ପାର୍କିଂ ଫି’କୁ ନେଇ ଉତ୍ତେଜନା : ୨୦ ଟଙ୍କିଆ ରସିଦ୍‌ରେ ୫୦ ଟଙ୍କା ଆଦାୟ

ପାର୍କିଂ ଫି’କୁ ନେଇ ଉତ୍ତେଜନା

ବିଏମ୍‌ସି ନିୟମ ଊର୍ଦ୍ଧ୍ବରେ ଜୁଲମ କରୁଛନ୍ତି ଠିକାସଂସ୍ଥା

ଭୁବନେଶ୍ବର: ବିଏମ୍‌ସି ନିୟମର ଊର୍ଦ୍ଧ୍ବକୁ ଯାଇ ଜୁଲମ କରୁଛନ୍ତି ରାଜଧାନୀରେ ଗାଡ଼ି ପାର୍କିଂ ଠିକା ନେଇଥିବା ସଂସ୍ଥା। ରସିଦ୍‌ରେ ୨୦ ଟଙ୍କା ଲେଖାଥିବା ସତ୍ତ୍ବେ ଜୋର୍‌ କରି ୫୦ ଟଙ୍କା ଆଦାୟ କରୁଛନ୍ତି। ଧାର୍ଯ୍ୟ ସମୟଠାରୁ ଅଧିକ ସମୟ ଗାଡ଼ି ପାର୍କିଂ ହୋଇଥିବା କହି ବର୍ଦ୍ଧିତ ଫି’ ଉଲ୍ଲେଖ ଥିବା ବିନା ରସିଦ୍‌ରେ ଟଙ୍କା ଆଦାୟ କରୁଛନ୍ତି। ଆଖିରେ ଆଙ୍ଗୁଠି ଗେଞ୍ଜି ଠିକାସଂସ୍ଥା ଲୋକଙ୍କୁ ଲୁଟୁଥିଲେ ବି ବିଏମ୍‌ସି କର୍ତ୍ତୃପକ୍ଷ ଚୁପ୍‌ ରହୁଛନ୍ତି। ପ୍ରତିବାଦ କଲେ ଠିକାସଂସ୍ଥାର କର୍ମଚାରୀମାନେ ନାଲି ଆଖି ଦେଖାଇ ଧମକ ଦେଉଛନ୍ତି। ଆଜି ଏମିତି ଏକ ଘଟଣାକୁ ନେଇ ଏକ ନମ୍ବର ମା‌ର୍କେଟ୍‌ ନିକଟ ପାର୍କିଂ ସ୍ଥଳରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା। ଶେଷରେ ପୁଲିସର ହସ୍ତକ୍ଷେପ ଯୋଗୁଁ ଠିକା ସଂସ୍ଥା ବେଆଇନ୍ ଫି’ ଆଦାୟ କରିବାରୁ ନିବୃତ୍ତ ରହିଥିଲା ଓ ଗଣ୍ଡଗୋଳ ନିୟନ୍ତ୍ରଣ ହୋଇଥିଲା। ସୂଚନାନୁସାରେ ଆଜି ଅପରାହ୍ନରେ ୟୁନିଟ୍-୧ ସ୍ଥିତ ମାର୍କେଟ ପାଖରେ ଥିବା ଏକ ଫୁଲ ଦୋକାନକୁ ଆସିଥିଲେ ଗାଡ଼ିମାଲିକ ଡା. ନରେଶ। ନିଜ କାର୍‌କୁ ଫୁଲ ସଜାଇବା ପାଇଁ ସେ ଦୋକାନ ନିକଟରେ ପାର୍କିଂ କରୁକରୁ ଟିକେଟ୍‌ କାଟିବା ପାଇଁ ଜଣେ କର୍ମଚାରୀ ଆସିଥିଲେ। ୨୦ଟଙ୍କିଆ ଟିକେଟ୍‌ ବଢ଼ାଇ ତାଙ୍କୁ ୫୦ ଟଙ୍କା ମାଗିଥିଲେ। ଡା. ନରେଶ ପ୍ରତିବାଦ କରିବାରୁ ଉଭୟଙ୍କ ଭିତରେ ବଚସା ହୋଇଥିଲା। ନରେଶ ଉକ୍ତ କର୍ମଚାରୀଙ୍କୁ ବିଏମ୍‌ସି ନିୟମ କଥା କହିବା ସହ ୨ ଘଣ୍ଟାରୁ ଅଧିକ ସମୟ କାର୍‌ ରହିଲେ, ସେ ବର୍ଦ୍ଧିତ ଫି’ ବାବଦ‌ରେ ୪୦ ଟଙ୍କା ଦେବେ ବୋଲି କହିଥିଲେ। ତେଣୁ ୫୦ ଟଙ୍କା କେମିତି ହେଉଛି ବୋଲି ନରେଶ ପଚାରିଥିଲେ। କେବଳ ସେତିକି ନୁହେଁ, ୫୦ ଟଙ୍କା ନେବ ଯଦି ସେତିକି ଉଲ୍ଲେଖ ଥିବା ରସିଦ୍ ଦିଅ ବୋଲି କହିଥିଲେ। ମାତ୍ର ଫି’ ଆଦାୟ କରୁଥିବା କର୍ମଚାରୀ କୌଣସି କଥା ନଶୁଣି ୫୦ ଟଙ୍କା ଦେବାକୁ ଜିଦ୍‌ କରିଥିଲେ। ଉପରୁ ମାଲିକ ଯାହା ନିର୍ଦ୍ଦେଶ ଦେଇଛନ୍ତି, ସେ ମାନିବେ ଓ ୫୦ ଟଙ୍କା ନେଇ ଛାଡ଼ିବେ ବୋଲି ଧମକ ଦେବା ଢଙ୍ଗରେ କହିଥିଲେ। ଉକ୍ତ କର୍ମଚାରୀ ରମେଶ କରଙ୍କ କହିବା କଥା ପାର୍କିଂ ସ୍ଥଳରେ କାର୍‌କୁ ଫୁଲ ସଜାଇଲେ ୨୦ଟଙ୍କା ବଦଳରେ ୫୦ଟଙ୍କା ଦେବାକୁ ପଡ଼ିବ। କିନ୍ତୁ ବିଏମ୍‌ସି ଏମିତି ନିୟମ କରିଛି କି ବୋଲି ନରେଶ ପଚାରିବାରୁ ସେ କିଛି ଉତ୍ତର ନଦେଇ କେବଳ ୫୦ ଟଙ୍କା ମାଗି ଚାଲିଥିଲେ। ଏମିତିକି ୨୦ ଟଙ୍କିଆ ରସିଦ୍‌ରେ ସେ ୫୦ ଟଙ୍କା ନେବେ ବୋଲି ଅଡ଼ି ବସିଥିଲେ। ତେଣୁ ବାଧ୍ୟ ହୋଇ ଡା. ନରେଶ ପୁଲିସ କଣ୍ଟ୍ରୋଲ୍ ରୁମ୍ କୁ ଫୋନ୍ କରି ଜଣାଇଥିଲେ। କିଛି ସମୟ ପରେ ପିସିଆର୍‌ ସେଠାରେ ପହଞ୍ଚିଥିଲା ଓ ଘଟଣା ବୁଝିବା ପରେ ପାର୍କିଂ କର୍ମଚାରୀ ରମେଶକୁ ତାଗିଦ୍ କରିଥିଲା। ‌ଶେଷରେ ନରେଶ ୨୦ ଟଙ୍କା ଦେଇଥିଲେ ଓ ୨ ଘଣ୍ଟା ଭିତରେ କାର୍‌ରେ ଫୁଲ ସଜାଇ ଫେରିଥିଲେ।
ନିୟମାନୁସାରେ ୨ ଚକିଆ ଯାନ ପାର୍କିଂରେ ୨ ଘଣ୍ଟା ରହିଲେ ୫ଟଙ୍କା ଓ ୪ ଚକିଆ ଯାନ ପାଇଁ ୨୦ଟଙ୍କା ଫି’ ରହିଛି। ଯଦି କୌଣସି ୪ଚକିଆ ଗାଡ଼ି ୨ରୁ ୩ଘଣ୍ଟା ଯାଏ ପାର୍କିଂରେ ରୁହେ, ୪୦ ଟଙ୍କା ଫି’ ଦେବାକୁ ପଡ଼ିବ। ତାହା ପୁଣି ରସିଦ୍‌ରେ। ମାତ୍ର ଏବେ ପାର୍କିଂ ଅଧିକାରୀମାନେ ଏହି ନିୟମକୁ ମାନୁନାହାନ୍ତି। ଏମିତିକି ଟିକେଟ୍‌ରେ ସମୟ ଉଲ୍ଲେଖ ନକରି ମନମୁଖୀ ଭାବରେ ଅଧିକ ଟଙ୍କା ଆଦାୟ କରୁଛନ୍ତି। ପୁଣି ନିୟମ ରହିଛି ୨ ଘଣ୍ଟା ଭିତରେ ଗୋଟିଏ ପାର୍କିଂ ଲଟ୍‌ରୁ ଗାଡ଼ି ଅନ୍ୟ ପାର୍କିଂ ଲଟ୍‌କୁ ଗଲେ, ପ୍ରଥମ ଟିକେଟ୍‌ ହିଁ କାମ କରିବ। ମାତ୍ର ଏହି ନିୟମକୁ ଅନେକ ସ୍ଥାନରେ ଠିକା ସଂସ୍ଥାମାନେ ମାନୁନାହାନ୍ତି। ସେହିପରି କିଛି ସ୍ଥାନରେ ପାର୍କିଂ ଟେଣ୍ଡର ଅବଧି ସରିଯାଇଥିଲେ ମଧ୍ୟ ସେଠାରେ ବେଆଇନ ଭାବେ ଉକ୍ତ ସଂସ୍ଥା ପାର୍କିଂ ଫି’ ଆଦାୟ କରୁଛି। ଏସବୁ ଅଭିଯୋଗକୁ ସ୍ବୀକାର କରି ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି ଯେ ପାର୍କିଂ ଟେଣ୍ଡର ନେଇଥିବା ଠିକା ସଂସ୍ଥା ପାର୍କିଂ ସ୍ଥାନରେ ଫି’, ସଂସ୍ଥାର ନାମ, ଟେଣ୍ଡର ଅବଧି ବିଷୟରେ ସୂଚନା ଉଲ୍ଲେଖ କରିବା କଥା। ମାତ୍ର କେତେକ କାରଣରୁ ଏସବୁକୁ ତଦାରଖ କରାଯାଉନାହିଁ ଓ ଏହାକୁ ସୁଯୋଗ ଭାବେ ନେଇ ଠିକାସଂସ୍ଥାମାନେ ଲୋକଙ୍କୁ ଶୋଷଣ କରୁଛନ୍ତି। ପାର୍କିଂ ନିୟମକୁ ସ୍ପଷ୍ଟ କରିବା ସହ ନିୟମିତ ତଦାରଖ କରିବା ଜରୁରୀ ବୋଲି ସେ ମାନିଥିଲେ।

Share Now:

Kalinga News Beuro

Next Post

ଆରମ୍ଭ ହେଲା ବେଜିଂ ଶୀତକାଳୀନ ଅଲିମ୍ପିକ୍ସ : ଭାରତୀୟ ଦଳରେ ଅଛନ୍ତି ଜଣେ ମାତ୍ର ଖେଳାଳି

Fri Feb 4 , 2022
ବେଜିଂ : ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଆରମ୍ଭ ହୋଇଛି ବେଜିଂ ଶୀତକାଳୀନ ଅଲିମ୍ପିକ୍ସ। ବେଜିଂରେ ଥିବା ପ୍ରସିଦ୍ଧ ବାର୍ଡସ ନେଷ୍ଟ ଷ୍ଟାଡିୟମରେ ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଛି। ଏହି ଷ୍ଟାଡିୟମରେ ହିଁ ୨୦୦୮ ଅଲିମ୍ପିକ୍ସର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା। ଭାରତ ପକ୍ଷରୁ ଜଣେ ମାତ୍ର ଆଥଲେଟ ଏହି ଅଲିମ୍ପିକ୍ସରେ ଯୋଗ ଦେଇଛନ୍ତି। ସେ ହେଉଛନ୍ତି ଆରିଫ ଖାଁ। ସେ ହାତରେ ତ୍ରିରଙ୍ଗା ଧରି ଭାରତର ପ୍ରତିନିଧିତ୍ବ କରିଥିଲେ। ତାଙ୍କ […]
ଆରମ୍ଭ ହେଲା ବେଜିଂ ଶୀତକାଳୀନ ଅଲିମ୍ପିକ୍ସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial