ସରିଲା ଖଣ୍ଡଗିରି କୁମ୍ଭମେଳା : ପୂର୍ଣ୍ଣାହୁତି ପରେ ଲିଭିଲା ଯଜ୍ଞକୁଣ୍ଡ, ମେଲାଣି ନେଲେ ସାଧୁସନ୍ଥ

ସରିଲା ଖଣ୍ଡଗିରି କୁମ୍ଭମେଳା

ଖଣ୍ଡଗିରି : ବୁଧବାର ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ଦିନ ତମାମ ଭାଗବତ ପାଠ କରାଯାଇଥିଲା। ମନ୍ତ୍ର ଧ୍ବନି ଓ ନାମ ସଂକୀର୍ତ୍ତନରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ଯଜ୍ଞକୁଣ୍ଡମାନଙ୍କରୁ ନିଃସୃତ ହୋମ ଧୂଆଁର ମହକରେ ପୂରା ଖଣ୍ଡଗିରି ମହକି ଉଠିଥିଲା। ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ସାଧୁସନ୍ଥଙ୍କ ସାନ୍ନିଧ୍ୟପ୍ରାପ୍ତି ପାଇଁ ପହଞ୍ଚିଥିଲେ। ସ୍ଥାନୀୟ ସବୁ ମଠରେ ଅନ୍ନ ପ୍ରସାଦ ଓ ଖିରି ଭୋଗ ଲାଗି କରାଯାଇଥିଲା। ସୂର୍ଯ୍ୟାସ୍ତ ପରେ ହୋଇଥିଲା ପୂର୍ଣ୍ଣାହୁତି ପର୍ବ। ଏହା ପରେ ମେଲାଣି ନେଇଥିଲେ ସାଧୁସନ୍ଥମାନେ। ଭାବବିହ୍ଵଳ ପରିବେଶରେ ଶ୍ରଦ୍ଧାଳୁମାନେ ସାଧୁସନ୍ଥମାନଙ୍କୁ ବିଦାୟ ଦେଇଥିଲେ। ବୁଧବାର ଦିନ ମା’ ବାରଭୁଜାଙ୍କ ପୀଠରେ ବିଶ୍ବଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ପର୍ବ ପ୍ରଥମେ ଆରମ୍ଭ ହୋଇଥିଲା। ପରେ ପରେ ସବୁ ଯଜ୍ଞକୁଣ୍ଡରେ ଏହି ପର୍ବ ସମାହିତ ହୋଇଥିଲା। ନିୟମାନୁସାରେ ପୂର୍ଣ୍ଣାହୁତି ପରେ ସମସ୍ତ ସାଧୁସନ୍ଥ ମେଳାରୁ ବାହୁଡ଼ି ଯା’ନ୍ତି। କିନ୍ତୁ ଏଥର କିଛି ସନ୍ଥ ରହିଯାଇଛନ୍ତି। ଆସନ୍ତାକାଲି ଗୁରୁବାର ପଡ଼ୁଥିବାରୁ ସେମାନେ ଆହୁରି ଗୋଟିଏ ଦିନ ଖଣ୍ଡଗିରିରେ ରହିବେ। କିନ୍ତୁ ଅନେକ ସନ୍ଥ ବିଦାୟ ନେଇଛନ୍ତି। ଗୁରୁଦେବଙ୍କୁ ଶ୍ରଦ୍ଧାଳୁମାନେ ଭକ୍ତିଭରା ବିଦାୟ ଦେଉଥିବାର ଦୃଶ୍ୟ ଭାବାବେଗପୂର୍ଣ୍ଣ ଥିଲା। ନାଗା ବାବାଙ୍କୁ ଭକ୍ତମାନେ କୁଣ୍ଢାଇ କାନ୍ଦି ପକାଉଥିବା ଦେଖିବାକୁ ମିଳିଥିଲା। କାନ୍ଦୁଥିବା ଶ୍ରଦ୍ଧାଳୁଙ୍କୁ ଗୁରୁଦେବ ସାନ୍ତ୍ୱନା ଦେଉଥିଲେ। ସୂଚନାଯୋଗ୍ୟ, କୁମ୍ଭମେଳାର ଉଦ୍‌ଯାପନୀ ପର୍ବ ମଙ୍ଗଳବାରଠାରୁ ଆରମ୍ଭ ହୋଇଯାଇଥିଲା। କୃଷ୍ଣ ମହାରାଜାଙ୍କ ୧୬ ସଂକୀର୍ତ୍ତନ ମଣ୍ଡଳୀରୁ ୫ ମଣ୍ଡଳୀ ଆସି ନାମ ସଂକୀର୍ତ୍ତନ କରିଥିଲେ।ଏହି ଅବସରରେ ହୋଇଥିବା ସାଧୁ ସମ୍ମିଳନୀରେ ସନ୍ଥମାନେ ଜ୍ଞାନ ବିତରଣ କରିଥିଲେ। ଗୋସ୍ୱାମୀ ପୀତାମ୍ବର ଦାସଙ୍କ ଶିଷ୍ୟ ରବିନାରାୟଣ ଦାସ, ଉମାକାନ୍ତ ମହାପାତ୍ରଙ୍କ ସମେତ ଅନେକ ବ୍ୟକ୍ତି ଉପସ୍ଥିତ ଥିଲେ। ବାରଭୁଜା ମ୍ୟାନେଜିଂ ଟ୍ରଷ୍ଟର କୋଷାଧ୍ୟକ୍ଷ ଦୀନବନ୍ଧୁ ଜେନାଙ୍କ ତତ୍ତ୍ୱାବଧାନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସମାହିତ ହୋଇଥିଲା। ସେହିପରି ଓଡ଼ିଶା ବୈଦିକ ବ୍ରାହ୍ମଣ ସମାଜ ଟ୍ରଷ୍ଟ ପକ୍ଷରୁ ବିଶ୍ଵଶାନ୍ତି ଗୀତା ମହାଯଜ୍ଞର ପୂର୍ଣ୍ଣାହୁତି ଦିଆଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଡ. ଆଦିତ୍ୟ ପ୍ରସାଦ ଦାଶ ପୂର୍ଣ୍ଣାହୁତି ପ୍ରଦାନ କରିବା ସହ ଅଗ୍ନି ଉତ୍ସବ କାର୍ଯ୍ୟକ୍ରମରେ ଅଗ୍ନି ସଂଯୋଗ କରିଥିଲେ। ଟ୍ରଷ୍ଟର ସଭାପତି ପଣ୍ଡିତ ସତ୍ୟବ୍ରତ ମିଶ୍ର ବର୍ମା ଅତିଥିଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଟ୍ରଷ୍ଟର ସମ୍ପାଦକ ରଶ୍ମିରଞ୍ଜନ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୃତୁଞ୍ଜୟ ମହାପାତ୍ର, ବିଜୟ ପତ୍ରୀ, ଶଶିକାନ୍ତ ମିଶ୍ର, ମନୋଜ ଷଡ଼ଙ୍ଗୀ, ଜଗନ୍ନାଥ ପଣ୍ଡା, ହରିବନ୍ଧୁ ରଥ, ଶରତ ଦାଶ, ଦେବବ୍ରତ ଦାଶ, ସୁବାସ ଦାଶ, ସତ୍ୟନାରାୟଣ ଉପାଧ୍ୟାୟ, ନୃସିଂହ ପତି ପ୍ରମୁଖ ଉପସ୍ଥିତ ଥିଲେ। ବୈଦିକ ବ୍ରାହ୍ମଣମାନେ ସମବେତ ବେଦ ପାଠ କରିଥିଲେ।

Share Now:

Kalinga News Beuro

Next Post

ଗିରଫ ପରେ କୋର୍ଟରେ ହାଜର ହେଲେ କୋଟିପତି ଡାକ୍ତର

Thu Feb 17 , 2022
ଭୁବନେଶ୍ୱର: ଗିରଫ ପରେ କୋର୍ଟରେ ହାଜର ହେଲେ କୋଟିପତି ଡାକ୍ତର ସୁକାନ୍ତ ଜେନା। ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଥିବା ସୁକାନ୍ତ ଜେନାଙ୍କୁ ଆଜି କୋର୍ଟରେ ହାଜର କରାଯାଇଛି। ୮୦୦୦ଟଙ୍କା ଲାଞ୍ଚ ନେଇ ଗିରଫ ହେବା ପରେ ତାଙ୍କ ଘରୁ ମିଳିଥିଲା ୧ କୋଟି ୧୩ ଲକ୍ଷ ନଗଦ ଟଙ୍କା। ଗିରଫ ଡାକ୍ତର ସୁକାନ୍ତ ଏତେ ଟଙ୍କା କେଉଁଠୁ ଆଣିଲେ ସେ ନେଇ ଏବେ ଖୋଳତାଡ କରୁଛି ପୁଲିସ। କୁହାଯାଇଛି […]
ଗିରଫ ପରେ କୋର୍ଟରେ ହାଜର ହେଲେ କୋଟିପତି ଡାକ୍ତର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial