ହାଉସିଂବୋର୍ଡର ବିଚିତ୍ର ନୀତି: ପୁରୁଣାଙ୍କୁ ମିଳୁନି ଫ୍ଲାଟ୍‌, ନୂଆଙ୍କଠୁ ଦରଖାସ୍ତ ଆହ୍ବାନ

ନିର୍ମାଣାଧୀନ ଆପାର୍ଟମେଣ୍ଟ୍‌ ସମ୍ମୁଖରେ ଧାରଣା

ନିର୍ମାଣାଧୀନ ଆପାର୍ଟମେଣ୍ଟ୍‌ ସମୁଖରେ ଧାରଣା

ଭୁବନେଶ୍ୱର : ଓଡ଼ିଶା ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ବିଚିତ୍ର ନୀତିକୁ ନେଇ ପୁରୁଣା ହିତାଧିକାରୀଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଫ୍ଲାଟ୍‌ ଦେବା ପାଇଁ ତାରିଖ ପରେ ତାରିଖ ଦିଆଯାଉଛି। ପ୍ରତିଶ୍ରୁତି ଦେବାର ୨ ବର୍ଷ ଅତିକ୍ରାନ୍ତ କରିବା ପରେ ବି ପୁରୁଣା ହିତାଧିକାରୀଙ୍କୁ ଫ୍ଲାଟ୍‌ ମିଳୁନାହିଁ। ଅଥଚ ନୂଆ ହିତାଧିକାରୀଙ୍କଠାରୁ ଆବେଦନ ଆହ୍ବାନ କରାଯାଉଛି। ତେଣୁ ଶନିବାର ଦିନ ପୁରୁଣା ହିତାଧିକାରୀମାନେ ନିର୍ମାଣାଧୀନ ଆପାର୍ଟମେଣ୍ଟ ସମ୍ମୁଖରେ ଧାରଣା ଦେଇଥିଲେ। ଅଭିଯୋଗ ଅନୁଯାୟୀ, ଓଡ଼ିଶା ହାଉସିଂ ବୋର୍ଡ ପକ୍ଷରୁ ଡୁମଡୁମା ଫେଜ୍‌-୭ରେ ଏଲ୍‌ଆଇଜି, ଏମ୍‌ଆଇଜି ଓ ଇଡବ୍ଲ୍ୟୁଏସ୍‌ଏସ୍‌ରେ ଫ୍ଲାଟ ଆବଣ୍ଟନ କରାଯାଇଥିଲା। ଏଥିପାଇଁ ଗ୍ରାହକମାନେ ୭ ଲକ୍ଷରୁ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ଦେଇଥିଲେ। ନିଜର ସଂଚିତ ଜମା ପୁଞ୍ଜି ସହ ଋଣ କରି ଲୋକେ ଟଙ୍କା ଜମା କରିଥିଲେ। ୨୦୧୯ ମସିହା ଡିସେମ୍ବର ମାସ ସୁଦ୍ଧା ସମସ୍ତଙ୍କୁ ଫ୍ଲାଟ ହସ୍ତାନ୍ତର କରାଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା। ଆଶା ରହିଥିଲା, ୨୦୧୯ ମସିହା ଡିସେମ୍ବର ୩୧ ସୁଦ୍ଧା ତାଙ୍କୁ ଫ୍ଲାଟ ମିଳିଯିବ। କିନ୍ତୁ ଏହା ଭିତରେ ୨ ବର୍ଷ ଅତିକ୍ରମ କରି ସାରିଲାଣି। ଅଥଚ ଜଣଙ୍କୁ ବି ଫ୍ଲାଟ୍‌ ମିଳିପାରିନାହିଁ। ୨୦୨୦ ଏବଂ ୨୦୨୧ କରୋନା ବାହାନାରେ ଦିନ ଗଡ଼ାଇ ଦିଆଯାଇଥିଲା। ଏହାପରେ ବି ଫ୍ଲାଟ୍‌ ଦିଆନଯିବାରୁ ହିତାଧିକାରୀମାନେ ବାରମ୍ବାର ଓଡ଼ିଶା ହାଉସିଂବୋର୍ଡର ଦ୍ବାରସ୍ଥ ହୋଇଥିଲେ। ଋଣ କରି ଫ୍ଲାଟ୍‌ କିଣିଥିବା ବ୍ୟକ୍ତି ନିଜ ଆୟର ସିଂହ ଭାଗ କିଭଳି ସୁଧ ଏବଂ ଘର ଭଡ଼ା ବାବଦରେ ଗଣୁଛନ୍ତି, ସେହି ଦୁଃଖ ଦର୍ଶାଇଥିଲେ। ଏହା ସତ୍ତ୍ବେ ଓଡ଼ିଶା ହାଉସିଂବୋର୍ଡ ପକ୍ଷରୁ ପ୍ରତିଥର ସେମାନଙ୍କୁ କେବଳ ନୂତନ ତାରିଖ ହିଁ ଦିଆଯାଇଛି। ଡିସେମ୍ବର ସୁଦ୍ଧା ଫ୍ଲାଟ ହସ୍ତାନ୍ତର କରାଯିବ ବୋଲି କୁହାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଫ୍ଲାଟ୍‌ର ଲିଫ୍ଟ କାମ ହୋଇ ନାହିଁ, ରାସ୍ତା ସଂଯୋଗ, ଜମି ସମାନ୍ତରାଳ, କାର ପାର୍କିଂ ବ୍ୟବସ୍ଥା, ଟ୍ରାନ୍ସଫରମର, ଡିଜି ସେଟ ଆଦି କାର୍ଯ୍ୟ ହୋଇନାହିଁ। ଏହି କାମ କେବେ ସରିବ ଓ ସେମାନଙ୍କୁ ଫ୍ଲାଟ୍‌ ହସ୍ତାନ୍ତର ହେବ, ସେହି ଚିନ୍ତା ବଢ଼ିବାରେ ଲାଗିଛି। କିନ୍ତୁ ଏବେ ଡୁମୁଡୁମାରେ ସୁଭଦ୍ରା ଏନ୍‌କ୍ଲେଭ୍‌ ନାମରେ ନୂତନ ଆପାର୍ଟମେଣ୍ଟର ଶୁଭ ଦିଆଯାଇଛି ଓ ଗୃହ ଆବଣ୍ଟନ ପାଇଁ ଦରଖାସ୍ତର ଆହ୍ବାନ କରାଯାଉଛି।

Share Now:

Kalinga News Beuro

Next Post

ବିଜେଡ଼ିର ୨୫ତମ ପ୍ରତିଷ୍ଠା ଦିବସରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

Mon Dec 20 , 2021
ଭୁବନେଶ୍ବର : ଆସନ୍ତା ୨୬ ତାରିଖରେ ବିଜୁ ଜନତା ଦଳ (ବିଜେଡ଼ି) ପକ୍ଷରୁ ୨୫ ତମ ପ୍ରତିଷ୍ଠା ଦିବସ ରାଜ୍ୟସ୍ତରରେ ଏବଂ ପ୍ରତ୍ୟେକ ବ୍ଲକ ଓ ସହରାଞ୍ଚଳରେ ପାଳନ କରାଯିବ। ରାଜ୍ୟ ସ୍ତରରେ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାହ୍ଣ ସାଢେ ୪ଟା ସମୟରେ ଏହି ସମାରୋହରେ ଯୋଗ ଦେବେ। ବ୍ଲକ ସ୍ତରରେ ନିକଟରେ ଗଠିତ ବ୍ଲକ ସଂଯୋଜକ, ଜୋନ ସଂଯୋଜକ, ଜୋନ କମିଟି ସଦସ୍ୟ ଓ […]
ବିଜେଡ଼ିର ୨୫ତମ ପ୍ରତିଷ୍ଠା ଦିବସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial