‘ବନ୍ଦେ ଉତ୍କଳ ଜନନୀ’କୁ ମିଳିଲା ରାଜ୍ୟ ସଙ୍ଗୀତର ମାନ୍ୟତା:କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର: କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତର ମାନ୍ୟତା ମିଳିଲା। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ପ୍ରସ୍ତାବରେ ମୋହର ବାଜିଥିବା ନେଇ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। କ୍ୟାବିନେଟ୍ ବୈଠକର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପ୍ରସଙ୍ଗରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଆରୁଖ କହିଥିଲେ, ‘ବନ୍ଦେ ଉତ୍କଳ ଜନନୀ ହେଉଛି ଓଡ଼ିଆ ଜାତିର ସ୍ୱାଭିମାନର ସଙ୍ଗୀତ ଏବଂ କାନ୍ତକବିଙ୍କର ଏହି କାଳଜୟୀ ସଙ୍ଗୀତ ପ୍ରତିଟି ଓଡ଼ିଆଙ୍କ ଭାବନାରେ ରହିଛି। ଏହି ସଙ୍ଗୀତ ଗାନ ଲାଗି ସ୍ୱର,ଶୈଳୀ ଓ ଅବଧି ନିର୍ଦ୍ଧାରଣ ଲାଗି ସୂଚନା ଓ ଲୋକସଂପର୍କ ବିଭାଗକୁ ଦାଇତ୍ୱ ଦିଆଯାଇଛି। ଏହାକୁ ପ୍ରତିଟି ଶିକ୍ଷାନୁଷ୍ଠାନରେ ଗାନ କରାଯିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି। ଏହାକୁ ପାଠ୍ୟକ୍ରମଭୁକ୍ତ କରାଯିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସଙ୍ଗୀତ ଗାନର ଆରମ୍ଭରୁ ଶେଷ ସମସ୍ତଙ୍କୁ ଛିଡ଼ା ହେବାକୁ କୁହାଯାଇଛି। ସରକାରୀ କାର୍ଯ୍ୟକ୍ରମରେ ବି ଏହାକୁ ଗାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଏହି ଦେଶାତ୍ମବୋଧକ ସଂଗୀତକୁ ୧୯୧୨ ମସିହାରେ ରଚନା କରିଥିଲେ। ଏହା ପ୍ରଥମ କରି ଉତ୍କଳ ସମ୍ମିଳନୀ ଅଧିବେଶନରେ ଗାନ କରାଯାଇଥିଲା। ୧୯୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେବା ପରଠାରୁ କାନ୍ତକବିଙ୍କର ଏହି କାଳଜୟୀ ରଚନା ରାଜ୍ୟ ସଂଗୀତ ଭାବେ ସର୍ବଜନବିଦିତ ଥିଲା। ୧୯୯୪ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ଏହାକୁ ଓଡ଼ିଶା ବିଧାନସଭାର ପ୍ରତି ଅଧିବେଶନରେ ଉଦଯାପନୀ ସଂଗୀତ ଭାବେ ଗାନ କରିବା ନିଷ୍ପତ୍ତି ହୋଇଥିଲା।

Share Now:

Kalinga News Beuro

Next Post

ଦୁଇ ଡାକ୍ତରଙ୍କ ସମେତ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୮ଜଣ କରୋନା ପଜିଟିଭ୍ ଚିହ୍ନଟ

Sun Jun 7 , 2020
ରାଉରକେଲା: ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ରାଉରକେଲା ସରକାରୀ ହସ୍ପିଟାଲର ଜଣେ ମହିଳା ଡାକ୍ତରଙ୍କ ସହ ଅନ୍ୟ ଜଣେ ପୁରୁଷ ଡାକ୍ତର କରୋନା ଆକ୍ରାନ୍ତ ଥିବା ଜଣାଯାଇଛିl ଦୁହିଁଙ୍କୁ ହାଇଟେକ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ ୨୪ ଘଣ୍ଟାରେ ଜିଲ୍ଲାରେ ଆଉ୧୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୧୫ ଜଣ ପୁରୁଷ ଓ ୩ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial