ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ : ଉପରାଷ୍ଟ୍ରପତି କମଳା ହାରିସ୍‌ଙ୍କୁ ଭେଟିବେ ଆଜି

ଆମେରିକ‌ା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ୱାସିଂଟନ୍: ୩ଦିନିଆ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତରେ ଯାଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରତ୍ୟୁଷରେ ୱାସିଂଟନ୍‌ ଡିସିରେ ପହଞ୍ଚିଛନ୍ତି। ଗୁରୁବାର ରାତି ୩.୩୦ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ଯାଇଥିବା ବିମାନ ୱାସିଂଟନ୍‌ସ୍ଥିତ ‘ଜଏଣ୍ଟ୍‌ ଆଣ୍ଡ୍ରିଉଜ୍‌ ଏୟାର୍‌ବେସ୍‌’ରେ ଅବରତଣ କରିଥିଲା। ଯୁକ୍ତରାଷ୍ଟ୍ର ଆମେରିକାରେ ନିଯୁକ୍ତ ଭାରତର ରାଷ୍ଟ୍ରଦୂତ ତରଣଜିତ୍‌ ସିଂହ ସାନ୍ଧୁଙ୍କ ସମେତ ଦୂତାବାସ ପ୍ରତିରକ୍ଷା ଦାୟିତ୍ବରେ ଥିବା ବ୍ରିଗେଡିୟର୍‌ ଅନୁପ ସିଙ୍ଗଲ୍, ଏୟାର୍ କମୋଡୋର୍‌ ଅଞ୍ଜନ ଭଦ୍ରା ଏବଂ ନେଭାଲ୍‌ କ‌ମୋଡର୍‌ ନିର୍ଭୟ ବପନା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପାଛୋଟି ନେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ୱାସିଂଟନ୍‌ରେ ପହଞ୍ଚିଲା ବେଳେ ପ୍ରବଳ ବର୍ଷା ହେଉଥିଲା। ବର୍ଷା ସତ୍ତ୍ୱେ ଯୁକ୍ତରାଷ୍ଟ୍ର ଆମେରିକାରେ ବାସ କରୁଥିବା ଭାରତୀୟମାନେ ଭାରତର ଜାତୀୟ ପତାକା ହଲାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ବାଗତ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଆନ୍ତରିକ ସ୍ବାଗତ ଜଣାଇଥିବା ଉଲ୍ଲେଖଯୋଗ୍ୟସଂଖ୍ୟକ ଭାରତୀୟ ବଂଶୋଦ୍ଭବମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଅନ୍ତରଭରା ସ୍ବାଗତ ଜଣାଇଥିବାରୁ ୱାସିଂଟନ୍‌ ଡିସିରେ ବାସ କରୁଥିବା ଭାରତୀୟ ସମ୍ପ୍ରଦାୟଙ୍କ ପ୍ରତି କୃତଜ୍ଞ। ଆମ ବଂଶୋଦ୍ଭବମାନେ ହିଁ ଆମର ଶକ୍ତି। ସମଗ୍ର ବିଶ୍ବରେ ଭାରତୀୟ ବଂଶୋଦ୍ଭବମାନେ ଯେଭଳି ପ୍ରସିଦ୍ଧି ଅର୍ଜନ କରିଛନ୍ତି ତାହା ପ୍ରଶଂସାଯୋଗ୍ୟ।

‘ଏୟାର୍‌ବେସ୍‌’ରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗାଡ଼ି ପେନ୍‌ସିଲ୍‌ଭେନିଆ ଆଭେନ୍ୟୁସ୍ଥିତ ହୋଟେଲ୍‌ ୱିଲାର୍ଡ ଅଭିମୁଖେ ଯାତ୍ରା କରିଥିଲା। ଆଜି ‘ଆଇଜୁନ୍‌ହାୱାର୍‌ ଏକ୍‌ଜିକ୍ୟୁଟିଭ୍‌ ଅଫିସ୍‌ ବିଲ୍‌ଡିଙ୍ଗ୍‌’ରେ ପ୍ରଧାନମନ୍ତ୍ରୀ ମୋଦୀ ଯୁକ୍ତରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ୍‌ଙ୍କୁ ସାକ୍ଷାତ୍‌ କରିବେ। ଉଭୟଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା ଚାଲିବ ବୋଲି ଆଶା କରାଯାଉଛି। ଏହା ବ୍ୟତିରେକେ, ଆଜି ପ୍ରଧାନମନ୍ତ୍ରୀ ମୋଦୀ ‘କ୍ବାଲକମ୍’, ‘ଆଡୋବ୍‌’, ‘ଫାଷ୍ଟ୍‌ ସୋଲାର୍‌’, ଜେନେରାଲ୍‌ ଆଟମିକ୍ସ୍‌’ ଏବଂ ‘ବ୍ଲାକ୍‌ଷ୍ଟୋନ୍‌’ ଆଦି ୫ଟି ପ୍ରମୁଖ କମ୍ପାନିର ‘ସିଇଓ’ମାନଙ୍କ ସହ ବୈଠକ କରିବେ। ଏହାପରେ ସେ ୱିଲାର୍ଡ ହୋଟେଲ୍‌ରେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ଙ୍କୁ ଭେଟିବେ। ୨୦୧୪ରେ ଭାରତର ପ୍ରଧାନମନ୍ତ୍ରୀ ଭାବେ କ୍ଷମତାସୀନ ହେବା ପରେ ଏହା ହେଉଛି ନରେନ୍ଦ୍ର ମୋଦୀଙ୍କର ୭ମ ଆମେରିକା ଗସ୍ତ।

Share Now:

Kalinga News Beuro

Next Post

ପାଇଖାନା ଘରେ ୮ ବର୍ଷ : କାଗଜପତ୍ର ନଥିବାରୁ ମିଳୁନି ଆବାସ

Thu Sep 23 , 2021
ପୋଲସରା : ବ‌ର୍ଷେ କି ଦୁଇବର୍ଷ ନୁହେଁ, ଦୀର୍ଘ ୮ ବର୍ଷ ହେଲା ପାଇଖାନା ଘରେ ବିତୁଛି ଜୀବନ। ଦୁଇ ପାଇଖାନା ଘରକୁ ଭାଙ୍ଗି ମଝିରେ ପାଚେରି ବାନ୍ଧି ମୁରବିଙ୍କ ସମେତ ୮ ପ୍ରାଣୀ ଏଠାରେ ମୁଣ୍ଡ ଗୁଞ୍ଜିଛନ୍ତି। ସରକାରୀ ଆବାସ ଏହି ପରିବାର ପାଇଁ ଯେମିତି ସ୍ନପ୍ନ ପାଲଟିଛି। ପ୍ରଶାସନ କହୁଛି, ହିତାଧିକାରୀ ନିଜ ଗାଁରେ ଥିବା ଘର ବିକି ଅନ୍ୟ ଜାଗାକୁ ଆସିବା ପରେ ତାଙ୍କର ଆବଶ୍ୟକ […]
୮ ବର୍ଷ ହେଲା ପାଇଖାନା ଘରେ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial