ଭୁବନେଶ୍ବର: ରାଜ୍ୟରେ କରୋନା ଭାଇରସ୍ ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍ ସଂକ୍ରମଣ ବଢି ଚାଲିଥିବା ବେଳେ ରାଜ୍ୟ ସରକାର ଆଜି ନୂଆ କରୋନା ଗାଇଡଲାଇନ ଜାରି କରିଛନ୍ତି। ବିଭିନ୍ନ କଟକଣା ସହ ଗାଇଡଲାଇନ ଜାରି କରାଯାଇଛି। ଜୀବନ ସହ ଜୀବିକା ଉପରେ ଗୁରୁତ୍ୱ ଦିଆଯାଇଛି। ତେବେ ନୂଆକରି ଆସିଥିବା ଗାଇଡଲାଇନରେ ବାହାଘରକୁ ନେଇ ନୂଆ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। ବାହାଘର ଓ ବ୍ରତଘରରେ ସର୍ବାଧିକ ୧୦୦ ଜଣଙ୍କୁ ଅନୁମତି ଦିଆଯାଇଛି। ସେହିଭଳି ଶୁଦ୍ଧିକ୍ରିୟାରେ ୫୦ ଜଣଙ୍କୁ ଅନୁମତି ମିଳିଛି। ପୂର୍ବରୁ ବାହାଘରରେ ୨୫୦ ଜଣଙ୍କୁ ଅନୁମତି ମିଳିଥିଲା । ଏହାସହ ବାହାଘର ଶୋଭାଯାତ୍ରାକୁ ନେଇ ମଧ୍ୟ କଟକଣା ଲଗାଇଛନ୍ତି ସରକାର। ବାହାଘର ଶୋଭାଯାତ୍ରାରେ ମାତ୍ର ୩୦ ଜଣଙ୍କୁ ଅନୁମତି ଦେଇଛନ୍ତି ସରକାର। ଏହି ୩୦ ଜଣଙ୍କ ମଧ୍ୟରେ ବରଯାତ୍ରୀ, ବାଜା, ଲାଇଟ ମ୍ୟାନ ରହିବେ । ଏହାଠାରୁ ଅଧିକ ଲୋକଙ୍କୁ ଅନୁମତି ମିଳିବ ନାହିଁ। ସେହିଭଳି ଆବଦ୍ଧ ଗୃହ ମଧ୍ୟରେ ବାହାଘର ହେଉଥିଲେ ଗୃହର କ୍ଷମତାର ୫୦ ପ୍ରତିଶତ ଲୋକଙ୍କୁ ଅନୁମତି ମିଳିବ। କିନ୍ତୁ ଏହା ୧୦୦ରୁ ଅଧିକ ହେବନି। ଏହାବାଦ୍ ପୂର୍ବରୁ ବାହାଘର ପାଇଁ ଲାଗିଥିବା କଟକଣା ଜାରି ରହିବ। ଏସବୁ ବାଦ୍ ବାହାଘରର ସବୁ ଉତ୍ସବକୁ ଅନୁମତି ମିଳିବ ନାହିଁ। କେବଳ ବାହାଘର ବ୍ୟତୀତ ରିସେପସନକୁ ଅନୁମତି ମିଳିବ। ଏହାବ୍ୟତୀତ ଅନ୍ୟ କୌଣସି ସମାରୋହ ହୋଇପାରିବନି। ତେବେ ବାହାଘର ସମୟରେ କୋଭିଡ ଗାଇଡଲାଇନକୁ ଯେପରି କଡାକଡି ପାଳନ କରାଯିବ ତାହାର ଦାୟିତ୍ୱ ଆୟୋଜକଙ୍କର ରହିବ।
ବାହାଘର ପାଇଁ ଆସିଲା ନୂଆ ଗାଇଡଲାଇନ : କ’ଣ ରହିବ କଟକଣା ?

Share Now: