ଆନ୍ଧ୍ର ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଅଘଟଣ : ବିଦ୍ୟୁତ୍ ଆଘାତରେ ୬ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଆନ୍ଧ୍ର ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଅଘଟଣ

ରାୟଗଡ଼ା: ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲା ଲଙ୍କାଭାନିଦିବା ଅଞ୍ଚଳର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗତକାଲି ବିଳମ୍ବିତ ରାତିରେ ଅଘଟଣ ଘଟିଛି। ବିଦ୍ୟୁତ୍ ସଟସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟି ୬ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଗୁଣପୁର ବ୍ଲକ୍ ଭୀମପୁର ପଞ୍ଚାୟତ ଝୁମ୍ପାପୁର ଗ୍ରାମର ରାମମୂର୍ତ୍ତି ଗମାଙ୍ଗ, ଫୁଲପୁଟି ଗ୍ରାମର ପାଣ୍ଡବ ଶବର, ମୋହନ ଶବର, କରୁଣାକର ଶବର, ଗୁଣପୁର ପୌର ପରିଷଦ ମୋତିଲାଲ ନଗରର ନବୀନ ଶବର ଓ ଗଜପତି ଜିରାଙ୍ଗର ମହେନ୍ଦ୍ର ଶବର। ମୃତକଙ୍କ ମଧ୍ୟରେ ୪ ଜଣ ନାବାଳକ ଥିବା ଜଣା ପଡିଛି। ଗୁଣ୍ଟୁର ପୁଲିସ୍ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଗୁଣ୍ଟୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖିଛି। ସୂଚନା ମୁତାବକ, ୩ ମାସ ତଳେ ଜଣେ ଦଲାଲଙ୍କ ମାଧ୍ୟମରେ ଗୁଣପୁର ଓ ଗଜପତି ଅଞ୍ଚଳର ୧୨ ଶ୍ରମିକ ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇଥିଲେ। ଶ୍ରମ ବିଭାଗର ଅଜାଣତରେ ଏବଂ ବିନା ପଞ୍ଜିକରଣରେ ଶ୍ରମିକମାନେ ଲଙ୍କାଭାନିଦିବା ଆକ୍ବା ଫ୍ରେସ୍ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରୁଥିଲେ। ଗତକାଲି ରାତିରେ ଶ୍ରମିକମାନେ ରେଷ୍ଟ୍ ହାଉସରେ ଶୋଇଥିବା ବେଳେ ସଟ୍ ସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟିଥିଲା। ଶ୍ରମିକମାନେ ଶୋଇଥିବା ରୁମରେ କେମିକାଲ୍ ଥିବାରୁ ନିଆଁ ଉଗ୍ର ରୂପ ଧାରଣ କରିଥିଲା। ଫଳରେ ନିଆଁ ଧାସ ଭିତରୁ ଶ୍ରମିକମାନେ ବାହାରି ନପାରି ଶୋଇଥିବା ଅବସ୍ଥାରେ ହିଁ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ଫ୍ୟାକ୍ଟ୍ରି କର୍ତ୍ତୃପକ୍ଷ ଅଗ୍ନିକାଣ୍ଡ ସଂପର୍କରେ ଜାଣିବା ପରେ ଗୁଣ୍ଟୁର ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତ ଶ୍ରମିକଙ୍କ ଅର୍ଦ୍ଧଦଗ୍ଧ ଶରୀର ରେଷ୍ଟ୍ ହାଉସ୍ ଭିତରୁ ବାହାର କରି ବ୍ୟବଚ୍ଛେଦ ପାଇଁ ଗୁଣ୍ଟୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଗତକାଲି ରାତିରୁ ଏତେ ବଡ଼ ଅଘଟଣ ଘଟିବା ସହ ୬ ଶ୍ରମିକ ମୃତ୍ୟୁବରଣ କରିଥିଲେ ମଧ୍ୟ ରାୟଗଡ଼ା ଜିଲ୍ଲା ଶ୍ରମ ବିଭାଗ ନିକଟରେ ଏ ନେଇ କୌଣସି ସୂଚନା ନାହିଁ। ଗଣମାଧ୍ୟମ ପ୍ରତିନିଧିଙ୍କ ନିକଟରୁ ସୂଚନା ପାଇ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରମିକଙ୍କ ମୃତଦେହକୁ ନିଜ ଅଞ୍ଚଳକୁ ଆଣିବା ପାଇଁ ପ୍ରୟାସ ଚାଲିଥିବା କହିଛନ୍ତି। ଆନ୍ଧ୍ର ପୁଲିସର ସୂଚନା ପରେ ମୃତକଙ୍କ ପରିବାର ଗାଡ଼ି ଭଡା କରି ଗୁଣ୍ଟୁର ଅଭିମୁଖେ ଯାଇଛନ୍ତି। ଶ୍ରମିକଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Share Now:

Kalinga News Beuro

Next Post

କୋଭିଡ କଟକଣା କୋହଳ : ଅଗଷ୍ଟ ମାସରେ ଜାରି ରହିବ ରାତ୍ରିକାଳୀନ କର୍ଫ୍ୟୁ

Sat Jul 31 , 2021
ଭୁବନେଶ୍ୱର-କଟକରେ ଜାରି ରହିବ ସପ୍ତାହାନ୍ତ ସଟ୍‌ଡାଉନ୍‌ ଭୁବନେଶ୍ୱର: କରୋନା ମୁକାବିଲା ସହିତ ଅଗଷ୍ଟ ମାସ ପାଇଁ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିଛନ୍ତି। ସାରା ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ। ଅଗଷ୍ଟ ମାସରେ ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଏହି କଟକଣା ରହିବ ବୋଲି ସ୍ୱତନ୍ତ୍ର ରିଲିଫ କମିସନର (ଏସ୍‌ଆରସି) ପ୍ରଦୀପ ଜେନା ଶନିବାର ସୂଚନା ଦେଇଛନ୍ତି। ଅର୍ଥାତ ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଦୋକାନ-ବାଜର […]
ଅଗଷ୍ଟ ମାସରେ କଟକଣା କୋହଳ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial