ଡିସେମ୍ବର ୨ରୁ ୪ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଡିସେମ୍ବର ୨ରୁ ୪ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆସନ୍ତାକାଲି, ମଙ୍ଗଳବାର, ନଭେମ୍ବର ୩୦ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର ବାତ୍ୟାରେ ରୂପାନ୍ତରିତ ହେବ କି ନାହିଁ, ତାହା ଏଯାବତ୍‌ ସ୍ପଷ୍ଟ ହୋଇନାହିଁ। ତେବେ, ଏହାର ପ୍ରଭାବରେ ଆସନ୍ତା ଡିସେମ୍ବର ୨ରୁ ୪ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ଲଘୁଚାପ ବାତ୍ୟାର ରୂପ ନେବ ନା ଗଭୀର ଅବପାତରେ ସୀମିତ ରହିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହେଉ ନଥିବାରୁ ଲଘୁଚାପକୁ ନେଇ ନାନା କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଭାରତୀୟ ପାଣିପାଗ କେନ୍ଦ୍ର (ଆଇଏମ୍‌ଡି) ଏହି ଲଘୁଚାପକୁ ନେଇ ବର୍ତ୍ତମାନ ସୁଦ୍ଧା କରିଥିବା ଆକଳନ ଅନୁଯାୟୀ, ୩୦ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ରଟି ସୃଷ୍ଟି ହେବାପରେ ଏହା ପଶ୍ଚିମଉତ୍ତରପଶ୍ଚିମ ଦିଗକୁ ଗତିକରି ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରର ଦକ୍ଷିଣପୂର୍ବ ଏବଂ ତତ୍‌ସଂଲଗ୍ନ ଅଞ୍ଚଳରେ ଗଭୀର ଅବପାତରେ ପରିଣତ ହେବ ବୋଲି ଏବେ ସୁଦ୍ଧା ପ୍ରାୟ ସ୍ପଷ୍ଟ ହୋଇ ଗଲାଣି। ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ ତାହା ସ୍ପଷ୍ଟ ହୋଇନି। ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ଏହି ଲଘୁଚାପକ୍ଷେତ୍ରଟି ଏକ ସାଇକ୍ଲୋନିକ୍‌ ଡିଷ୍ଟର୍ବାନ୍‌ସରେ ପରିଣତ ହେବାର ବହୁତ ସମ୍ଭାବନା ରହିଛି। ଯଦି ଏହା ବାତ୍ୟାର ରୂପ ନିଏ, ତେବେ କେଉଁ ଅଞ୍ଚଳ ଦେଇ ଏହା ଅତିକ୍ରମ କରିବ, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ଆଇଏମ୍‌ଡିର ସୂଚନା ଅନୁଯାୟୀ, ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ରଟି ଧୀରେଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ୨ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ପହଞ୍ଚିବ। ଏହା ପ୍ରଭାବରେ ଆସନ୍ତା ୨ ତାରିଖରୁ ବଙ୍ଗୋପସାଗର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଲଘୁଚାପ ସୃଷ୍ଟି ହେବା ପରେ ହିଁ ଏହାର ପ୍ରଭାବ କ’ଣ ରହିବ, ତାହା ଜଣାପଡ଼ିବ। ଏହାର ତ୍ରୀବତା ଓ ଗତିପଥ ବାବଦରେ ଏବେଠୁ ପୂର୍ବାନୁମାନ କରିହେଉନିଯ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ହିଁ ଏହା କେଉଁ ଦିଗକୁ ଗତି କରିବ ଓ ଏହାର କ’ଣ ପ୍ରଭାବ ରହିବ, ସେ ବାବଦରେ ସ୍ପଷ୍ଟ କହିହେବ। ତେବେ ଆସନ୍ତା ୪ ତାରିଖ ବେଳକୁ ଏହା ଘନୀଭୂତ ହୋଇ ଉପକୂଳମୁହାଁ ହୋଇପାରେ। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ବିଶେଷକରି ସମସ୍ତ ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Share Now:

Kalinga News Beuro

Next Post

ସମ୍ଭାବିତ ବାତ୍ୟା ପାଇଁ ଏସଆରସି ପକ୍ଷରୁ ଜିଲ୍ଲାପାଳ ମାନଙ୍କୁ ସତର୍କ ସୂଚନା ଜାରି

Tue Nov 30 , 2021
ଭୁବନେଶ୍ବର: ସିଭିୟର ସାଇକ୍ଲୋନିକ ଷ୍ଟର୍ମ ଆସୁଥିବା ନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ କେନ୍ଦ୍ରର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର। ଏସବୁ ଭିତରେ ଏସଆରସି ବିଭିନ୍ନ ଜିଲ୍ଳାର ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରିବା ସହ ବାତ୍ୟା ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି। ଜିରୋ କାଜୁଆଲିଟିର ମିଶନ ନେଇ କାମ କରୁଥିବା ରାଜ୍ୟ ସରକାର ବାତ୍ୟା ପୂର୍ବରୁ ପୂରା ସ୍ଥିତି ଉପରେ କଡା ନଜର ରଖିଛନ୍ତି। ତଳିଆ ଅଞ୍ଚଳ ପାଇଁ […]
ସମ୍ଭାବିତ ବାତ୍ୟା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial