ନୂଆଦିଲ୍ଲୀ : ସିଡିଏସ ବିପିନ ରାଓ୍ବତଙ୍କ ହେଲିକପ୍ଟର ଦୁର୍ଘଟଣାର ତଦନ୍ତ ରିପୋର୍ଟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ପ୍ରଦାନ କରାଯାଇଛି। ଏହି ରିପୋର୍ଟକୁ ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇନଥିଲେ ବି ଗଣମାଧ୍ୟମ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଖରାପ ପାଗ ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା। ହଠାତ୍ ମେଘ ଘୋଟିଯିବାରୁ ହେଲିକପ୍ଟରଟି ଏକ ପର୍ବତରେ ପିଟି ହୋଇଯାଇଥିଲା। ଏୟାର ମାର୍ସାଲ ମାନବିନ୍ଦର ସିଂଙ୍କ ନେତୃତ୍ବରେ ଥିବା ତଦନ୍ତ କମିଟି ନିଜ ରିପୋର୍ଟରେ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ତାହା ସବିଶେଷ ଦର୍ଶାଇଛି। ଏହି ତଦନ୍ତକାରୀ ଦଳ ନିଜର ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରିବା ପୂର୍ବରୁ ଏମଆଇ-୧୭ ହେଲିକପ୍ଟର ନିର୍ମାଣ କରୁଥିବା ଋଷିଆ କମ୍ପାନି ସହ ଯୋଗାଯୋଗ କରିଥିଲା। ଏହା ମାଧ୍ୟମରେ ଦୁର୍ଘଟଣାର କାରଣ ସଂପର୍କରେ ଋଷୀୟ ବିଶେଷଜ୍ଞଙ୍କ ମତାମତ ଲୋଡ଼ାଯାଇଥିଲା। ଗତ ୮ ତାରିଖରେ ତାମିଲନାଡୁର କୁନ୍ନୁରରେ ଦୁର୍ଘଟଣାଗ୍ରସ୍ତ ଏମଆଇ-୧୭ ହେଲିକପ୍ଟରରେ ସିଡିଏସ ବିପିନ ରାଓ୍ବତଙ୍କ ସମେତ ମୋଟ ୧୪ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ୧୩ ଜଣ ସେହିଦିନ ପ୍ରାଣ ହରାଇଥିବାବେଳେ କେବଳ ଗୃପ କ୍ୟାପଟେନ ବରୁଣ ସିଂ କିଛି ଦିନ ମୃତ୍ୟୁ ସହ ଲଢେଇ କରିବା ପରେ ଡିସେମ୍ବର ୧୫ରେ ମୃତ୍ୟୁବରଣ କରିଥିଲେ। ଏହି ଦୁର୍ଘଟଣା ପରେ ସିଡିଏସ ପଦଟି ହଠାତ ଖାଲି ହୋଇଯାଇଥିଲା।
ଖରାପ ପାଗ ଯୋଗୁଁ ପର୍ବତରେ ପିଟି ହୋଇଯାଇଥିଲା ସିଡିଏସ ରାଓ୍ବତଙ୍କ ହେଲିକପ୍ଟର : ତଦନ୍ତ ରିପୋର୍ଟ

Share Now: