ରାଉରକେଲା: କଥାରେ ଅଛି ଇଚ୍ଛା ଶକ୍ତି ଥିଲେ ସବୁ ସମ୍ଭବ। ନିଜ ଉଦ୍ୟମ ଓ ଆଗ୍ରହ ବଳରେ ଜନୈକ ଦିବ୍ୟାଙ୍ଗ ଦମ୍ପତିଙ୍କ ନିକଟରେ ନିଜ ଦୁର୍ବଳତା ହାର ମାନିଛି। ସାଇକେଲ ମରାମତିକୁ ପେଶା କରି ନିଜ ଗୋଡ଼ରେ ନିଜେ ଠିଆ ହୋଇ ସ୍ବାବଲମ୍ବୀ ହୋଇପାରିଛନ୍ତି, ଯାହା ଯୁବ ସମାଜକୁ ପ୍ରେରଣା ଦେଇଛି। ସେମାନେ ହେଲେ ସୁନ୍ଦରଗଡ ଜିଲ୍ଲା ଲାଠିକଟା ବ୍ଲକ ଯୋଡ଼ାବନ୍ଧର କଚେ ତୁରି ଓ ତାଙ୍କ ପତ୍ନୀ ଆଞ୍ଜେଲା ତିର୍କୀ। ଭିନ୍ନକ୍ଷମ ହେଲେ ବି ଉଭୟଙ୍କ ଅସାଧାରଣ କାର୍ଯ୍ୟ ଦକ୍ଷତା ଯୁବପିଢ଼ିଙ୍କ ପାଇଁ ଏକ ଦିଗଦର୍ଶନ ସାଜିଛି। କଚେ ଓ ପତ୍ନୀ ଆଞ୍ଜେଲା ଦୁହେଁ ଭିନ୍ନକ୍ଷମ। ଦୁହିଁଙ୍କ ମିଳନ ପରେ ବଦଳିଛି ସେମାନଙ୍କ ଭାଗ୍ୟ l ପତି-ପତ୍ନୀ ଦୁହେଁ ଦିବ୍ୟାଙ୍ଗ ହୋଇଥିଲେ ହେଁ ପେଟ ପୋଷିବାକୁ କାହାକୁ ଥରୁଟିଏ ହାତପାତି ନାହାନ୍ତି। କଠିନ ପରିଶ୍ରମ କରି ନିଜ ଗୋଡରେ ନିଜେ ଛିଡ଼ା ହୋଇଛନ୍ତି। ସାଇକଲ ମରାମତିରୁ ମିଳୁଥିବା ଅର୍ଥରେ ଦୁହେଁ ବେଶ୍ ଖୁସିରେ ଅଛନ୍ତି। ସାଇକଲ ମରାମତି କରୁ କରୁ ଏବେ ଦୁହେଁ ସ୍ଥାନୀୟ ଅଞ୍ଚଳରେ ବନିଯାଇଛନ୍ତି ସୁପରିଚିତ ସାଇକଲ ମେକାନିକ୍। ସକାଳୁ ସଂଧ୍ୟା ଯାଏ ଦୁହେଁ ସାଇକଲ ମରାମତି କାମରେ ପରସ୍ପରକୁ ସାହାଯ୍ୟ କରୁଛନ୍ତି। କଚେ ପମ୍ପଚର ମାରୁଥିଲାବେଳେ ଆଞ୍ଜେଲା ସାଇକଲ ମରାମତି କରନ୍ତି l ଦିବ୍ୟାଙ୍ଗ ଦମ୍ପତିଙ୍କର ଏଭଳି କାମକୁ ସ୍ଥାନୀୟ ଅଞ୍ଚଳର ଲୋକମାନେ ବେଶ ପ୍ରଶଂସା କରିଛନ୍ତି। କଚେଙ୍କ କାମ ଭଲ ଥିବାରୁ ସ୍ଥାନୀୟ ଅଞ୍ଚଳର ଅଧିକାଂଶ ଲୋକ ତାଙ୍କ ଦୋକାନକୁ ସାଇକଲ ମରାମତି କରିବାକୁ ଆସନ୍ତି। ମରାମତି ବାବଦ ଖର୍ଚ୍ଚ ପାଇଁ କାହାଠାରୁ ଅଧିକ ପଇସା ଦାବି କରନ୍ତି ନାହିଁ। ବ୍ୟବହାର ଓ କାମ କରିବାର ଶୈଳୀ ଦୁହିଁଙ୍କୁ ବେଶ୍ ପରିଚିତ କରିଛି। ସକାଳ ହେଲେ ଖାଇପିଇ ଦୁହେଁ ହାତ ଧରାଧରି ବାହାରି ଯାଆନ୍ତି ଦୋକାନକୁ। କାମ ସାରି ପୁଣି ସଂଧ୍ୟାରେ ଘରକୁ ଫେରି ଆସନ୍ତି।
ଦୁହିଁଙ୍କ ବାଲ୍ୟଜୀବନ ଥିଲା ବେଶ୍ ଦୁଃଖଦାୟକ। ଯୋଡ଼ାବନ୍ଧର କଚେ ତୁରି ୧୭ ବର୍ଷ ବୟସରେ ନିଜ ପିତା ଯୋଶେଫ ତୁରିଙ୍କୁ ହରାଇଥଲେ। ପରେ ମା’ ରାହିଲ ତାଙ୍କୁ ଛାଡି ଅନ୍ୟ ଜାଗାକୁ ଚାଲିଯାଇଥିଲେ। ଏକାକୀ ହୋଇଯାଇଥିଲେ କଚେ। ବିଲରେ ହଳ କରୁଥିଲାବେଳେ ପଡିଯିବାରୁ ତାଙ୍କର ଦୁଇଟି ଗୋଡ ଭାଙ୍ଗିଯାଇଥିଲା। ଗୋଡ଼ସିନା ଭଲ ହୋଇଗଲା କିନ୍ତୁ ସବୁଦିନ ପାଇଁ ସେ ଦିବ୍ୟାଙ୍ଗ ହୋଇଗଲେ। ପେଟ ପୋଷିବାକୁ ଯୋଡାବନ୍ଧ ପଡିଆ ନିକଟରେ ଗୁମୁଟି ପକାଇ ସାଇକେଲ ମରାମତି କାମ ଆରମ୍ଭ କରିଥିଲେ। ୧୬ ବର୍ଷ ମରାମତି କରିବା ପରେ ତାଙ୍କ ଜୀବନକୁ ଆସିଥିଲେ ଗୁରୁଣ୍ଡିଆ ମାତେଲଗଡର ଆଞ୍ଜେଲ ତିର୍କୀ। ଦିବ୍ୟାଙ୍ଗ ଆଞ୍ଜେଲଙ୍କ ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ସିଲେଇ କାମ କରି ପେଟ ପୋଷୁ ଥିଲେ। ଗତ ୨୦୨୦ରେ ତାଙ୍କ ବିବାହ ପ୍ରସ୍ତାବ ପଡିଥିଲା କଚେଙ୍କ ସହିତ। କରୋନା ଭୟରୁ ଆଞ୍ଜେଲଙ୍କ ପରିବାର ବିବାହ ପରେ କରିବାକୁ କଚେଙ୍କୁ କହିଥିଲେ। ବିବାହ ଠିକ୍ ହେବାର କିଛି ମାସ ପରେ ଆଞ୍ଜେଲଙ୍କ ପରିବାର ଉପରେ ମାଡି ଆସିଥିଲା ଦଃଖର ପାହାଡ। ତାଙ୍କ ମା’ସବୁଦିନ ପାଇଁ ଚାଲି ଚାଲିଗଲେ ଆରପାରିକୁ। ଶେଷରେ କଚେ ଆଞ୍ଜେଲଙ୍କୁ ଚର୍ଚ୍ଚରେ ଆଣି ବିବାହ କରିଥିଲେ। ବିବାହ ପରେ ଆଞ୍ଜେଲ ପତି କଚେଙ୍କୁ ସାଇକେଲ ମରାମତି କାମରେ ସାହାଯ୍ୟ କରିବାକୁ ଅଣ୍ଟା ଭିଡିଥିଲେ । ପତିଙ୍କ ଠାରୁ ସାଇକେଲ ମରାମତି କାମ ଶିଖିଲେ। ପରେ ଦୁହେଁ ବନିଗଲେ ସାଇକେଲ ମେକାନିକ୍। କଚେ କହିଛନ୍ତି, ଆମେ ପତିପତ୍ନୀ ଦୁହେଁ ଆଜି ପର୍ଯ୍ୟନ୍ତ କେବେ ଦୁହିଁଙ୍କୁ ଦିବ୍ୟାଙ୍ଗ ବୋଲି ଭାବି ନାହୁଁ। ଆର୍ଥିକ ପରିସ୍ଥିତି ଭଲ ନଥିବାରୁ ଦୋକାନ ଓ ଘରଟିଏ କରି ପାରି ନାହୁଁ। ଦିବ୍ୟାଙ୍ଗମାନଙ୍କ ପାଇଁ ସରକାରଙ୍କ କେତେ କ’ଣ ଯୋଜନା ରହିଛି। ଯଦି ସରକାର ଆମକୁ ଟିକେ ଆର୍ଥିକ ସହାୟତା କରନ୍ତେ, ଘର ଓ ଦୋକାନଟିଏ କରି ଭଲରେ ରହନ୍ତୁ ବୋଲି ସେ କହିଛନ୍ତି।
ଦିବ୍ୟାଙ୍ଗଙ୍କ କାର୍ଯ୍ୟ ଦକ୍ଷତା ଯୁବପିଢ଼ିଙ୍କ ପାଇଁ ଉଦାହରଣ : ସ୍ୱାବଲମ୍ବୀ ହେଲେ ଦିବ୍ୟାଙ୍ଗ ଦମ୍ପତି

Share Now: