଦୁଇଟି ପୁରସ୍କାର ବିଜେତା ହୋଇଥିବା ବେଳେ ଏବେ ଭିକାରିମୁକ୍ତ ସହର ଗଢ଼ି ତୋଳିବାକୁ କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି। ସହରର ରାଜରାସ୍ତା ଓ ପର୍ଯ୍ୟଟନସ୍ଥଳୀରେ ଭିକ୍ଷାବୃତ୍ତି କରାଯାଉଥିବା ଦେଖିବାକୁ ମିଳୁଥିବାରୁ ବିଏମ୍‌ସି ଏଭଳି ପଦକ୍ଷେପ ନେଇଛି। ଭିକ୍ଷୁକମାନଙ୍କୁ ଉଦ୍ଧାର ପରେ ପ୍ରଥମେ ସେମାନଙ୍କୁ ଆଶ୍ରୟସ୍ଥଳୀରେ ରଖାଯିବ। ଏହାପରେ ସେମାନଙ୍କ ଅବସ୍ଥା ଅନୁଯାୟୀ ତାଙ୍କୁ ସକ୍ଷମ କରାଇବାକୁ ହେବ ବୋଲି ବିଏମ୍‌ସି କମିସନର ସଞ୍ଜୟ କୁମାର ସିଂହ କହିଛନ୍ତି। ଏଥିସହ ନିୟମିତ ଭାବେ ସେମାନଙ୍କୁ ଉଦ୍ଧାର କରାଯିବାର ଅଭିଯାନ ଚଳାଇବାକୁ କମିସନର ନିର୍ଦ୍ଦେଶ ଦେଇଛନ୍ତି। ଆଜିର ଏହି ଅଭିଯାନରେ ୩ଟି ସଂସ୍ଥାର ପ୍ରାୟ ୩୦ଜଣ ସ୍ବେଚ୍ଛାସେବୀ ଯୋଗ ଦେଇଥିଲେ। ଏଥିରେ ସମ୍ପୃକ୍ତ ସଂସ୍ଥାଗୁଡ଼ିକର ଗାଡ଼ି ମଧ୍ୟ ବ୍ୟବହାର କରାଯାଇଥିଲା। ବିଏମ୍‌ସି ଅତିରିକ୍ତ କମିସନର୍‌ ଲକ୍ଷ୍ମୀକାନ୍ତ ସେଠୀ ଉପସ୍ଥିତ ରହି ସଚେତନତା ବାର୍ତା ଦେବା ସହ ଅଭିଯାନକୁ ଆରମ୍ଭ କରିଥିଲେ। ଡେପୁଟି କମିସନର କମଳାକାନ୍ତ ବେହେରା ଅଭିଯାନକୁ ପରିଚାଳନା କରିଥିଲେ।

Share Now:

Kalinga News Beuro

Next Post

ଅଲିମ୍ପିକ୍ସ ଟିକେଟ୍ ନେଇ ଓଡ଼ିଶା ଫେରିଲେ ଦୂତୀ : ଦୌଡ଼ ରାଣୀଙ୍କୁ ନିଜ ରାଜ୍ୟରେ ସମ୍ବର୍ଦ୍ଧନା

Sun Jul 4 , 2021
ଭୁବନେଶ୍ବର: ଅଲିମ୍ପିକ୍ସ ଟିକେଟ୍ ପାଇବା ପରେ ଓଡ଼ିଶା ଫେରିଛନ୍ତି ଓଡ଼ିଆ ଦୌଡ଼ ରାଣୀ ଦୂତୀ ଚାନ୍ଦ। ଆଜି କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏଥିରେ କିଟ୍‌ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତୀ ବେହେରା ସାମିଲ ହୋଇ ଦୂତୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ୧୦୦ ଓ ୨୦୦ ମିଟର ମହିଳା ବର୍ଗ ଦୌଡ଼ରେ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଛନ୍ତି ଦୂତୀ। ଅଲିମ୍ପିକ୍ସ ଯୋଗ୍ୟତାର […]
ଅଲିମ୍ପିକ୍ସ ଟିକେଟ୍ ନେଇ ଓଡ଼ିଶା ଫେରିଲେ ଦୂତୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial