ଗୋବରରୁ ତିଆରି ହେବ ପ୍ରାକୃତିକ ରଙ୍ଗ

ଗୋବରରୁ ତିଆରି ହେବ ପ୍ରାକୃତିକ ରଙ୍ଗ

ଓଡ଼ିଶାରେ ପ୍ରଶିକ୍ଷଣ, ଉତ୍ପାଦନ କେନ୍ଦ୍ର କରିବ ଖଦି ଗ୍ରା‌ମୋଦ୍ୟୋଗ କମିସନ

ଭୁବନେଶ୍ବର : ଗୋବରରୁ ତିଆରି ହେବ ପ୍ରାକୃତିକ ରଙ୍ଗ। ଏଥିପାଇଁ ଓଡ଼ିଶାରେ ଖଦି ଗ୍ରାମୋଦ୍ୟୋଗ କମିସନ ପକ୍ଷରୁ ପ୍ରାକୃତିକ ରଙ୍ଗ ତିଆରି ପାଇଁ ପ୍ରଶିକ୍ଷଣ ଏବଂ ଉତ୍ପାଦନ କେନ୍ଦ୍ର। ଏଥିପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଖଦି ଗ୍ରାମୋଦ୍ୟୋଗ କମିସନ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଖଦି ଗ୍ରାମୋଦ୍ୟୋଗ କମିସନ୍‌ର ପୂର୍ବାଞ୍ଚଳ ସଦସ୍ୟ ମନୋଜ ସିଂ। ଶ୍ରୀ ସିଂ କହିଛନ୍ତି, ବର୍ତ୍ତମାନ କାନ୍ଥରେ ଲଗାଯାଉଥିବା ରସାୟନିକ ରଙ୍ଗରେ ବିଭିନ୍ନ ପ୍ରକାର କୁପ୍ରଭାବ ରହିଛି। ଏଥିପାଇଁ ପ୍ରାକୃତିକ ରଙ୍ଗ ଉତ୍ପାଦନକୁ ଗୁରୁତ୍ବ ଦିଆଯାଉଛି। ଦେଶର କେବଳ ରାଜସ୍ଥାନରେ ହିଁ ଏଭଳି କେନ୍ଦ୍ର ରହିଛି। ବର୍ତ୍ତମାନ ପରିପ୍ରେକ୍ଷୀରେ ଓଡ଼ିଶା ସମେତ ଦେଶର ୭ଟି ସ୍ଥାନରେ ଏହି କେନ୍ଦ୍ର ନିର୍ମାଣ ହେବ। ଏଥିସହିତ ପରୀକ୍ଷାମୂଳକ ଭାବରେ ହାତୀ-ମଣିଷ ଲଢେଇ ରୋକିବା ପାଇଁ ମହୁମାଛି ବାକ୍ସ ବ୍ୟବହାର କରିବ ଖଦି କମିସନ। କର୍ଣ୍ଣାଟକରେ ଏହାର ପାଇଲଟ ପ୍ରୋଜେକ୍ଟ କରାଯାଇଛି। ଓଡ଼ିଶାର ୩ଟି ସ୍ଥାନରେ ଏହା ଲଗାଯିବ। ଏଥିପାଇଁ ଜଙ୍ଗଲ ବିଭାଗ ସହିତ ମଧ୍ୟ ଆଲୋଚନା କରାଯାଉଛି। ମୁମ୍ବାଇର ଏକ ଟିମ୍‌ ଆସି ଅନୁଗୁଳ ଜିଲ୍ଲା ଆଠମଲ୍ଲିକର ଏକ ସ୍ଥାନ ଅନୁଧ୍ୟାନ କରିଛନ୍ତି। ପର୍ଯ୍ୟାୟକ୍ରମେ ଦଳ ଆସି, ୩ଟି ସ୍ଥାନ ଚିହ୍ନଟ କରି କାର୍ଯ୍ୟାରମ୍ଭ କରିବ। ବର୍ଷେ ମଧ୍ୟରେ ମହୁମାଛି ବାକ୍ସ ହାତୀ-ମଣିଷ ଲଢ଼େଇ ରୋକିବାରେ କିଭଳି ସଫଳ ହେଉଛି ଦେଖିବା ପରେ ଏ ସମ୍ପର୍କରେ ସ୍ପଷ୍ଟ ଘୋଷଣା ହେବ। ଏହି ଅବସରରେ ଶ୍ରୀ ସିଂ ରାଜ୍ୟରେ କେନ୍ଦ୍ର ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ (ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ)ର ୮୫ଟି ନିବନ୍ଧିତ ସଂସ୍ଥା ରହିଥିବା ସମ୍ପର୍କରେ ସୂଚନା ଦେଇଥିଲେ। ଏହାଛଡ଼ା ଖଦିର ପ୍ରୋତ୍ସାହନ ପାଇଁ ରାଜ୍ୟରେ କମିସନ ପକ୍ଷରୁ କରାଯାଉଥିବା ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ। ଏଥି ଅନ୍ତର୍ଗତରେ ୨୦୨୦-୨୧ରେ ରାଜ୍ୟରେ ଖଦି ଗ୍ରାମୋଦ୍ୟୋଗ ପକ୍ଷରୁ ୪୦ଟି ସଂସ୍ଥାକୁ ସମୁଦାୟ ୧ କୋଟି ୩୧ ଲକ୍ଷ ୧୪ ହଜାର ୪୪୫ ଟଙ୍କା ଅନୁଦାନ ଦିଆଯିବ। ନୂତନ ଉତ୍ପାଦ ଏବଂ ଡିଜାଇନ ପାଇଁ ଚରଖାର ବିକାଶକୁ ଗୁରୁତ୍ବ ଦିଆଯାଇଛି। ଖୋର୍ଦ୍ଧା ସ୍ଥିତ ମା’ ଦୁର୍ଗା ଗ୍ରାମ୍ୟ ଶିଳ୍ପ ସମିତିକୁ ପୁନରୁଦ୍ଧାର କରାଯାଇଛି। ଭଦ୍ରକ, କଳାହାଣ୍ଡି, ବଲାଙ୍ଗୀର, ବାଲେଶ୍ବର, ପୁରୀର ୧୬ ଏସ୍‌ଏଚ୍‌ଜିର ୧୬୦ ଟେରାକୋଟା କଳାକାରଙ୍କ ପାଇଁ ୧୬୦ ସ୍ବୟଂ ଚାଳିତ ବିଜୁଳି ଚକ ପ୍ରଦାନ କରାଯାଇଛି। ମହୁ ମିସନ ଅନ୍ତର୍ଗତରେ କଳାହାଣ୍ଡି, ପୁରୀ, ଅନୁଗୁଳ, ମୟୂରଭଞ୍ଜ, ନୟାଗଡ଼, ଢେଙ୍କାନାଳ, ଜଗତସିଂହପୁରର ୧୨୦ ଜଣଙ୍କୁ ୧୨୦୦ ମହୁମାଛି ବାକ୍ସ ପ୍ରଦାନ କରାଯିବ। ୮ ଏସ୍‌ଏଚ୍‌ଜିର ୮୦ ପେପର ମେସିନ କଳାକାରଙ୍କୁ ପ୍ରଶିକ୍ଷଣ ଏବଂ ଆବଶ୍ୟକ ଉପକରଣ ଦିଆଯିବ। ୪ଟି ଏଚ୍‌ଏଚ୍‌ଜିର ୪୦ ତାଳଗୁଡ଼ କଳାକାରଙ୍କୁ ୫ ଦିନ ପର୍ଯ୍ୟନ୍ତ ଦକ୍ଷତା ବିକାଶ ତାଲିମ ଦିଆଯିବ। ପ୍ରତ୍ୟେକ ଗ୍ରୁପକୁ ମେସିନ ଦିଆଯିବ। ଏଥିପାଇଁ ୪.୫୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମ ଜରିଆରେ ରାଜ୍ୟରେ ୩୧୬୪ଟି ନୂତନ ୟୁନିଟ ସ୍ଥାପିତ ହୋଇଛି। ଏଥିପାଇଁ ୨୦୨୦ରେ ୮୭.୨୨ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ଯୋଜନାରେ ୪ଟି ୟୁନିଟ ସମ୍ପ୍ରସାରଣ ପାଇଁ ୨୧.୨୩ ଲକ୍ଷ ଟଙ୍କା ଦିଆଯାଇଛି।

Share Now:

Kalinga News Beuro

Next Post

ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୂପେନ୍ଦ୍ର ପଟେଲ୍

Mon Sep 13 , 2021
ଗାନ୍ଧୀନଗର: ଗୁଜରାଟର ୧୭ତମ ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କଲେ ୫୯ ବର୍ଷିୟ ‘ବିଜେପି’ ନେତା ଭୂପେନ୍ଦ୍ର ପଟେଲ୍। ଗାନ୍ଧୀନଗରରେ ଆୟୋଜନ ହୋଇଥିବା ଏହି ଶପଥ ଗ୍ରହଣ ଉତ୍ସବରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଯୋଗ ଦେବା ସହ ଗୁଜରାଟର ନୂତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଶପଥ ଗ୍ରହଣ କରାଇଛନ୍ତି। ଭୂପେନ୍ଦ୍ର ପଟେଲଙ୍କ ଶପଥ ଗ୍ରହଣ ସମାରୋହରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ […]
ଭୁପେନ୍ଦ୍ର ପଟେଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial