ପରିଶ୍ରା ବାହାନରେ ଖସି ପଳାଉଥିଲା ହାଇଦର : ପୁଲିସ ଏନ୍‌କାଉଣ୍ଟରରେ ଗୁରୁତର

ଗ୍ୟାଙ୍ଗଷ୍ଟର‌‌

କଟକ/ବାଲେଶ୍ୱର: ଗ୍ୟାଙ୍ଗଷ୍ଟର ହାଇଦରକୁ ପୁଲିସ ଏନକାଉଣ୍ଟର କରିଛି। କଟକ ଜିଲ୍ଲା ଚୌଦ୍ୱାର ଜେଲରୁ ମୟୂରଭଂଜ ଜିଲ୍ଲା ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିବା ବେଳେ ବାଟରେ ଏନକାଉଣ୍ଟର କରିଛି ପୁଲିସ। ହାଇଦର ପରିଶ୍ରା କରିବା ବାହାନାରେ ଦୌଡ଼ି ପଳାଉଥିଲା ବୋଲି ପୁଲିସ ସୂଚନା ଦେଇଛି। କିନ୍ତୁ ପୁଲିସ ସେହି ସମୟରେ ଉପାୟ ନପାଇ ବାଧ୍ୟହୋଇ ହାଇଦରକୁ ଗୁଳି କରିଥିଲା। ରିପୋର୍ଟ ଲେଖାଯିବା ବେଳକୁ ହାଇଦରକୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି। କୁଖ୍ୟାତ ଅପରାଧୀ ହାଇଦରକୁ ଆଜି ଚୌଦ୍ୱାର ଜେଲରୁ ବାରିପଦା ଜେଲ ନିଆଯାଉଥିଲା ବୋଲି କଟକ ଡିସିପି ପ୍ରତୀକ ସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଡିସିପି କହିଛନ୍ତି ଯେ, ବାଲେଶ୍ୱର ଜିଲ୍ଲା ସିମୁଳିଆ ନିକଟରେ ଆଜି ଅପରାହ୍ନ ପ୍ରାୟ ୩ଟା ୨୦ରେ ହାଇଦର ପରିଶ୍ରା ଯିବା ପାଇଁ କଟକ ପୁଲିସର ଏସ୍କଟ ଟିମ୍‌କୁ କହିଥିଲା।

ସେଠାରୁ ସେ ସୁଯୋଗ ଦେଖି ଖସି ପଳାଇବାକୁ ଉଦ୍ୟମ କରିଥିଲା। ସୁରକ୍ଷାକର୍ମୀଙ୍କ ଠାରୁ ବନ୍ଧୁକ ଛଡ଼ାଇବାକୁ ଉଦ୍ୟମ କରିଥିଲା। ଉପାୟ ନ ପାଇ ସୁରକ୍ଷାକର୍ମୀ ତାକୁ ଅଟକାଇବାକୁ ଗୁଳି ଚଳାଇଥିଲେ। ହାଇଦର ପେଟରେ ଗୁଳି ବାଜିଛି ବୋଲି ଡିସିପି କହିଛନ୍ତି। ସୂଚନାଯୋଗ୍ୟ, କୁଖ୍ୟାତ ଅପରାଧୀ ହାଇଦର ଗତ ଏପ୍ରିଲ ୧୦ତାରିଖରେ କଟକ ବଡ଼ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସ୍ୱାସ୍ଥ୍ୟକର୍ମୀ ଏବଂ ପୁଲିସକୁ ଚକମା ଦେଖାଇ ଖସି ପଳାଇଥିଲା। ହାଇଦର ଫେରାର ହୋଇଯିବା ପରେ ଓଡ଼ିଶା ପୁଲିସର ନିଦ ହଜିଯାଇଥିଲା। ହାଇଦରକୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା। କିଛି ଟିମ୍ କଟକରେ ଏବଂ ଅନ୍ୟ କିଛି ଟିମ୍ ରାଜ୍ୟର ଅନ୍ୟସ୍ଥାନରେ ନିୟୋଜିତ ହୋଇଥିଲେ। ଏଥି ସହିତ ହାଇଦରକୁ ଧରିବା ପାଇଁ ରାଜ୍ୟ ବାହାରେ ମଧ୍ୟ ସ୍ୱତନ୍ତ୍ର ଟିମ୍ କାମ କରୁଥିଲା। ଶେଷରେ ହାଇଦରକୁ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦ୍‌ରୁ ଧରାଯାଇଥିଲା।

Share Now:

Kalinga News Beuro

Next Post

ଫୁଲବାଣୀ ବନଖଣ୍ଡର ୬୫ ଜଳାଶୟରେ ୧୪୨୪ ବିଦେଶୀ ପକ୍ଷୀ

Sat Jul 24 , 2021
ଫୁଲବାଣୀ: ଚଳିତବର୍ଷ ଫୁଲବାଣୀ ବନଖଣ୍ଡରେ ମୋଟ ୧୪୨୪ ବିଦେଶୀ ପକ୍ଷୀ ଆସିଥିବା ସୂଚନା ମିଳିଛି। ଏହି ପକ୍ଷୀମାନେ ଫୁଲବାଣୀ ବନଖଣ୍ଡ ଅନ୍ତର୍ଗତ ମୋଟ ୬୫ଟି ଜଳାଶୟକୁ ଆସିଥିଲେ ବୋଲି ଫୁଲବାଣୀ ବନଖଣ୍ଡ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଫୁଲବାଣୀ ବନଖଣ୍ଡର ଫୁଲବାଣୀ ରେଞ୍ଜ ଅନ୍ତର୍ଗତ ପୁରୁଣାପାଣି ଡ୍ୟାମ୍‌, ଗୁମାଗଡ଼ କ୍ଷୁଦ୍ର ଜଳସେଚନ ଡ୍ୟାମ୍‌, ଦୁବଗଡ଼ ପୋଖରୀ, କେନ୍‌ପାଜୁ ପୋଖରୀ, କଟ୍ରିଙ୍ଗିଆ ପୋଖରୀ, ସିପାଞ୍ଜିରି ପୋଖରୀ, ନୂଆବନ୍ଧ ପୋଖରୀ, ବୋଇଡ଼ା ପୋଖରୀ, ଦଳପଦା […]
ଫୁଲବାଣୀ ବନଖଣ୍ଡର ୬୫ ଜଳାଶୟରେ ୧୪୨୪ ବିଦେଶୀ ପକ୍ଷୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial