ବାଇକ୍‌ ଷ୍ଟଣ୍ଟ୍‌ମ୍ୟାନଙ୍କ କବଜ୍ଜାରେ ଏକାମ୍ର କାନନ-ଆଇଏମ୍‌ଏ ରାସ୍ତା

ଅସୁରକ୍ଷିତ ଏକାମ୍ର କାନନ-ଆଇଏମ୍‌ଏ ରାସ୍ତା

ସାଧାରଣ ଲୋକଙ୍କ ଚଳପ୍ରଚଳରେ ଅସୁବିଧା ଓ ଦୁର୍ବଳ ପୁଲିସ ପାଟ୍ରୋଲିଂ

ଚନ୍ଦ୍ରଶେଖରପୁର: ଏକାମ୍ର କାନନ-ଆଇଏମ୍‌ଏ ଦୁଇ ଶହ ଫୁଟିଆ ରାସ୍ତା ଏବେ ବାଇକ୍‌ ଷ୍ଟଣ୍ଟମ୍ୟାନ୍‌ଙ୍କ କବ୍‌ଜାରେ। ସେମାନଙ୍କ ଦୌରାତ୍ମ୍ୟ ପାଇଁ ଅପରାହ୍ନ ହେବା ମାତ୍ରେ ଏହି ରାସ୍ତାରେ ସାଧାରଣ ଲୋକଙ୍କ ଚଳପ୍ରଚଳ ସମ୍ଭବ ହେଉନାହିଁ। ଭୟଙ୍କର ତଥା ବିକଟାଳ ଶବ୍ଦ କରୁଥିବା ମାଳମାଳ ବାଇକ୍‌ ଏହି ରାସ୍ତାରେ ଏକପ୍ରକାର ଆତଙ୍କ ଖେଳାଇ ଦେଉଛି। ତେଣୁ ଏବେ ସ୍ଥାନୀୟ ଲୋକେ ଏହି ରାସ୍ତା ଦେଇ ଯା’ଆସ କରିବାକୁ ପ୍ରମାଦ ଗଣିଲେଣି। ଦୁର୍ବଳ ପୁଲିସ ପାଟ୍ରୋଲିଂର ସୁଯୋଗ ନେଇ ଏହି ରାସ୍ତାରେ ଏଭଳି ଆତଙ୍କରାଜ୍‌ ଚାଲିଛି ବୋଲି ଅଭିଯୋଗ ହେଉଛି। ଅପରାହ୍ନରେ ଦଳବଳ ନେଇ ଏଠାରେ ପହଞ୍ଚିଯାଉଛନ୍ତି ବାଇକ୍‌ ଷ୍ଟଣ୍ଟମ୍ୟାନ୍‌ମାନେ। ଦାମୀ ବାଇକ୍‌ଗୁଡ଼ିକର ଛାତିଥରା ବିକଟାଳ ଶବ୍ଦ ଶୁଣିବାକୁ ମିଳୁଛି। ଇଞ୍ଜିନ ଶବ୍ଦ ସାଙ୍ଗକୁ ହର୍ଣ ବି କିଛି କମ୍ ଭୟଙ୍କର ନୁହେଁ। ଭିନ୍ନ ଭିନ୍ନ ଷ୍ଟାଇଲ୍‌ରେ ଷ୍ଟଣ୍ଟ କରୁଛନ୍ତି। ବଡ଼ କଥା ହେଉଛି, ସେମାନେ ଷ୍ଟଣ୍ଟ କଲା ବେଳେ ଅନ୍ୟମାନେ ସେହି ବାଟ ଦେଇ ଯାତାୟାତ କରିବାକୁ ଭୟ କରୁଛନ୍ତି। ବହୁ ସମୟରେ ସାଧାରଣ ଲୋକେ ସେସବୁ ବାଇକ୍‌କୁ ତରବରରେ ସାଇଡ୍‌ ଦେବାକୁ ଯାଇ ଭାରସାମ୍ୟ ହରାଉଛନ୍ତି ଓ ନିଜ ଗାଡ଼ିରୁ ପଡ଼ି ଖଣ୍ଡିଆଖାବରା ହେଉଛନ୍ତି। ରାତିରେ ସେମାନେ ଆହୁରି ଭୟଙ୍କର ପରିବେଶ ସୃଷ୍ଟି କରୁଛନ୍ତି।
ବାଇକ୍‌ର ଷ୍ଟାଣ୍ଡକୁ ରାସ୍ତାରେ ଘସିଘସି ଦ୍ରୁତବେଗରେ ଗାଡ଼ି ଚଳାଉଛନ୍ତି। ଫଳରେ ରାସ୍ତା ସାରା ନିଆଁ ଝୁଲ ବିଛାଡ଼ି ହୋଇପଡ଼ୁଛି। ସେହି ସମୟ‌ରେ ଅନ୍ୟ ବାଇକ୍‌ ଓ ସ୍କୁଟି ଆରୋହୀମାନେ ସମସ୍ୟାରେ ପଡ଼ୁଛନ୍ତି। ତେଣୁ ଏବେ ସଂଜ ନଇଁଲେ ସେହି ରାସ୍ତା ଦେଇ ଯିବାଆସିବା କରିବାକୁ ସ୍ଥାନୀୟ ଲୋକେ ମନ କରୁନଥିବା କହିଛନ୍ତି। ଚନ୍ଦ୍ରଶେଖରପୁର ଅଞ୍ଚଳର ରାମେଶ୍ବର ଦାସ ଓ ଅନୁରାଗ ଦାସମହାପାତ୍ରଙ୍କ କହିବା କଥା ସେମାନେ ସନ୍ଧ୍ୟାରେ ଚାଲିବା ପାଇଁ ଏହି ରାସ୍ତାକୁ ଯାଉଥିଲେ। ମାତ୍ର ବାଇକ୍‌ ଷ୍ଟଣ୍ଟ କରୁଥିବା ପିଲାମାନଙ୍କ ଭୟରେ ଆଉ ସେଠାକୁ ଯିବାକୁ ଉଚିତ ମଣୁନାହାନ୍ତି। ବାଇକ୍‌ ଷ୍ଟଣ୍ଟ କରୁଥିବା ଯୁବକମାନଙ୍କ ଛଡ଼ା ଅନ୍ୟ କିଛି ପିଲା ସେଠାରେ ରିଲ୍‌ସ ତିଆରି କରୁଛନ୍ତି। ଦାମୀ ମୋବାଇଲ୍ ଫୋନ୍ ଓ ଡିଏସ୍‌ଏଲ୍‌ଆର୍ କ୍ୟାମେରା ଧରି ହାଜର ହୋଇଯାଉଛନ୍ତି। ଭୟଙ୍କର ଢ଼ଙ୍ଗରେ ବାଇକ୍‌ ଚଳାଇ ଭିଡିଓ ସୁଟିଂ କରୁଛନ୍ତି। ଏହି ରାସ୍ତାଟି ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ସେମାନେ ଭାବୁନାହାନ୍ତି ବୋଲି ବହୁ ସ୍ଥାନୀୟ ଲୋକେ କହିଛନ୍ତି। ସ୍ଥାନୀୟ ବାସିନ୍ଦା ଲକ୍ଷ୍ମୀଧର ମହାନ୍ତି କହିଛନ୍ତି ଯେ ଆଗରୁ ରାତି ହେଲେ ଏହି ରାସ୍ତାରେ ମଦୁଆଙ୍କ ଆଡ଼ା ଜମୁଥିଲା। ଏବେ ବାଇକ୍‌ ଷ୍ଟଣ୍ଟମ୍ୟାନ୍‌ମା‌ନଙ୍କ ଆଡ଼ା ଜମୁଛି। ଗାଡ଼ିରୁ ବାହାରୁଥିବା ନିଆଁ ଓ ବିକଟାଳ ହର୍ଣ୍ଣ ଭୟଙ୍କର ପରିବେଶ ସୃଷ୍ଟି କରୁଛି। ସନ୍ଧ୍ୟା ସମୟରେ ଘରେ ରହିବା କଷ୍ଟକର ହୋଇପଡ଼ୁଛି। ପିସିଆର ଭ୍ୟାନ୍ ସବୁ ଦେଖି ନଦେଖିବା ଭଳି ଚୁପ୍‌ ରହୁଛି। ଜୟଦେବବିହାର-ନନ୍ଦନକାନନ ରାସ୍ତାରେ ହେଉଥିବା ଭିଡ଼ରୁ ରକ୍ଷା ପାଇବା ପାଇଁ ଏହି ରାସ୍ତା ନିର୍ମାଣ କରାଯାଇଛି। ମାତ୍ର ଲୋକେ ଭିଡ଼ରେ ପଛେ ଯା’ଆସ କରିବାକୁ ପସନ୍ଦ କରୁଛନ୍ତି, ଏଭଳି ଅସୁରକ୍ଷିତ ରାସ୍ତାରେ ଯିବାକୁ ମନ କରୁନାହାନ୍ତି ବୋଲି ସେ କହିଛନ୍ତି। ତେଣୁ ପୁଲିସ ଏଦିଗରେ ଧ୍ୟାନ ଦେବାକୁ ସାଧାରଣରେ ଦାବି କରୁଛନ୍ତି।

Share Now:

Kalinga News Beuro

Next Post

ଜୁଲାଇ ପର୍ଯ୍ୟନ୍ତ ଖାଲି ରହିବ ତାଳଦଣ୍ତା କେନାଲ: ସୌନ୍ଦର୍ଯ୍ୟ ହରାଉଛି ସିନ୍ଥେଟିକ୍‌ ୱାଲ୍‌

Thu Dec 16 , 2021
କଟକ: ତାଳଦଣ୍ତା କେନାଲ ଜୁଲାଇ ପର୍ଯ୍ୟନ୍ତ ଖାଲି ରହିବ। ରାଣୀହାଟଠୁ ମାତୃଭବନ ପର୍ଯ୍ୟନ୍ତ କେନାଲର ନବୀକରଣ କାର୍ଯ୍ୟ ଆରମ୍ଭ ହେବାକୁ ଥିବାରୁ ଜଳସେଚନ ବିଭାଗ ପକ୍ଷରୁ ମହାନଦୀରୁ ପାଣି ଛଡ଼ାଯାଉନାହିଁ। ବର୍ତ୍ତମାନ ଯୋବ୍ରାଠୁ ରାଣୀହାଟ ପର୍ଯ୍ୟନ୍ତ କେନାଲର ଉଭୟ ପାର୍ଶ୍ବରେ ସିନ୍ଥେଟିକ୍‌ ୱାଲ୍‌ ବିଛା ସରିଥିଲା ବେଳେ ୨୦୨୨ ଜୁଲାଇ ସୁଦ୍ଧା ମାତୃଭବନ ପର୍ଯ୍ୟନ୍ତ କାମ ଶେଷ କରିବାକୁ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏଥିପାଇଁ ଟେଣ୍ତର ଆହ୍ବାନ […]
ଖାଲି ରହିବ ତାଳଦଣ୍ତା କେନାଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial