ଧଉଳି: ଭୁବନେଶ୍ବର ଉପକଣ୍ଠ ଧଉଳି ଥାନା ଅଧୀନ ଦୟାନଦୀ ବନ୍ଧ ଲିଙ୍ଗିପୁର ରାସ୍ତାରେ ବାଇକରେ ଯାଉଥିବା ଯୁବକ ଯୁବତୀଙ୍କୁ ସଂପର୍କୀୟ ପିଛା କରିବାରୁ ଧରାପଡ଼ିଯିବା ଭୟରେ ଯୁବତୀଙ୍କୁ ଫିଙ୍ଗି ଯୁବକ ଫେରାର ହୋଇଯାଇଛି। ଘଟଣା ସ୍ଥାନୀୟ ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷରେ ବାଇକରୁ ପଡ଼ି ଯୁବତୀ ଆହତ ହୋଇଛନ୍ତି। ଖବର ପାଇ ଧଉଳି ପିସିଆର ପୁଲିସ ଯୁବତୀଙ୍କୁ ଚିକିତ୍ସା ଲାଗି ବାଳକାଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ପରେ ପୁଲିସ ଯୁବତୀଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା। ତା’ ପରେ ସହୀଦନଗର ଥାନା ଅଞ୍ଚଳର ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସଂପର୍କୀୟ ଭାଇ ସନ୍ଦିଗ୍ଧ ଯୁବକଙ୍କୁ ପିଛା କରିଥିଲେ ହେଁ କାବୁ କରିବାରେ ସଫଳ ହୋଇନଥିଲେ। ସୂଚନା ଅନୁସାରେ ସଂପୃକ୍ତ ଯୁବକ ଯୁବତୀ ଦୟାନଦୀବନ୍ଧ ରାସ୍ତାରେ ଧଉଳି ଶାନ୍ତିସ୍ତୂପ ଅଭିମୁଖେ ଆସୁଥିଲେ। ଲିଙ୍ଗିପୁର ନିକଟରେ ସେମାନେ ଏହା ଜାଣିପାରି ହଡ଼ବଡ଼େଇ ଯାଇଥିଲେ। ଧରାପଡ଼ିଯିବା ଭୟରେ ଯୁବକ ଯୁବତୀଙ୍କୁ ଫିଙ୍ଗି ପଳାଇଥିଲା। ଯୁବତୀ ଜଣକ ମାଡ଼ ଭୟରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ଘର ଭିତରକୁ ଦୌଡ଼ି ପଣିଯାଇ ଥିଲେ। ଉକ୍ତ ପରିବାର ଲୋକ ଏସଂପର୍କରେ ପୁଲିସ କଣ୍ଟ୍ରୋଲ ରୁମକୁ ଫୋନ କରି ଜଣାଇଥିଲେ। ଖବର ପାଇ ଧଉଳି ଥାନା ପିସିଆର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଥିଲେ।
ଯୁବତୀଙ୍କୁ ବାଇକରୁ ଫିଙ୍ଗି ଦେଇ ଯୁବକ ଫେରାର

Share Now: