ବିଶ୍ୱ ଓଡ଼ିଆ ଏକଜୁଟ ହେବାକୁ ୱାର୍ଲଡ୍ ଓଡ଼ିଶା ସୋସାଇଟିର ଡାକରା

ବିଶ୍ବ ଓଡ଼ିଆ ଏକଜୁଟ ହେବାକୁ ଡାକରା

ଭୁବନେଶ୍ୱର: ବିଶ୍ୱରେ ରହୁଥିବା ଓଡ଼ିଆ ଏକଜୁଟ ହେବାକୁ ୱାର୍ଲଡ୍ ଓଡ଼ିଶା ସୋସାଇଟି (ୱାଓସୋ) ତରଫରୁ ଆହ୍ବାନ ଦିଆଯାଇଛି। ଓଡ଼ିଶା ବାହାରେ ତଥା ଭାରତବର୍ଷର ଅନ୍ୟାନ୍ୟ ପ୍ରଦେଶ ଓ ସାରା ପୃଥିବୀରେ ବିଭିନ୍ନ ଦେଶରେ ବସବାସ କରୁଥିବା ଦେଢ଼ କୋଟି ପ୍ରବାସୀ ଓଡିଆ ଏକମନ, ଏକପ୍ରାଣ ଓ ଏକନିଷ୍ଠ ହୋଇ ଓଡିଶାର ସର୍ବମଙ୍ଗଳ ପାଇଁ ତନ, ମନ, ଧନ ଅର୍ପଣ କରିବାକୁ ୱାଓସୋ ଡାକରା ଦେଇଛି। ୱାର୍ଲଡ୍ ଓଡିଶା ସୋସାଇଟିର ଦ୍ଵିତୀୟ ପ୍ରତିଷ୍ଠା ଦିବସ ଅବସରରେ ଆଭାସୀ ମଞ୍ଚରେ ଆୟୋଜିତ ‘ଉତ୍କଳ ଉତ୍ସବ’ରେ ଯୋଗଦେଇ ଅଷ୍ଟ୍ରେଲିଆ ଠାରୁ ଆମେରିକା ଏବଂ ୟୁ.ଏ.ଇ ଠାରୁ ୟୁରୋପ ପର୍ଯ୍ୟନ୍ତ ରାଷ୍ଟ୍ରମାନଙ୍କର ଶତାଧିକ ତୁଙ୍ଗ ପ୍ରବାସୀ ଓଡ଼ିଆ ନେତା ୨୦୩୬ ମସିହାରେ ଓଡ଼ିଶା ୧୦୦ ବର୍ଷରେ ପଦାର୍ପଣ କରିବା ବେଳେ ଏକ ସର୍ଵସମ୍ପନ୍ନ, ସମୃଦ୍ଧ ନୂତନ ଓଡ଼ିଶା ଗଢି ତୋଳିବା ପାଇଁ ବଜ୍ର ହୁଙ୍କାର ଦେଇଛନ୍ତି। ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପଦ୍ମବିଭୂଷଣ ସୁଦର୍ଶନ ସାହୁ ଓଡିଶାର କଳା, ରସ, ଛନ୍ଦ ଓ ଗାରିମା ଅନନ୍ୟ ଓ ମହାନ ବୋଲି ସୂଚାଇଥିଲେ। ନବ ଉତ୍କଳ ଗଠନ ପାଇଁ ୱାର୍ଲଡ୍ ଓଡିଶା ସୋସାଇଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ ଦୃଢ଼ ଆଶାପ୍ରକଟ କରିଥିଲେ। ବିଶିଷ୍ଟ ଅତିଥି ଜର୍ମାନୀରେ ଅବସ୍ଥାପିତ ସୁନାମଧନ୍ୟ ଲେଖକ ରାଜେନ୍ଦ୍ର ନାରାୟଣ ଦାସ ଓଡ଼ିଶାରେ ରହିଥିବା ସାମ୍ପ୍ରତିକ ଶିକ୍ଷା, ସ୍ୱାସ୍ଥ୍ୟ ଓ ସଂସ୍କୃତିଗତ ସମସ୍ୟା ନେଇ ଘୋର ଉଦବେଗ ପ୍ରକାଶ କରିଥିଲେ। ୨୫ ବର୍ଷରେ ଥରେ ସଭ୍ୟତା ବଦଳୁ ଥିବାରୁ ଯୁଗ ସହିତ ତାଳ ମିଳାଇ ଆଗେଇ ଚାଲିବାକୁ ସେ ପରାମର୍ଶ ଦେଇଥିଲେ। ସମ୍ମାନୀତ ଅତିଥିଭାବେ କୋଲକତା ସ୍ଥିତ ସତ୍ୟଜିତ ରାୟ ସିନେମା ଓ ଟିଭି ସଂସ୍ଥାନର ନିର୍ଦ୍ଦେଶକ ହିମାଂଶୁ ଖଟ୍ଟୁଆ ମହାପ୍ରଭୁ ଜଗନ୍ନାଥଙ୍କର ଦୟାରୁ ସାରା ପୃଥିବୀର କୋଣ ଅନୁକୋଣରେ ଥିବା ଓଡ଼ିଆଙ୍କୁ ୱାଓସୋ ଜରିଆରେ ଜାଣିବାର ସୁଯୋଗ ଉପଲବ୍ଧି ହୋଇ ପାରିଥିଵା ନେଇ ଆନନ୍ଦ ପ୍ରକାଶ କରିଥିଲେ। ବରେଣ୍ୟ ଅତିଥି ରାଷ୍ଟ୍ରପତିଙ୍କର ଅତିରିକ୍ତ ପ୍ରେସ ସଚିବ ବିଜୟ ନାୟକ ଦେଶର ସର୍ବପ୍ରଥମ ପତ୍ରିକା ସାଧୁସୁନ୍ଦର ଦାସଙ୍କର କୁଜିବର ପତ୍ର ଓଡ଼ିଶାରୁ ପ୍ରକାଶ ପାଇଥିଲା ବୋଲି ଦର୍ଶାଇ ନିଜର ଅସ୍ମିତାକୁ ନେଇ ଗର୍ବ ଅନୁଭବ କରିବାକୁ ଉପଦେଶ ଦେଇଥିଲେ। ସମ୍ମାନସ୍ପଦ ଅତିଥି ଭୁବନେଶ୍ୱରର ମେୟର ସୁଲୋଚନା ଦାସ ରାଜ୍ୟର ରାଜଧାନୀକୁ ସରସ ସୁନ୍ଦର କରି ଗଢି ତୋଳିବାକୁ ପ୍ରବାସୀ ଓଡ଼ିଆମାନଙ୍କ ସାହାଯ୍ୟ ଓ ସହଯୋଗ କାମନା କରିଥିଲେ। ସ୍ୱାଗତ ଭାଷଣ ପ୍ରଦାନ କରି ୱାର୍ଲଡ୍ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ ଓଡ଼ିଶାର ଲୁପ୍ତ ବୈଭବ, ହୃତ୍ ଗୌରବ ଓ ସୁପ୍ତ ସୌରଭକୁ ଫେରାଇ ଆଣି ପୁନର୍ବାର ସୁଜଳା, ସୁଫଳା, ଶସ୍ୟ ଶ୍ୟାମଳା, ସ୍ବର୍ଣ୍ଣାଭ ଓଡିଶା ଗଠନ ପାଇଁ ୱାଓସୋ ବଦ୍ଧପରିକର ବୋଲି ଘୋଷଣା କରିଥିଲେ। ୱାଓସୋ ପ୍ରତିଷ୍ଠାତ୍ରୀ ଡକ୍ଟର ଅରୁନ୍ଧତୀ ଦେବୀ ସୌର୍ଯ୍ୟ ଓ ମାଧୁର୍ଯ୍ୟ ପୁର୍ଣ୍ଣ ନୂଆ ଓଡିଶା ଗଠନ ପାଇଁ ୱାର୍ଲଡ୍ ଓଡିଶା ସୋସାଇଟି ପ୍ରତିଜ୍ଞା ବଦ୍ଧ ବୋଲି ପ୍ରକାଶ କରିଥିଲେ। ଅଷ୍ଟ୍ରେଲିଆରୁ ୱାଓସୋର ଉପାଧ୍ୟକ୍ଷ ଡଃ ନଳିନୀ ପତି ସାରା ବିଶ୍ୱର ଓଡ଼ିଆ ମାନଙ୍କୁ ନେଇ ଏକ ଡାଟାବେସ୍ ବନାଇବା ଅନୁଷ୍ଠାନର ଅନ୍ୟତମ ମହତ ଉଦ୍ଦେଶ୍ୟ ବୋଲି କହିଥିଲେ। ଜନ୍ମମାଟି ଓଡ଼ିଶାର ସ୍ଵାତନ୍ତ୍ରୀୟକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା ପାଇଁ ଆବୁଧାବି ଓଡ଼ିଆ ସମାଜର ସଭାପତି ପ୍ରଦୀପ ରଥ ସାମୁହିକ ଉଦ୍ୟମ ଓ ସହଯୋଗ କାମନା କରିଥିଲେ। ଗଲଫ୍ ଓଡ଼ିଆ ସମାଜର ସଭାପତି ଅଜୟ କୁମାର ଦାସ ଏବଂ ୟୁ.ଏ.ଇ. ଓଡ଼ିଶା ସମାଜର ସାଧାରଣ ସମ୍ପାଦକ ପ୍ରୀତିଶ ଦାଶ ୱାଓସୋକୁ ଅଧିକ ସଶକ୍ତ କରିବା ଉପରେ ଜୋର ଦେଇଥିଲେ। ତାଞ୍ଜାନିଆ ଓଡ଼ିଆ ସମାଜର ସଭାପତି ବିଜୟ ସାହୁ ୱାର୍ଲଡ ଓଡ଼ିଶା ସୋସାଇଟିରେ ତାଙ୍କର ସଗଠନ ଯୋଗଦାନ ବିଷୟରେ ଘୋଷଣା କରିଥିଲେ।

Share Now:

Kalinga News Beuro

Next Post

୨ ବର୍ଷର ଝିଅକୁ କଚାଡ଼ି ମାରିଲା ମଦ୍ୟପ ବାପା

Mon Jan 16 , 2023
ଦେବଗଡ଼: ଦୁଇ ବର୍ଷର ଝିଅକୁ କଚାଡ଼ି ମାରିଛି ବାପା। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ଲଇମୁରା ଥାନା ଅନ୍ତର୍ଗତ ଲମ୍ବଡୁରା ଗ୍ରାମରେ। ବାପା ବିଜୁ କିଷାନଙ୍କୁ ପୁଲିସ୍ ଅଟକ ରଖିଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ତିଳେଇବଣି ବ୍ଲକର ଲମ୍ବଡୁରା ଗ୍ରାମର ବିଜୁ ନିୟମିତ ମଦ୍ୟପାନ କରିବା ସହ ଅନେକ ସମୟରେ ସ୍ତ୍ରୀ ଶକୁନ୍ତଳାଙ୍କୁ ମାରପିଟ୍‌ କରୁଥିଲେ। ଫଳରେ ଶକୁନ୍ତଳା ନିଜ ଝିଅ ସହ ମାସେ […]
୨ ବର୍ଷର ଝିଅକୁ କଚାଡ଼ି ମାରିଲା ମଦ୍ୟପ ବାପା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial