ଡାକୋଟା ବିଜୁବାବୁଙ୍କ ଜନ୍ମମାଟି କ‌ଟକରେ ରହୁ

ଡାକୋଟା ବିଜୁବାବୁଙ୍କ ଜନ୍ମମାଟି କ‌ଟକରେ ରହୁ

କଟକ: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମସ୍ଥାନ କଟକ। ଏଇ ମାଟି ତାଙ୍କୁ ସାହାସୀ ପାଇଲଟ୍ କରିଥିଲା। ଦ୍ଵିତୀୟ ବିଶ୍ବଯୁଦ୍ଧ ପରେ କୋଲକାତାରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଡାକୋଟାକୁ ବିଜୁ ବାବୁ ହିଁ ଜୀବଦାନ ଦେଇଥିଲେ। ବିଜୁଙ୍କ ପ୍ରିୟ ଡାକୋଟା ବିମାନ ହିଁ ତାଙ୍କୁ ଇଣ୍ଡୋନେସିଆ ଅଭିଯାନରେ ଅଦ୍ଭୁତପୂର୍ଣ୍ଣ ସଫଳତା ଦେଇଥିଲେ। ଡାକୋଟାରେ ‌ଇଣ୍ଡୋନେସିଆର ତତ୍କାଳୀନ ରାଷ୍ଟ୍ରପତି ସୁକର୍ଣ୍ଣଙ୍କ ପରିବାରକୁ ଡଚ୍‌ମାନଙ୍କ କବଳରୁ ରକ୍ଷା କରି ଇତିହାସ ସୃଷ୍ଟି କରିଥିଲେ ଦୁର୍ଦଶ ବିଜୁ। ଏହି ଅଭିଯାନରେ ବିଜୁ ବାବୁଙ୍କ ସହିତ ତାଙ୍କ ପତ୍ନୀ ଜ୍ଞାନ ପଟ୍ଟନାୟକ ବି ସାମିଲ ଥିଲେ। ଆଉ ସେହି ସମୟରେ ବିଜୁ ପଟ୍ଟନାୟକ କଟକ ଆନନ୍ଦଭବନରେ ରହୁଥିଲେ। ବିଜୁ ବାବୁଙ୍କ ଶିକ୍ଷାୟତନ ରେଭେନ୍‌ସା କଲିଜିଏଟ୍ ସ୍କୁଲ‌, ରେଭେନ୍ସା କଲେଜ, ଜନ୍ମମାଟି ଆନନ୍ଦଭବନ, ତାଙ୍କ ଦ୍ୱାରା ପ୍ରତିଷ୍ଠିତ ସମ୍ବାଦପତ୍ର ‘କଳିଙ୍ଗ’, କାରଖାନା କଳିଙ୍ଗ ଟ୍ୟୁବ୍‌ସ ଆଦି ସବୁ ସ୍ମୃତି କଟକ ମାଟିରେ ରହିଛି। ଏହା ସତ୍ତ୍ୱେ ବିଜୁଙ୍କ ଡାକୋଟାକୁ ଭୁବନେଶ୍ୱର ବିମାନବନ୍ଦରରେ ରଖିବା କେତେ ପ୍ରାସଙ୍ଗିକ, ଯୁକ୍ତିସଂଗତ, ଯଥାର୍ଥ ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଟକବାସୀ। ଏବେ ଡାକୋଟାକୁ ଭୁବନେଶ୍ୱର ଆଣିବାକୁ ଯୋଜନା ଚାଲିଥିବା ବେଳେ ଏହା କଟକ ସହର ପ୍ରତି, କଟକିଆଙ୍କ ପ୍ରତି, ଏପରିକି ବିଜୁ ପଟ୍ଟନାୟକଙ୍କ ପ୍ରତି ଉପହାସ ଭଳି ମନେହେଉଛି। କଟକ ସହର ଥିଲା ବିଜୁ ବାବୁଙ୍କ ପ୍ରିୟ ସ୍ଥାନ। ଯେତେଦିନ ଯାଏ ‌ସେ କର୍ମଚଞ୍ଚଳ ଥିଲେ, ସେତେଦିନ ଯାଏ ଆନନ୍ଦଭବନ ସହିତ ତାଙ୍କର ଅତୁଟ ବନ୍ଧନ ଥିଲା। ଓଡ଼ିଶା ସଂପର୍କରେ ତାଙ୍କର ଅନେ‌କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କଟକ ସହରରେ ଆଉ ଆନନ୍ଦଭବନରେ ନିଆଯାଇଛି। ଏସବୁର ଦସ୍ତାବିଜ୍ ଏବେ ବି ଆନନ୍ଦଭବନରେ ଝଟକୁଛି। ଏଇଥି ପାଇଁ ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିବାର ପେତୃକ ବାସଭବନ ଆନନ୍ଦ ଭବନକୁ ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଅର୍ପଣ କଲେ। ତାହା ଏବେ ଆନନ୍ଦଭବନ ସଂଗ୍ରହାଳୟ ଭାବେ ଉଭା‌ ହୋଇଛି। ଏବେ ପୁଣି କ’ଣ ପାଇଁ ତାଙ୍କ ପ୍ରିୟ ଡାକୋଟାକୁ ଆନନ୍ଦଭବନରୁ ଦୂରେଇ ନେବାକୁ ଚକ୍ରାନ୍ତ ଚାଲିଛି, ତାହା ଏବେ କଟକବାସୀଙ୍କୁ ଚକିତ କରିଛି। ପୁଣି ବିମାନବନ୍ଦରରେ ରହିଲେ, ସର୍ବସାଧାରଣ ସେଠାକୁ ଯାଇପାରିବେ ତ? ବିଜୁ ବାବୁ ବଞ୍ଚିଥିଲେ, ହୁଏତ ଏହି ନିଷ୍ପତ୍ତିକୁ ବିରୋଧ କରିଥା‌ନ୍ତେ। ଏସଂକ୍ରାନ୍ତରେ ସରକାର ପୁନଃବିଚାର କରି ଡାକୋଟାକୁ ଭୁବନେଶ୍ୱରରୁ କଟକ ଆଣିବାକୁ ଦାବି ହେଉଛି।
ରାଜ୍ୟ ସରକାର ପୁନଃବିଚାର କରନ୍ତୁ
ବିଜୁବାବୁଙ୍କ ଜନ୍ମସ୍ଥାନ କଟକ। କଟକ ସହର ତାଙ୍କର ସମସ୍ତ ସ୍ମୃତି ବହନ କରୁଛି। ଏହି ଦୃଷ୍ଟିରୁ ରାଜ୍ୟ ସରକାର ଡାକୋଟା ବିଷୟରେ ପୁନଃବିଚାର କରି ଏହାକୁ କଟକ ସହରରେ ସ୍ଥାନିତ କଲେ, ଭଲ ହୁଅନ୍ତା।
– ଦେବାଶିଷ ସାମନ୍ତରାୟ, ପୂର୍ବତନ ବିଧାୟକ
ସରକାର ସର୍ବଦା କଟକ ସହରକୁ ଅଣଦେଖା କରୁଛନ୍ତି
ଉତ୍କଳ କଂଗ୍ରେସର ସଭାପତି ବିଜୁ ପଟ୍ଟନାୟକ କଟକ ମାଟି ସନ୍ତାନ। ଏହି ସହରର ସବୁ ବୀରଗାଥା ବହନ କରୁଛି। ତାଙ୍କ ଜନ୍ମପୀଠ ସଂଗ୍ରହାଳୟ ତ କଟକରେ ରହିଛି। ଏବେ ଡାକୋଟାକୁ କ’ଣ ପାଇଁ ଭୁବନେଶ୍ୱର ବିମାନବନ୍ଦର ନିଆଯିବାକୁ ‌ଯୋଜନା ଚାଲିଛି? ରାଜ୍ୟ ସରକାର ସବୁ କ୍ଷେତ୍ରରେ, ସବୁ ସମୟରେ କଟକ ସହରକୁ ଅଣଦେଖା, ଅବହେଳା କରିଚାଲିଛନ୍ତି।
– ଇଞ୍ଜିନିୟର ମହମ୍ମଦ‌ ‌ମୋକିମ୍, ବିଧାୟକ ବାରବାଟୀ-କଟକ
କଟକର ମୁରବି, ଶାନ୍ତି କମିଟି କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାନ୍ତୁ
କଟକ ବିଜୁ ପଟ୍ଟନାୟକଙ୍କ ଜନ୍ମସ୍ଥଳୀ। ଡାକୋଟା ବିମାନ ସହ ଆନନ୍ଦଭବନର ସଂପର୍କ ଅଛି। ଏହାକୁ ଆନନ୍ଦଭବନ ସମ୍ମୁଖ ଖ୍ରୀଷ୍ଟିୟାନ ପଡ଼ିଆରେ ରଖାଯାଇପାରିବ। ଏଠାରେ ସ୍ଥାନାଭାବ ହେଲେ, ବାଲିଯାତ୍ରା ପଡ଼ିଆର କିଛି ଅଂଶ ବି ବ୍ୟବହାର ହୋଇପାରିବ। ବିଜୁବାବୁ ଥିଲେ ସର୍ବସାଧାରଣଙ୍କ ‌ନେତା। ତାଙ୍କ ବିମାନ ବାଲିଯାତ୍ରା ପଡ଼ିଆ ବା ଖ୍ରୀଷ୍ଟିୟାନ୍‌ ପଡ଼ିଆ ଭଳି ସର୍ବସାଧାରଣ ସ୍ଥାନରେ ରହି‌ଲେ, ସ‌ମସ୍ତେ ଦେଖିପାରିବେ। କିନ୍ତୁ ବିମାନବନ୍ଦର ସାଧାରଣ ଲୋକଙ୍କ ପାଇଁ ଅପହଞ୍ଚ। ଏହି ଦୃଷ୍ଟିରୁ କଟକ ହିଁ ଡାକୋଟା ପାଇଁ ଉପଯୁକ୍ତ ସ୍ଥାନ। ଏସଂକ୍ରାନ୍ତରେ କଟକ ସହରର ମୁରବି, ବୁଦ୍ଧିଜୀବୀ, ଶାନ୍ତି କମିଟି କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାନ୍ତୁ।
– ଡକ୍ଟର ଅଭୟ ରଞ୍ଜନ ପଟ୍ଟନାୟକ, ସାମାଜିକ ସଂସ୍କାର କର୍ମୀ
ଡାକୋଟା ରଖିବା ପାଇଁ କଟକଠୁ ଆଉ ଉପଯୁକ୍ତ ସ୍ଥାନ ନାହିଁ
ବିଜୁ ପଟ୍ଟନାୟକ, ଏଇଠି ଜନ୍ମ, ଏଇଠି ବଢ଼ିଛନ୍ତି, ଏଇଠି ମଣିଷ ହୋଇଛନ୍ତି। ଆଉ ଏଇଠି ରହିଛି ତାଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ। ତେଣୁ ଡାକୋଟା ବିମାନ ରଖିବା ପାଇଁ କଟକଠାରୁ ଆଉ କିଛି ଉପଯୁକ୍ତ ସ୍ଥାନ ନାହିଁ।
– ସୁରେଶ ମହାମାତ୍ର, ସଭାପତି, କଟକ ନଗର କଂଗ୍ରେସ କମିଟି

Share Now:

Kalinga News Beuro

Next Post

ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା : ଥାନା ସାମ୍ନାରେ ଧାରଣା ଦେଲେ ଗ୍ରାମବାସୀ

Tue Jan 17 , 2023
ଭୁବନେଶ୍ୱର: କମିସନରେଟ ପୁଲିସ ଅନ୍ତର୍ଗତ ପାହାଳ ଥାନା ସାମ୍ନାରେ ନହରକଣ୍ଟା ଗ୍ରାମବାସୀ ଧାରଣା ଦେଇଛନ୍ତି। ଗତମାସ ୨୭ ତାରିଖ ଦିନ ନହରକଣ୍ଟା ଗ୍ରାମର ଯୁବକ ତୋଫାନ ସାମଲଙ୍କ ମୃତଦେହ ଗ୍ରାମ ନିକଟ କୁଆଖାଇ ନଦୀରୁ ମିଳିଥିଲା। ହେଲେ ପରିବାର ଲୋକେ ଏବଂ ଗ୍ରାମବାସୀଙ୍କ ଅଭିଯୋଗ ପୁଲିସ କିଛି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଉନାହିଁ। ସ୍ଥାନୀୟ ଲୋକ ପ୍ରତିନଧି ଏବଂ ପୁଲିସ ଏହି ହତ୍ୟା ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଛନ୍ତି ବୋଲି […]
ଥାନା ସାମ୍ନାରେ ଧାରଣା ଦେଲେ ଗ୍ରାମବାସୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial