ବୁଦାମୂଳରୁ ଉଦ୍ଧାର ହେଲେ ଦୁଇ ନବଜନ୍ମିତ ଶିଶୁ

ବ୍ରହ୍ମପୁର/ଯାଜପୁର: ସକାଳର ଶାନ୍ତ ପରିବେଶ। ଅଳସ ଭାଙ୍ଗି ସମସ୍ତେ ନିତ୍ୟକର୍ମରେ ବ୍ୟସ୍ତ ଥାଆନ୍ତି। ହଠାତ ନିକଟସ୍ଥ ବୁଦା ମୂଳରୁ ଶୁଭିଲା କୁଆଁ କୁଆଁ କାନ୍ଦ। ସେ କାନ୍ଦ ଥିଲା ଅସହାୟତାର। ଯାହା କାନରେ ପଡ଼ୁଥିଲା, ସତେ ଯେମିତି ଲାଗୁଥିଲା ଛାତି ଚିରି ହୋଇଯିବ। ଏକ ନିକଞ୍ଚନ ଜାଗାରେ ନିଷ୍ପାପ ଶିଶୁର ଏପରି ରାହା ଛାଡ଼ି କାନ୍ଦ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା। ଶିଶୁର କାନ୍ଦ ଶୁଣି ବୁଦା ମୂଳକୁ ଦୌଡ଼ି ଯାଇଥିଲେ ଜଣେ ମହିଳା। ସେଠାରେ ଯାହା ଦେଖିଥିଲେ ତାହା ବର୍ଣ୍ଣନା କରିବା ଅସମ୍ଭବ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିଲା ନବଜାତ ଶିଶୁ। ଏହା ଗୋଟିଏ ଜାଗାର ଘଟଣା ନୁହେଁ। ରାଜ୍ୟର ଦୁଇଟି ସ୍ଥାନରେ ସମାନ ଢ଼ଙ୍ଗରେ ଉଦ୍ଧାର ହୋଇଛନ୍ତି ଦୁଇ ନିଷ୍ପାପ ଶିଶୁ। ଘଟଣା ଘଟିଛି ଯାଜପୁର ଓ ଗଞ୍ଜାମ ଜିଲ୍ଲାରେ। ଲୋକ ଲଜ୍ଜା ହେଉ ବା ଅନ୍ୟ କିଛି କାରଣ କେହି ଶିଶୁ ଦ୍ୱୟଙ୍କୁ ଅସହାୟ ଅବସ୍ଥାରେ ବୁଦା ମୂଳକୁ ଫିଙ୍ଗି ଚାଲି ଯାଇଛନ୍ତି। ଯାହା ରାଜ୍ୟରେ ଆଲୋଡ଼ନ ଖେଳାଇ ଦେଇଛି।

ଆଜି ସକାଳେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ମିର୍ଜାପୁର ପଞ୍ଚାୟତ ସାଲେପୁର ଗାଁର ନୟନା ସେଠୀ ନାମକ ଜଣେ ମହିଳା ଶୈଚ ପାଇଁ ନିଜ ବାଡ଼ିକୁ ଯାଉଥିଲେ। ଏହି ସମୟରେ ବାଉଁଶ ବୁଦା ମୂଳରୁ ପିଲା କାନ୍ଧିବାର ଶବ୍ଦ ଶୁଣିବାକୁ ପାଇଥିଲା। ହଠାତ୍‌ ଏପରି କାନ୍ଦ ଶୁଣି ନୟନା ଡରି ଯାଇଥିଲେ। ପରେ ସାହସ ଜୁଟାଇ ବୁଦା ମୂଳକୁ ଯାଇଥିଲେ। ଜନ୍ଦା ପିମ୍ପୁଡି ସାଲୁବାଲୁ ରକ୍ତ ଜୁଡ଼ୁବୁଡ଼ୁ ନବଜାତ ଶିଶୁଟିକୁ ଦେଖି ନୟନା ହତବାକ ହୋଇଯାଇଥିଲେ। ଘଟଣା ସମ୍ପର୍କରେ ଶିଶୁ ସୁରକ୍ଷା ୟୁନିଟର ଅଧିକାରୀଙ୍କୁ ଖବର ଦେଇଥିଲେ। ଅଧିକାରୀମାନେ ସାଲେପୁର ଗାଁରେ ପହଞ୍ଚି ଶିଶୁ କନ୍ୟାଟିକୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଶିଶୁଟିକୁ ବର୍ତ୍ତମାନ ଭେଂଟିଲେଟର ରଖାଯାଇଛି। ତେବେ ଶିଶୁକନ୍ୟାଟିକୁ କିଏ ଓ କାହିଁକି ବୁଦାମୂଳକୁ ଫିଙ୍ଗି ଦେଇଛି ତାହା ଜଣାପଡିନାହିଁ।

ସେହିପରି ଆଉ ଏକ ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି। ବୁଗୁଡ଼ା ଥାନା ସୋରଡ ଗାଁର ଏକ ଲତା ବୁଦା ମୂଳରେ ଶିଶୁ ପୁତ୍ରଟି କାନ୍ଦୁଥିଲା। ଗାଁ ଲୋକେ ଏନେଇ ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଖବର ଦେଇଥିଲେ। ଶିଶୁ ସୁରକ୍ଷା ଅଧିକାରମାନେ ଗାଁରେ ପହଞ୍ଚି ଶିଶୁଟିକୁ ଉଦ୍ଧାର କରି ବେଲଗୁଣ୍ଠା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ଅଛି। ବର୍ତ୍ତମାନ ଶିଶୁଟି ଉକ୍ତ ଗାଁ କୈଳାସ ରଣାଙ୍କ ପାଖରେ ଥିବା ଜଣାପଡ଼ିଛି। ମାତ୍ର ସେ ଶିଶୁର ପ୍ରକୃତ ପିତାମାତାଙ୍କ ପରିଚୟ ଜଣାପଡ଼ିନାହିଁ।

Share Now:

Kalinga News Beuro

Leave a Reply

Next Post

ହଂସପାଳରେ ହେବନି ଫ୍ଲାଏ ଓଭର୍‌

Wed Jun 6 , 2018
ଅଣ୍ଡରପାସ୍‌ ନିର୍ମାଣ ପାଇଁ ପ୍ରସ୍ତାବ ପଠାଇଲା ପୂର୍ତ୍ତ ବିଭାଗ ଭୁବନେଶ୍ୱର: ହଂସପାଳ ଛକରେ ବାରମ୍ବାର ଦୁର୍ଘଟଣା ହେବା ପରେ ଏଠାରେ ଓଭରବ୍ରିଜ୍‌ ନିର୍ମାଣ ପାଇଁ ସ୍ଥାନୀୟ ଲୋକ ଦାବି କରିଥିଲେ। ଏହାପରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏଠାରେ ଓଭରବ୍ରିଜ୍‌ ନିର୍ମାଣ କରିବାକୁ ଯୋଜନା କରିଥିଲେ। ଏପରିକି ସର୍ଭେ କାର୍ଯ୍ୟ ଶେଷ ହୋଇଥିଲା। କିନ୍ତୁ ଏବେ ଏଠାରେ ଫ୍ଲାଏ ଓଭର ନିର୍ମାଣ ନ କରି ଅଣ୍ଡର ପାସ୍‌ ନିର୍ମାଣ କରିବାକୁ ନିଷ୍ପତ୍ତି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial