ଭୁବନେଶ୍ବର : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ମାରପିଟ୍, ହଣାକଟା ଯୋଗୁଁ ଭାଇ-ଭଉଣୀ ଆହତ ହୋଇଛନ୍ତି। ଆହତଦ୍ବୟ ହେଲେ, କ୍ୟାପିଟାଲ୍ ଥାନା ଅନ୍ତର୍ଗତ ହରିଜନ ବସ୍ତିର ମନୋରଞ୍ଜନ ନାୟକ ଓ ତାଙ୍କ ଭଉଣୀ ରଞ୍ଜୁଲତା ନାୟକ। ରଞ୍ଜୁଲତାଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ସାହିଲ୍କୁ କୋର୍ଟଚାଲାଣ କରିଛି। ତେବେ ଏହି ଘଟଣାରେ ସଂପୃକ୍ତ ଅନ୍ୟ ୩ ଅଭିଯୁକ୍ତ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ମନୋରଞ୍ଜନ ଓ ସାହିଲ୍ ପଡ଼ୋଶୀ। କୌଣସି କଥାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା।

ବୁଧବାର ମଧ୍ୟାହ୍ନରେ ମନୋରଞ୍ଜନ ବସ୍ତିରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ଠିଆ ହୋଇଥିବା ବେଳେ ସାହିଲ୍ ସହ ବଚସା ହୋଇଥିଲା। କଥା କଟାକଟିରୁ ଉତ୍ତ୍ୟକ୍ତ ହୋଇ ସାହିଲ୍, ତା’ ବାପା କାଳିଆ, ମଣ୍ଟୁ ଓ ସରୋଜ ମିଳିତ ଭାବେ ମନୋରଞ୍ଜନକୁ ଆକ୍ରମଣ କରିଥିଲେ। ଏହା ଦେଖି ମନୋରଞ୍ଜନଙ୍କ ବଡ଼ ଭଉଣୀ ଘଟଣାସ୍ଥଳରେ ପହଞ୍ଚି ବିରୋଧ କରିବାରୁ ସାହିଲ୍ ଏକ କଟୁରିରେ ତାଙ୍କ ମୁଣ୍ଡ ଓ ହାତକୁ ଆକ୍ରମଣ କରିଥିଲା। ଖବର ପାଇ କ୍ୟାପିଟାଲ ଥାନା ପୁଲିସ ବସ୍ତିରେ ଚଢ଼ଉ କରି ସାହିଲ୍କୁ ଗିରଫ କରିଛି। ପୁଲିସ ସୂଚନାନୁଯାୟୀ, ସାହିଲ୍ ନାଁରେ ଏକାଧିକ ଅପରାଧିକ ମାମଲା ରହିଛି। ସେ ଅନେକଥର ଜେଲ୍ ମଧ୍ୟ ଯାଇଛି। କିଛି ମାସ ତଳେ ଜଣେ ବ୍ୟକ୍ତିଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ କ୍ୟାପିଟାଲ୍ ଥାନା ପୁଲିସ ତାକୁ ନୟାଗଡ଼ରୁ ଗିରଫ କରିଥିଲା। ଜାମିନ୍ରେ ଆସିବା ପରେ ସେ ପୁଣି ଉତ୍ପାତ ଆରମ୍ଭ କରିଛି।