ବନ୍ୟାରେ ଭାସିଗଲେ ଲକ୍ଷାଧିକ ମାଛ ଓ ଯାଆଁଳ : ବିପୁଳ କ୍ଷତି ସହିଲେ ଚାଷୀ

ବିପୁଳ କ୍ଷତି ସହିଲେ ଚାଷୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଲଗାତାର ତିନି ଦିନ ଧରି ବର୍ଷା ଲାଗି ରହିଥିବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଲଗାଣ ବର୍ଷା ଯୋଗୁଁ ନଦୀଗୁଡିକରେ ଜଳସ୍ତର ବୃଦ୍ଧି ପାଇଥିବା ବେଳେ ଚାଷ ଜମିରେ ପାଣି ଜମି ରହିଥିଲା। ଏଥିସହ ମାଛ ଚାଷ କରୁଥିବା‌ ପୋଖରୀଗୁଡିକରେ ବର୍ଷା ଜଳ ପଶି ଲକ୍ଷାଧିକ ମାଛ ଓ ଯାଆଁଳ ଭାସି ଯାଇଛନ୍ତି। ମାଲକାନଗିରି ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ପୋଖରୀରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଯାଅଁଳା ବିକ୍ରି ପାଇଁ ରଖିଥିବା ବେପାରୀମାନେ ବହୁ କ୍ଷତିଗ୍ରସ୍ତ ହୋଇଛନ୍ତି। ସେହିପରି ମାଛ ଚାଷ କରି ଗୁଜୁରାଣ ମେଣ୍ଟାଉଥିବା ଚାଷୀମାନେ ବହୁ କ୍ଷତି ସହିବେ ଜଣାପଡିଛି। ମାଲକାନଗିରି ଜିଲ୍ଲାରେ ସମସ୍ତ ବ୍ଲକରେ ବହୁ ପରିମାଣରେ ମାଛ ଚାଷ କରାଯାଉଛି। ବର୍ଷା ଆରମ୍ଭ ହୋଇ ପୋଖରୀରେ ପାଣି ହେଲେ ମାଛ ଚାଷ ପାଇଁ ପାଗ ଅନୁକୂଳ ହୋଇଥାଏ। ଏହି ସମୟରେ ପୋଖରୀରେ ମାଛ ଯାଆଁଳ ଛାଡି ତାହାକୁ ଖାଦ୍ୟ ଦେବା ଦ୍ୱାରା ବର୍ଷ ସାରା ଚାଷୀମାନେ ମାଛ ବିକ୍ରି କରି ଅର୍ଥ ଉପାର୍ଜନ କରିଥାନ୍ତି। ମାଲକାନଗିରି ଜିଲ୍ଲାରେ ପ୍ରତ୍ୟେକ ବର୍ଷ ପାଖାପାଖି ୨ ହଜାର ହେକ୍ଟରରୁ ଅଧିକ ଜମିରେ ମାଛ ଚାଷ କରାଯାଇଥାଏ। ମାଛ ଯାଆଁଳ ପାଇଁ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ କାଲିମେଳା, ମାଲକାନଗିରି ଓ କୋଇଲିପାରି ଠାରେ ଯାଆଁଳ ଉତ୍ପାଦନ କେନ୍ଦ୍ର ରହିଛି। ସେଠାରୁ ବର୍ଷକୁ ପାଖାପାଖି ୫୦ ଲକ୍ଷ ଯାଆଁଳ କରାଯାଉଛି। ଚାଷୀଙ୍କୁ ୧ ହଜାର ଯାଆଁଳକୁ ୨ ଶହ ଟଙ୍କାରେ ବିକ୍ରି କରାଯାଇଥାଏ। ସରକାରୀ ସହିତ ଜିଲ୍ଲାରେ ପାଖାପାଖି ୧୫ରୁ ଅଧିକ ବ୍ୟକ୍ତି ନିଜସ୍ବ ଯାଆଁଳ ଉତ୍ପାଦନ କେନ୍ଦ୍ର କରିଛନ୍ତି। ସେଠାରୁ ମଧ୍ୟ ବହୁ ଚାଷୀ ଯାଆଁଳ କିଣି ପୋଖରୀରେ ଛାଡ଼ିଥାନ୍ତି। ସବୁବର୍ଷ ଭଳି ଚଳିତବର୍ଷ ମଧ୍ୟ ବହୁ ଚାଷୀ ଲକ୍ଷାଧିକ ଯାଆଁଳ ତିଆରି କରିଥିଲେ। ଏଥିସହ କେତେକ ଚାଷୀ ମଧ୍ୟ ସେଠାରୁ ଯାଆଁଳ ଆଣି ‌ପୋଖରୀରେ ଛାଡି ଥିଲେ। କିନ୍ତୁ ଲଗାଣ ବର୍ଷା ଯୋଗୁଁ ପୋଖରୀରେ ପାଣି ଭର୍ତ୍ତି ହୋଇଗଲା। ସେଥିରେ ବହୁ ଯାଆଁଳ ଓ ମାଛ ଭାସି ପଳାଇଛି। ଜଣେ କି ଦୁଇ ଜଣେ ନୁହେଁ ଜିଲ୍ଲାର ବହୁ ଚାଷୀଙ୍କ ପୋଖରୀରୁ ଲକ୍ଷାଧିକ ମାଛ ଓ ଯାଆଁଳ ଭାସି ପଳାଇଥିବାର ଜଣାପଡିଛି।

ମାଲକାନଗିରିର ମାଛଚାଷୀ ଦିଲ୍ଲୀପ କୁମାର ରକ୍ଷିତଙ୍କ କହିବାନୁଯାୟୀ, ସେ ୨୦ ଏକର ଜମିରେ ମାଛ ଚାଷ କରୁଛନ୍ତି। ସେଥିରେ ୨୦ଟି ପୋଖରୀ ମଧ୍ୟରୁ ୨ଟିରେ ମାଛ ଚାଷ ଓ ୧୮ଟିରେ ଯାଆଁଳ କରୁଛନ୍ତି। ରୋହୀ, ମିରିକାଳୀ, ଭାକୁର, ଗିଲାସକାର୍ପ ଓ ସିଲଭର କାର୍ପ ଆଦି ଯାଆଁଳ କରୁଛନ୍ତି। ସବୁ ମିଶ୍ରିତ ଯାଆଁଳ କିଲୋକୁ ୪ ଶହ ଓ ‌ଗୋଟିଏ ପ୍ରକାରର ଯାଆଁଳ କିଲୋ ୬ ଶହ ଟଙ୍କାରେ ବିକ୍ରି କରୁଛନ୍ତି। ବର୍ଷକୁ ପାଖାପାଖି ୫୦ କ୍ୱିଣ୍ଟାଲରୁ ଅଧିକ ଯାଆଁଳ ବିକ୍ରି କରୁଥିବା ବେଳେ ୫୫ କ୍ୱିଣ୍ଟାଲରୁ ଅଧିକ ମାଛ ବିକ୍ରି କରୁଛନ୍ତି। ବର୍ଷକୁ ପ୍ରାୟ ୪୦ ଲକ୍ଷର ବେପାର ହେଉଥିବା ବେଳେ ପୋଖରୀ ଲିଜ ଟଙ୍କା, ୧୦ ଜଣ ଶ୍ରମିକର ମଜୁରୀ, ଖାଦ୍ୟ ଓ ଅନ୍ୟାନ୍ୟ ବାବଦକୁ ୩୦ ଲକ୍ଷରୁ ଅଧିକ ଖର୍ଚ୍ଚ ହେଉଛି। ସବୁବର୍ଷ ଭଳି ଏହି ବର୍ଷ ମଧ୍ୟ ଯାଆଁଳ କରିଥିବା ବେଳେ ବର୍ଷାରେ ୫ଟି ପୋଖରୀରେ ହିଡ ଭାଙ୍ଗି ଯାଇଛି। ୪ଟି ପୋଖୀରେ ଥିବା ଲକ୍ଷାଧିକ ଯାଆଁଳା ଓ ଗୋଟିଏ ପୋଖରୀର ମାଛ ଭାସି ପଳାଇଛି। ସେହି ୫ଟିପୋଖରୀରେ ପାଣି ମଧ୍ୟ ନାହିଁ ଖାଲି ହୋଇଯାଇଛି। ପାଖାପାଖି ୧୦ ଲକ୍ଷ ଟଙ୍କାର କ୍ଷତି ହୋଇଥିବା ନେଇ କହିଛନ୍ତି।
ମାଛ ଚାଷୀ ରଘୁ ପଡିଆମୀଙ୍କ କହିବାନୁଯାୟୀ, ୧୫ ହଜାର ଟଙ୍କାର ମାଛ ଯାଆଁଳ ଆଣି ‌ପୋଖରୀରେ ଛାଡିଥିଲେ। କିନ୍ତୁ ପୋଖରୀରେ ପାଣି ମାଡିଯିବାରୁ ଯାଆଁଳ ସହିତ ପୁରଣା ମାଛ ଭାସି ପଳାଇଥିବା ନେଇ କହିଛନ୍ତି। ଏନେଇ ଜିଲ୍ଲା ମତ୍ସ୍ୟ ଅଧିକାରୀ ନରସିଂହ ମୁନ୍ଦ୍‌ କହିଛନ୍ତି ଯେ, ମାଲକାନଗିରିରେ ମାଛର ଅଧିକା ଚାହିଦା ରହୁଥିବାରୁ ଅଧିକ ଚାଷ ହୋଇଥାଏ। ବର୍ଷା ଆରମ୍ଭ ହୋଇଥିବା ବେଳେ ସରକାରୀ ଯାଆଁଳା ଆସନ୍ତା ସପ୍ତାହରୁ ବିକ୍ରି କରାଯିବ। କିନ୍ତୁ ମାଛ ଚାଷୀ ବାହାରୁ ଯାଆଁଳ ଆଣି ମାଛ ଚାଷ କରୁଛନ୍ତି। ବର୍ଷା କମିବା ପରେ ସହକାରୀ ମତ୍ସ୍ୟ ଅଧିକାରୀମାନେ ବିଭିନ୍ନ ସ୍ଥାନକୁ ଯାଇ କ୍ଷତିକ୍ଷତି ରିପୋର୍ଟ ଆଣିବେ ବୋଲି କହିଛନ୍ତି।

Share Now:

Kalinga News Beuro

Next Post

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କମିଶନରେଟ ପୁଲିସର ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

Sat Jul 22 , 2023
ଭୁବନେଶ୍ୱର: ଆସନ୍ତା ୨୫ ତାରିଖରେ ଓଡିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତିନିଦିନିଆ ଓଡିଶା ଗସ୍ତରେ ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ୨୫ ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ରାଜଭବନରେ ରାତ୍ରୀଯାପନ କରିବାର କାର୍ଯ୍ୟକ୍ରମ ରହିଛି। ୨୬ ତାରିଖରେ କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ୨୭ ତାରିଖରେ ଭୁବନେଶ୍ୱର ତମାଣ୍ଡୋ ଦାସବାଟିଆରେ ପ୍ରଜାପିତା ବ୍ରହ୍ମ କୁମାରୀର ଡିଭାଇନ ଲାଇଟ ହାଉସର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ […]
ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ତ୍ରିସ୍ତରୀୟ ସୁରକ୍ଷା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial