ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀଙ୍କ ଜିଲ୍ଲାର ବିକଳ ସ୍ଥିତି

କେବେ ଖୋଲିବ ସୂଚନା କେନ୍ଦ୍ର

ଜଗତସିଂହପୁର ଟାଉନ୍: ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜିଲ୍ଲାର ୩ଟି ସ୍ଥାନରେ ସୂଚନା କେନ୍ଦ୍ର ଓ ପାଠାଗାର ରହିଛି। ପାରାଦୀପର ନୂଆବଜାର, କନକପୁରର ଚନ୍ଦନ ପୋଖରୀ ନିକଟ ଏବଂ ଜଗତସିଂହପୁରରେ ଚର୍ଚ୍ଚିକା ବଜାର ଏକ ଭଡ଼ା ଘରେ ପାଠାଗାର ଖୋଲା ଯାଇଛି। ପାରାଦୀପ ଠାରେ ଥିବା ପାଠାଗାର ପୋର୍ଟ ଘରେ ଚାଲୁଛି ଏବଂ କନକପୁରରେ ଥିବା ପାଠାଗାର ଆର୍‌ଏଣ୍ଡ୍‌ବି ଆଇବି ଚାଲୁଛି। ପାଠାଗାର କେତେବେଳେ ଖୋଲା ହୁଏ କେତେ ବେଳେ ବନ୍ଦ ହୁଏ ତାର ସମୟ ସୀମା ନାହିଁ। ଅନ୍ୟପଟେ ଖୋଦ୍‌ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରଚାରପ୍ରସାର ହେଉ ନଥିବାରୁ ଏଠାକୁ ବହୁତ୍ କମ୍ ଲୋକ ଆସୁଥିବା ଦେଖା ଯାଇଛି। ତେବେ ସମୟ ବଦଳିବା ସହିତ ଇ–ପାଠାଗାର ପାଇଁ ବିଭାଗ ପକ୍ଷରୁ ଚିନ୍ତା କରାଯାଇଥିଲା। କିନ୍ତୁ ବିଡ଼ମ୍ବନା, ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ବିଭାଗ ପକ୍ଷରୁ ଗୋଟିଏ ମଧ୍ୟ ଇ–ପାଠାଗାର କାର୍ଯ୍ୟକ୍ଷମ ହୋଇ ପାରିଲା ନାହିଁ। ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡ଼ିଆକୁ ଲାଗିଥିବା ଆଦିକବି ଶାରଳା ଦାସ ସଂସ୍କୃତି ଭବନର ପଶ୍ଚିମ ପାଖରେ ଏକ ଫଳକ ଲଗା ଯାଇଛି। ଯେଉଁଥିରେ ବଡ଼ ବଡ଼ ଅକ୍ଷରରେ ସୂଚନା କେନ୍ଦ୍ର ଓ ଇ–ପାଠାଗାର–ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଜଗତସିଂହପୁର ବୋଲି ଲେଖା ଯାଇଛି।
ଏହା କେବଳ ଫଳକରେ ହିଁ ସୀମିତ ହୋଇ ରହିଛି। ଏପର୍ଯ୍ୟନ୍ତ ସେଠାରେ ଇ–ପାଠାଗାର ଆରମ୍ଭ ହୋଇ ପାରିନାହିଁ। ସେହି ଚର୍ଚ୍ଚିକା ବଜାର ପୁରୁଣା ଭଡ଼ା ଘରେ ଚାଲୁଛି ପାଠାଗାର। ଅନ୍ୟପଟେ ଇ–ପାଠାଗାର କରାଯାଇଥିଲେ ବିଦ୍ୟାର୍ଥୀମାନେ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଜ୍ଞାନ ଆହରଣ କରିଥାନ୍ତେ। ପ୍ରଶିକ୍ଷଣ ପାଇଁ ଜଣେ ତାଲିମପ୍ରାପ୍ତ ବ୍ୟକ୍ତିଙ୍କ ପୋଷ୍ଟିଂ କରାଯାଇଥାନ୍ତା। ନୂଆ ଫଳକ ଲଗାଯାଇ ତାହା ନଷ୍ଟ ହେବାକୁ ବସିଲାଣି। କିନ୍ତୁ ଏଯାଏ ଇ–ପାଠାଗାର ହୋଇ ପାରିଲା ନାହିଁ। ଜଗତସିଂହପୁର ଜିଲ୍ଲାର ବିଧାୟକ ହେଉଛନ୍ତି ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ। ହେଲେ ନିଜ ଜିଲ୍ଲାରେ ବିଭାଗର ଏଭଳି ବିକଳ ଅବସ୍ଥାକୁ ନେଇ ପ୍ରଶ୍ନ ଉଠଛି। ଅନ୍ତତଃ ପକ୍ଷେ ଇ–ପାଠାଗାରଟିଏ ନହେବା ଅନେକ ଚର୍ଚ୍ଚା ସୃଷ୍ଟି କରିଛି। ଏ ନେଇ ଜିଲ୍ଲା ଲୋକସମ୍ପର୍କ ଅଧିକାରୀ କାମିନୀରଂଜନ ପଟ୍ଟନାୟକ କହିଛନ୍ତି ଯେ କୋଭିଡ୍ ପାଇଁ ଇ–ପାଠାଗାର ଆରମ୍ଭ କରାଯାଇ ପାରିନାହିଁ।

Share Now:

Kalinga News Beuro

Next Post

ରାଜଧାନୀରେ ଆତଙ୍କ : ରାସ୍ତାରେ ଗଡ଼େଇ ତଡ଼େଇ ପିଟିଲେ ଦୁବୁର୍ତ୍ତ

Sun Oct 24 , 2021
ଭୁବନେଶ୍ୱର : ଶନିବାର ପ୍ରାୟ ଦିନ ୨ଟା। କ୍ୟାପିଟାଲ୍ ଥାନା ଅନ୍ତର୍ଗତ ରାଧାକୃଷ୍ଣ ଏନ୍‌କ୍ଲେଭ୍ ନିକଟରେ ରାସ୍ତା ଉପରେ ଜଣେ ବ୍ୟକ୍ତିଙ୍କୁ ୨/୩ଜଣ ଯୁବକ ଠେଙ୍ଗା, ବାଡି, ରଡ୍ ଭଳି ମାରଣାସ୍ତ୍ର ଧରି ନିସ୍ତୁକ ମାଡ଼ ମାରୁଥାନ୍ତି। ବ୍ୟକ୍ତି ଜଣକ ରକ୍ତାକ୍ତ ହୋଇ ଭୁଲ୍ ହୋଇଯାଇଛି ବୋଲି କହୁଥାନ୍ତି। ହେଲେ ନିର୍ଦ୍ଦୟଙ୍କ ଭଳି ଯୁବକମାନେ ତାଙ୍କୁ ପିଟି ଚାଲିଥାନ୍ତି। ଏପରିକି ବ୍ୟକ୍ତି ଜଣକୁ ନ ମାରିବା ପାଇଁ ଲୋକେ ଅଟକାଇବାକୁ […]
ରାସ୍ତାରେ ଗଡ଼େଇ ତଡ଼େଇ ପିଟିଲେ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial