ଅଢ଼େଇ ଘଣ୍ଟା ବର୍ଷାରେ ଅଧା ରାଜଧାନୀ ଡୁବିଲା : ଘରେ ପଶିଲା ପାଣି, ରାସ୍ତାରେ ଭାସିଲା କାର୍‌

ରାଜଧାନୀ ଜଳାର୍ଣ୍ଣବ

ଭୁବନେଶ୍ବର: ଅପରାହ୍ନ ୪ଟା ବେଳକୁ ରାଜଧାନୀ ଆକାଶରେ ଘୋଟି ଆସିଲା କଳାହାଣ୍ଡିଆ ମେଘ। ଆଉ ଘନଘନ ବିଜୁଳି, ବଜ୍ରପାତ ‌ସହିତ ମୂଷଳଧାରାରେ ବର୍ଷା ଆରମ୍ଭ ହୋଇଗଲା। ପ୍ରାୟ ଅଢେଇ ଘଣ୍ଟା ପର୍ଯ୍ୟନ୍ତ ଏମିତି ବର୍ଷା ଢାଳିଲା ଯେ, ପୂରା ରାଜଧାନୀ ଜଳାର୍ଣ୍ଣବ ହୋଇଗଲା। ବିଏମ୍‌ସି ଚଳିତବର୍ଷ ଜଳବନ୍ଦୀ ହେବନି ବୋଲି ଯେତେସବୁ ବାହାସ୍ଫୋଟ ମାରିଥିଲା ତାହାକୁ ଏହି ବର୍ଷା ମିଛ ପ୍ରମାଣିତ କରିଦେଲା। ରାସ୍ତାଘାଟରୁ ଆରମ୍ଭ କରି ଗଳିକନ୍ଦି ପର୍ଯ୍ୟନ୍ତ ସବୁଠି ବର୍ଷା ଓ ନର୍ଦ୍ଦମା ପାଣି ମିଶି ଏକାକାର ହୋଇଗଲା। କେଉଁଠି ଲୋକଙ୍କ ଘରେ ପାଣି ପଶିଗଲା ତ କେଉଁଠି ରାସ୍ତାରେ କାର୍‌, ଅଟୋ ଆଦି ଭାସିଲା। ପ୍ରବଳ ବର୍ଷା ରାଜଧାନୀର ବସ୍ତିଠୁ ‌ନେଇ କଲୋନି ଓ ଆପାର୍ଟମେଣ୍ଟ ବାସିନ୍ଦାଙ୍କୁ ବି ଏକରକମ ଜଳବନ୍ଦୀ କରିଦେଲା। ଶ୍ରୀଲିଙ୍ଗରାଜ ମନ୍ଦିରର ଗର୍ଭଗୃହରେ ମଧ୍ୟ ପାଣି ଗଳିଥିଲା। ରାସ୍ତାଘାଟରେ ବର୍ଷାପାଣି ଏମିତି ଢେଉ ଭାଙ୍ଗୁଥିଲା ଯେ ସତେ ଯେମିତି ଏହା ସ୍ମାର୍ଟସିଟି ନୁହେଁ, କେଉଁ ବନ୍ୟାପ୍ଳାବିତ ନଦୀକୂଳିଆ ଅଞ୍ଚଳ। ଏହି ଅଢ଼େଇ ଘଣ୍ଟା ମଧ୍ୟରେ ରାଜଧାନୀରେ ହାରାହାରି ୪୩.୨ମିମି ବର୍ଷା ହୋଇଥିବା ପାଣିପାଗ ବିଭାଗ କହିଥିବାବେଳେ ରାଜଭବନ ଅଞ୍ଚଳରେ ସର୍ବାଧିକ ୭୭.୫ମିମି ଏବଂ ବିମାନବନ୍ଦର ଅଞ୍ଚଳରେ ୭୫.୫ମିମି ବର୍ଷା ରେକର୍ଡ ହୋଇଛି। ପ୍ରବଳ ବର୍ଷା ସାଙ୍ଗକୁ ତୁହାକୁ ତୁହା ଘଡ଼ଘଡ଼ି, ବିଜୁଳି ସାଙ୍ଗକୁ ପ୍ରାୟ ୪୦କିମି ବେଗରେ ପବନ ରାଜଧାନୀବାସୀଙ୍କୁ ଭୟଭୀତ କରିଦେଇଥିଲା। ବର୍ଷା ବଢ଼ିବଢ଼ି ଚାଲିଥିବାବେଳେ ପାଣିପାଗ ସତର୍କ ସୂଚନା ଜାରି କରିଥିଲା ଯେ, ଘଣ୍ଟାଏ କାଳ ପ୍ରବଳ ବର୍ଷା ଜାରି ରହିବ। ଘରୁ ବାହାରନ୍ତୁନି। ହେଲେ ଯେଉଁମାନେ ଘରୁ ବାହାରିଥିଲେ ସେମାନେ ଘରେ ପହଞ୍ଚି ପାରିନଥିଲେ। ଏତେ ଜୋର୍‌ରେ ବର୍ଷା ହୋଇଥିଲା ଯେ ଯିଏ ଯେଉଁଠି ଥିଲେ ସେଇଠି ଅଟକି ଯାଇଥିଲେ। ଆଜିର ବର୍ଷାରେ ନୂଆପଲ୍ଲୀ ସ୍ଥିତ ଇସ୍କନ୍ ମନ୍ଦିର ସମୁଖରେ ୪ଫୁଟ ଉଚ୍ଚରେ ପାଣି ଚାଲିଥିଲା। ଇସ୍କନ ମନ୍ଦିର କ୍ୟାମ୍ପସରୁ ଆରମ୍ଭ କରି ଏନ୍‌ଏଚ୍ ପର୍ଯ୍ୟନ୍ତ ସବୁ ବୁଡ଼ିଯାଇଥିଲା। ବହୁ ଗାଡ଼ି ପାଣିରେ ଫସିଯାଇଥିବାବେଳେ ବହୁ ଗାଡ଼ି ଅଧା ବାଟରେ ଅଟକି ଯାଇଥିଲେ। କିଛି ଟ୍ରକ୍ ଅନ୍ୟାନ୍ୟ ବଡ଼ ଗାଡ଼ି ଯାଇଥିଲେ ହେଁ ଅନେକ ବାଇକ୍ ଓ କାର୍‌ ଚାଳକ ପାଣି ନିଷ୍କାସନ ହେବାକୁ ଅପେକ୍ଷା କରିଥିଲେ। ନୂଆପଲ୍ଲୀ ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପାଣି ଭିତରେ ଗା଼ଡି ନେଇଯିବାକୁ ଲୋକଙ୍କୁ ବାରଣ କରିଥିଲା। ନୂଆପଲ୍ଲୀର ଅଟାକଳ ଲେନ୍‌ରେ ରହୁଥିବା ଲୋକଙ୍କ ଘରେ ଅଣ୍ଟାଏ ଉଚ୍ଚର ପାଣି ପଶିବା ସହିତ ସମସ୍ତ ଆସବାବପତ୍ର ଓଦା ହୋଇଯାଇଥିଲା। ବିଏମ୍‌ସି ପକ୍ଷରୁ ନୂଆପଲ୍ଲୀକୁ କୃତ୍ରିମ ବନ୍ୟାରୁ ରକ୍ଷା କରିବା ପାଇଁ ୪ଟି ପର୍ଯ୍ୟାୟରେ ପ୍ରାୟ ୭କୋଟି ୭୧ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ହେଁ ସବୁ ଯେମିତି ଧୂଆଁବାଣ ହୋଇଯାଇଛି। ଲୋକଙ୍କ ଘରେ ଆଜି ବି ପାଣି ପଶୁଛି। କେବଳ ନୂଆପଲ୍ଲୀ ନୁହେଁ, ବରମୁଣ୍ଡା ନୀଳକଣ୍ଠ ମନ୍ଦିର ନିକଟ, ଗଜପତି ନଗର, ବମିଖାଲ, ଲକ୍ଷ୍ମୀସାଗର, ମଳୟ ବିହାର, ଗାୟତ୍ରୀନଗର, ମଲ୍ଲିକ କମ୍ପ୍ଲେକ୍ସ, ଜାଗମରା, ସାରଦା ମଠ ଅଞ୍ଚଳ, ୱାର୍ଡ-୬ର ଜାପାନୀ ସାହୁ ଲେନ୍‌, ମେ’ ଫେୟାର ପଛପାର୍ଶ୍ବ ଅଞ୍ଚଳ, ଚିନ୍ତାମଣିଶ୍ବର, ନନ୍ଦନବିହାର ପ୍ରମୁଖ ଅଞ୍ଚଳରେ ଜଳବନ୍ଦୀ ହୋଇଯାଇଥିଲା। ବହୁ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିଯିବାରୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଆଜିର ବର୍ଷା ଜନିତ ଜଳବନ୍ଦୀ ପରେ ପ୍ରଶ୍ନ ଉଠିଛି ଯେ, ବିଏମ୍‌ସି ଦୀର୍ଘ ଦୁଇ ବର୍ଷ ହେଲା ପ୍ରାୟ ୧୦୦କୋଟି ଟଙ୍କା ଖର୍ଚ୍ଚ କରି ଯେଉଁ ଡ୍ରେନ୍ ନିର୍ମାଣ କରୁଥିଲା, ମୌସୁମୀ ପୂର୍ବରୁ ବିଏମ୍‌ସି ଓ ପୂର୍ତ୍ତ ବିଭାଗ କୋଟି କୋଟି ଟଙ୍କା ଖର୍ଚ୍ଚ କରି ‌ଯେଉଁ ଡ୍ରେନ୍ ସଫା କରିଥିଲେ ତାହା କେଉଁ କାମରେ ଆସିଲା ?

Share Now:

Kalinga News Beuro

Next Post

ରାଜଧାନୀରେ କ‌ରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୬୭୯୧ରେ ପହଞ୍ଚିଲା

Wed Jul 21 , 2021
ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ବରରୁ ୩୬୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୬୫ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୦୪ଜଣ ରହିଛନ୍ତି। ତେବେ ଚିହ୍ନଟ କରୋନା ଆକ୍ରାନ୍ତଙ୍କୁ ମିଶାଇଲେ ରାଜଧାନୀରେ ଏଯାବତ ୯୬୭୯୧ଟି କରୋନା ମାମଲା ସାମ୍ନାକୁ ଆସିଛି। ସେହିପରି ୯୪୪୭୬ଜଣ କରୋନା ଆକ୍ରାନ୍ତ […]
ରାଜଧାନୀରେ କ‌ରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୬୭୯୧

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial