କୋଭିଡ କଟକଣା କୋହଳ : ଅଗଷ୍ଟ ମାସରେ ଜାରି ରହିବ ରାତ୍ରିକାଳୀନ କର୍ଫ୍ୟୁ

ଅଗଷ୍ଟ ମାସରେ କଟକଣା କୋହଳ

ଭୁବନେଶ୍ୱର-କଟକରେ ଜାରି ରହିବ ସପ୍ତାହାନ୍ତ ସଟ୍‌ଡାଉନ୍‌

ଭୁବନେଶ୍ୱର: କରୋନା ମୁକାବିଲା ସହିତ ଅଗଷ୍ଟ ମାସ ପାଇଁ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିଛନ୍ତି। ସାରା ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ। ଅଗଷ୍ଟ ମାସରେ ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଏହି କଟକଣା ରହିବ ବୋଲି ସ୍ୱତନ୍ତ୍ର ରିଲିଫ କମିସନର (ଏସ୍‌ଆରସି) ପ୍ରଦୀପ ଜେନା ଶନିବାର ସୂଚନା ଦେଇଛନ୍ତି। ଅର୍ଥାତ ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଦୋକାନ-ବାଜର ଗୁଡ଼ିକ ଖୋଲା ରହିବ। ଅଗଷ୍ଟ ମାସର ଗାଇଡ ଲାଇନରେ ସରକାର କାଟାଗୋରୀ-ଏ ଓ କାଟାଗୋରୀ-ବି ଜିଲ୍ଲା ତାଲିକା ହଟାଇ ଦେଇଛନ୍ତି। ଏସ୍‌ଆରସି ଶ୍ରୀ ଜେନା କହିଛନ୍ତି ଯେ, କଟକ ଓ ଭୁବନେଶ୍ୱରରେ ସପ୍ତାହାନ୍ତ ସଟଡାଉନ ଜାରି ରହିଲେ ବି ଜରୁରୀକାଳୀନ ସେବା ପ୍ରଭାବିତ ହେବ ନାହିଁ। ସେହିଭଳି ପୁରୀ ସହରରେ ମଧ୍ୟ ସପ୍ତାହାନ୍ତ ସଟଡାଉନ ଜାରି ରହିବ। ରାଜ୍ୟରେ ଧାର୍ମିକ, ରାଜନୈତିକ, ସାଂସ୍କୃତିକ, ପ୍ରଦର୍ଶନୀ, ବାଣିଜ୍ୟ ମେଳା-ମହୋତ୍ସବ ଆଦି କ୍ଷେତ୍ରରେ କଟକଣା ଜାରି ରହିବ। କିନ୍ତୁ ଜିଲ୍ଲା ପ୍ରଶାସନର ଅନୁମତି ନେଇ ତଥା ସ୍ଥାନୀୟ ଅଞ୍ଚଳର ସ୍ଥିତିକୁ ଦୃଷ୍ଟିରେ ରଖି ଧର୍ମାନୁଷ୍ଠାନ ଖୋଲାଯାଇପାରିବ। ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ଜିଲ୍ଲା ପ୍ରଶାସନ, ମନ୍ଦିର ପ୍ରଶାସନ ଓ ସେବାୟତ ନିଯୋଗଙ୍କର ବୈଠକ ହେବ।
ଆହାର କେନ୍ଦ୍ର ଖୋଲା ରହିବ। କୋଭିଡ ନିୟମ ପାଳନ କରି ଏଠାରେ ଲୋକେ ଠିଆ ହୋଇ ଖାଇପାରିବେ। ସପିଂ ମଲ ଖୋଲାଯିବ। କିନ୍ତୁ ମଲ କର୍ତ୍ତୃପକ୍ଷ ଲୋକଙ୍କୁ କୋଭିଡ ନିୟମ ପ୍ରତି ସତର୍କ କରାଇବେ। କଟକ, ଭୁବନେଶ୍ୱରରେ ସପିଂ ମଲ ଭିତରକୁ ପ୍ରବେଶ କରିବା ପାଇଁ କୋଭିଡ ଟିକାର ୨ଟି ଡୋଜ ନେଇଥିବା ପ୍ରମାଣ ପତ୍ର ଦେଖାଇବାକୁ ହେବ। ରେଷ୍ଟୁରାଣ୍ଟ ଗୁଡ଼ିକ ୫୦ ପ୍ରତିଶତ କ୍ଷମତାରେ ଚାଲିବ। ନାଟ୍ୟଶାଳା, ଥିଏଟର ଓ ସିନେମାହଲ ୫୦ ପ୍ରତିଶତ କ୍ଷମତାରେ ଖୋଲିବ। ରାସ୍ତାକଡ଼ର ଦୋକାନରେ ଲୋକେ ଏବେ ଠିଆ ହୋଇ ଖାଇପାରିବେ। ଦୈନିକ ହାଟ ଓ ସାପ୍ତାହିକ ହାଟ ଖୋଲା ରହିବ। ଅନ୍ତଃରାଜ୍ୟ ବସ ଚଳାଚଳ କରିବ। ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଅପେରା ଅନୁଷ୍ଠାନ ଚାଲିପାରିବ। କୋଭିଡ ନିୟମ ଅନୁଯାୟୀ ପାର୍କ ଓ ଚିଡିଆଖାନା ସଂଗ୍ରହାଳୟ ଖୋଲିବ। ଅଟୋ, ଟ୍ୟାକ୍ସି ଆଦି ନିଦ୍ଦିଷ୍ଟ ସିଟ ଅନୁସାରେ ପରହିବହନ ହୋଇପାରିବେ। ରାତ୍ରୀକାଳୀନ କର୍ଫ୍ୟୁ ସମୟରେ କଟକଣାକୁ ଶକ୍ତ କରାଯିବ। କିନ୍ତୁ ଜରୁରୀକାଳୀନ ସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ କଟକଣା ନାହିଁ। ରେଳଷ୍ଟେସନ, ବସଷ୍ଟାଣ୍ଡ ଓ ବିମାନବନ୍ଦରକୁ ଯାଉଥିବା ଲୋକଙ୍କ ପାଇଁ ଅସୁବିଧା ନାହିଁ। କୋଭିଡ-୧୯ କଟକଣାକୁ ସବୁଠାରେ ପାଳନ କରାଯିବା ବାଧ୍ୟତାମୂଳକ ହେବ ବୋଲି ଏସ୍‌ଆରସି ଶ୍ରୀ ଜେନା କହିଛନ୍ତି। ଏସ୍‌ଆରସି କହିଛନ୍ତି, କୋଭିଡର ୨ୟ ଲହର ଚାଲିଛି। ଏହି ସମୟ ମଧ୍ୟରେ ରାଜ୍ୟର ୨୭ଟି ଜିଲ୍ଲାରେ ସଂକ୍ରମଣ ନଗଣ୍ୟ ଅଛି। ଖୋର୍ଦ୍ଧା, କଟକ ଓ ପୁରୀ ଜିଲ୍ଲାରେ ସଂକ୍ରମଣ ଟିକିଏ ଅଧିକ ରହିଛି। ବିଶ୍ୱର କିଛି ସ୍ଥାନରେ କୋଭିଡର ୩ୟ ଲହର ଆରମ୍ଭ ହୋଇଯାଇଥିବା ଶୁଣାଯାଉଛି। ରାଜ୍ୟରେ ଗତ ମେ’ ମାସ ୫ ତାରିଖ ଠାରୁ ଲକଡାଉନ ସହିତ କିଛି କଟକଣା ରଖିଛୁ। ଦୀର୍ଘ ୨ ମାସ ପରେ ଏହା ଧୀରେ ଧୀରେ କୋହଳ ହୋଇଥିଲା। କୋଭିଡକୁ ଜିତିବାକୁ ହେଲେ କଟକଣା ଭିତରେ ହିଁ ରହିବାକୁ ରହିବ। କିନ୍ତୁ ସଂପୂର୍ଣ୍ଣ ଲକଡାଉନ କଲେ ଜୀବନ ଓ ଜୀବିକା ପ୍ରଭାବିତ ହେବ। ରାଜ୍ୟ ସରକାର ଧୀରେ ଧୀରେ ଅନଲକ ପ୍ରକିୟାକୁ ବଢ଼ାଉଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କ ନିକଟରେ ଅପିଲ କରିଛନ୍ତି ଯେ, ସେମାନେ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ପାଳନ କରନ୍ତୁ ଓ ହାତ ଧୋଇବାକୁ ଏକ ଅଭ୍ୟାସରେ ପରିଣତ କରନ୍ତୁ। ରାଜ୍ୟ ସରକାର ଟିକାକରଣ ବ୍ୟବସ୍ଥା କରିଛନ୍ତି। ଗତ ଜାନୁଆରି ୧୬ ତାରିଖ ଠାରୁ ଜାରି ରହିଛି। ଏବେ ସୁଦ୍ଧା ଦେଢ଼ କୋଟି ଲୋକ କୋଭିଡ-୧୯ ଟିକା ନେଇ ସାରିଛନ୍ତି। ଆମ ରାଜ୍ୟରେ କରୋନା ନିୟନ୍ତ୍ରଣାଧୀନକୁ ଆସିଛି ବୋଲି ଶ୍ରୀ ଜେନା କହିଛନ୍ତି। ଏସ୍‌ଆରସି କହିଛନ୍ତି ଯେ, ଗତ ୨ ସପ୍ତାହ ମଧ୍ୟରେ କରୋନା ସଂକ୍ରମଣ କମିଛି। ଏଥି ପାଇଁ ସରକାର ବହୁ ଉଦ୍ୟମ କରିଛନ୍ତି। କିଛି ଅଞ୍ଚଳରେ ଆମକୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଲୋକେ ଏଥି ପାଇଁ କୋଭିଡ ଗାଇଡଲାଇନକୁ ପାଳନ କରିବାର ଆବଶ୍ୟକତା ରହିଛି। ଜୀବନ ଓ ଜୀବିକାକୁ ସ୍ୱାଭାବିକ କରିବା ପାଇଁ ରାଜ୍ୟ ସରକାର ଅଗଷ୍ଟ ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି।

Share Now:

Kalinga News Beuro

Next Post

ମହାଳୟା ପିଣ୍ଡଦାନ ପାଇଁ ଚାଲିବ ସ୍ବତନ୍ତ୍ର ରେଳ : ସେପ୍ଟେମ୍ବର ୨୫ରେ ସିକନ୍ଦରାବାଦରୁ ବାହାରିବ ଟ୍ରେନ୍

Sat Jul 31 , 2021
ଭୁବନେଶ୍ୱର: ମହାଳୟା ସମୟରେ ପିତୃ ପୁରୁଷଙ୍କୁ ପିଣ୍ଡଦାନ ପାଇଁ ଇଣ୍ଡିଆନ୍ ରେଲୁୱେ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ ପକ୍ଷରୁ ସ୍ବତନ୍ତ୍ର ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିବା ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସଂସ୍ଥାର କ୍ଷେତ୍ରୀୟ ପ୍ରବନ୍ଧକ ଡା. କ୍ରାନ୍ତି ପି. ସାବରକର ପ୍ରକାଶ କରିଛନ୍ତି। ଏଥିପାଇଁ ଏକ ସ୍ବତନ୍ତ୍ର ତୀର୍ଥ ରେଳ ଯାତ୍ରୀ ଯାତ୍ରା କରିବା ପାଇଁ ଆସନ୍ତା ସେପ୍ଟେମ୍ବର ୨୫ ତାରିଖରେ ସିକନ୍ଦରାବାଦରୁ ବାହାରି ଓଡ଼ିଶାର ବ୍ରହ୍ମପୁର, […]
ମହାଳୟା ପିଣ୍ଡଦାନ ପାଇଁ ଚାଲିବ ସ୍ବତନ୍ତ୍ର ରେଳ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial