ମୁମ୍ବାଇ: ମୁମ୍ବାଇରୁ ଗୋଆ ଯାଉଥିବା ଏକ କ୍ରୁଜରେ ଚାଲିଥିବା ରେଭ୍ ପାର୍ଟି ଓ ସେଠାରୁ ଜବତ ହୋଇଥିବା ଡ୍ରଗ୍ସ ମାମଲାରେ ଅଟକ ଥିବା ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଗିରଫ ହୋଇଛନ୍ତି। ଏଥିସହିତ ତାଙ୍କର ଅନ୍ତରଙ୍ଗ ବନ୍ଧୁ ଅରବାଜ୍ ମର୍ଚ୍ଚାଣ୍ଟ, ମୁନମୁନ୍ ଧେମେକା, ନୂପୁର ସାରିକା, ଇସମିତ୍ ସିଂ, ମୋହକ ଜସୱାଲ୍, ବିକ୍ରାନ୍ତ ଚ୍ଛୋକର ଓ ଗୋମିତ୍ ଚୋପ୍ରାଙ୍କୁ ମଧ୍ୟ ଗିରଫ କରାଯାଇଛି। ଆର୍ଯ୍ୟନ୍ ଓ ତାଙ୍କ ବନ୍ଧୁମାନଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରିବା ପରେ ଗିରଫ କରିଛି ‘ନାକ୍ରୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ’ (ଏନ୍ସିବି)। ତେବେ ପୂର୍ବରୁ ଏନସିବି ମୁଖ୍ୟ ତଥା ଓଡ଼ିଆ ଅଧିକାରୀ ସତ୍ୟନାରାୟଣ ପ୍ରଧାନ ପ୍ରତିକ୍ରିୟାରେ କହିଥିଲେ କି ଯିଏ ବି ହୁଅନ୍ତୁ, ଯେତେବଡ଼ ବ୍ୟକ୍ତି ବି ହୁଅନ୍ତୁ, ଅାଇନ ତା’ବାଟରେ ଯିବ, କାହାକୁ ଛଡ଼ାଯିବନି। ସମସ୍ତେ ତଦନ୍ତ ପରିସରଭୁକ୍ତ ହେବେ। କାରଣ ଡ୍ରଗ୍ସମୁକ୍ତ ଭାରତ ଆମର ଲକ୍ଷ୍ୟ। ଆଜି ସକାଳେ ‘କର୍ଡେଲିଆ କ୍ରୁଜ୍ ଏମ୍ପ୍ରେସ୍’ ଜାହଜରେ ଡ୍ରଗ୍ସ ଜବତ ମାମଲାରେ ଏନ୍ସିବି ସୁପର୍ଷ୍ଟାର୍ ଶାହାରୁଖ୍ ଖାନଙ୍କ ପୁଅ ଆର୍ଯ୍ୟନ୍ଙ୍କୁ ପଚରାଉଚରା କରିଥିଲା। ଶନିବାର ରାତିରେ ଉକ୍ତ ଜାହାଜରେ ଚାଲିଥିବା ‘ରେଭ୍ ପାର୍ଟି’ ସଂକ୍ରାନ୍ତରେ ‘ଏନ୍ସିବି’ ଖବର ପାଇ ଯାତ୍ରୀ ବେଶରେ ଯାଇ ଚଢ଼ାଉ କରିଥିଲା। ଆର୍ଯ୍ୟନ୍ ପାଖରେ ଡ୍ରଗ୍ସ ରଖିଥିଲେ କିଂବା ଖାଉଥିଲେ କି ନାହିଁ, ତାହା ଜାଣିବା ଲାଗି ‘ଏନ୍ସିବି’ ତାଙ୍କ ଫୋନ୍ ଜବତ କରି ଯାଞ୍ଚ କରିଥିଲା। ଅନ୍ୟମାନଙ୍କ ଠାରୁ ଜବତ ହୋଇଥିବା କେତେକ ଫୋନ୍ରେ ରିସିଭ୍ କରାଯାଇଥିବା ହ୍ବାଟସଆପ୍ ‘ଚ୍ୟାଟ୍’ ସବୁକୁ ମଧ୍ୟ ‘ଏନ୍ସିବି’ କର୍ତ୍ତୃପକ୍ଷ ଯାଞ୍ଚ କରିଥିଲେ। ଏ ମାମଲାରେ ୮ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ଏନସିବି ଏବଂ ବଲିଉଡ ଲିଙ୍କ୍ ନେଇ ଅଧିକ ଖୋଳତାଡ଼ ଆଗକୁ ହେବ ବୋଲି ଏନସିବି ମୁଖ୍ୟ କହିଛନ୍ତି। କାରଣ ଏହି ଡ୍ରଗ୍ସ ରେଭ୍ ପାର୍ଟି ଦ୍ୱାରା ଯୁବବର୍ଗ ଏହାପ୍ରତି ଆକର୍ଷିତ ହେଉଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏନସିବି ମୁଖ୍ୟ ସତ୍ୟନାରାୟଣ ପ୍ରଧାନ କହିଛନ୍ତି। ଅନ୍ୟପଟେ ବଲିଉଡର ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କୁ ପଚରାଉଚରା ବେଳେ ସେ କହିଥିଲେ କି, ମୋତେ କେବଳ ଜଣେ ଅତିଥି ଭାବେ ନିମନ୍ତ୍ରଣ ମିଳିଥିଲା ମୁଁ ସେଥିପାଇଁ ସାମିଲ ହୋଇଥିଲି। ଏଥିପାଇଁ ସେ କୌଣସି ଟଙ୍କା ଦେଇ ନଥିବା କହିଛନ୍ତି ଶାହାରୁଖଙ୍କ ପୁଅ।
ଗିରଫ ହେଲେ ସୁପରଷ୍ଟାର ଶାହରୁଖଙ୍କ ପୁଅ ଆର୍ଯ୍ୟନ୍

Share Now: